ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆସନ୍ତାକାଲି ସୁରଟ ଗସ୍ତ ଅଭିଯାନ

Published By : Prameya-News7 Bureau | December 16, 2018 IST

ଭୁବନେଶ୍ବର ୧୬/୧୨:  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆସନ୍ତାକାଲି ସୁରଟ ଗସ୍ତରେ ଯିବେ। ଏହା ଆଗରୁ ମୁଖ୍ୟମନ୍ତ୍ରୀ ସୁରଟରେ ଓଡ଼ିଆମାନଙ୍କ ବିଭିନ୍ନ ସମସ୍ୟା ନେଇ ତିନିଟି ଚିଠି ଲେଖିଛନ୍ତି। କେନ୍ଦ୍ରକୁ ଦୁଇଟି ଚିଠି  ଲେଖି ସୁରଟ-ଭୁବନେଶ୍ବର ବିମାନ ଚଳାଚଳ ଏବଂ ବ୍ରହ୍ମପୁର-ସୁରଟ ଟ୍ରେନ୍ ଚଳାଚଳ ପାଇଁ ଦାବି କରିଛନ୍ତି । ଏହାସହ ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଓଡ଼ିଆଙ୍କ ପାଇଁ କମ୍ୟୁନିଟି ସେଣ୍ଟର ଲାଗି ଜାଗା ମାଗିଛନ୍ତି। ବ୍ରହ୍ମପୁର-ସୁରଟ୍  ମଧ୍ୟରେ ଦୈନିକ ଦୁଇଟି ଟ୍ରେନ୍  ଚଳାଚଳ ପାଇଁ କେନ୍ଦ୍ର ରେଳ ମନ୍ତ୍ରୀ ପୀୟୂଷ ଗୋଏଲ୍ ଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବର୍ତ୍ତମାନ ଓଡ଼ିଶାରୁ ପ୍ରାୟ ୭ ଲକ୍ଷରୁ ଅଧିକ ଲୋକ ସୁରଟରେ କାମ କରୁଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଦକ୍ଷିଣ ଓଡ଼ିଶାର। କିନ୍ତୁ ବ୍ରହ୍ମପୁର ଓ ସୁରଟ ମଧ୍ୟରେ ଗୋଟିଏ ବି ସିଧାସଳଖ ଟ୍ରେନ୍  ଚଳାଚଳ କରୁନାହିଁ । ଏହିସବୁ ସମସ୍ୟାକୁ ଦୃଷ୍ଟିରେ ରଖି ସୁରଟ ଓ ବ୍ରହ୍ମପୁର ମଧ୍ୟରେ ଦୁଇଟି ଟ୍ରେନ୍  ଚଳାଚଳ ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି। ଭୁବନେଶ୍ବର-ସୁରଟ ମଧ୍ୟରେ ବିମାନ ଚଳାଚଳ ପାଇଁ ମଧ୍ୟ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭାକର ପ୍ରଭୁଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ। ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀଙ୍କୁ ନବୀନ ଚିଠି ଲେଖି ସୁରଟ୍  ସହରରେ ବାସ କରୁଥିବା ଓଡ଼ିଆଙ୍କ ପାଇଁ କମ୍ୟୁନିଟି ସେଣ୍ଟର ନିର୍ମାଣ ଲାଗି ୧ ଏକର ଜାଗା ଦେବାକୁ ଅନୁରୋଧ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆସନ୍ତାକାଲି ଦିନିକିଆ ଗସ୍ତରେ ସୁରଟ ଯାଉଛନ୍ତି। ଏକ ସ୍ବତନ୍ତ୍ର ବିମାନ ଯୋଗେ ମୁଖ୍ୟମନ୍ତ୍ରୀ ସୁରଟ ଯାଇ ସେହିଦିନ ଫେରିଆସିବେ। ସେଠାରେ ଓଡ଼ିଶା ମହୋତ୍ସବରେ ସେ ଯୋଗ ଦେବେ। ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତକୁ ସଫଳ କରିବା ପାଇଁ ବିଜେଡି ମନ୍ତ୍ରୀ, ସାଂସଦ, ବିଧାୟକମାନେ ଆଗରୁ  ସୁରଟ ଗସ୍ତରେ ଯାଇଛନ୍ତି। ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଓଡ଼ିଆଙ୍କୁ ଏକାଠି କରିବାକୁ ବିଜେଡି ନେତାମାନେ ସେଠାକାର ଓଡ଼ିଆ ସଂଗଠନର କର୍ମକର୍ତ୍ତାମାନଙ୍କ ସହ ଜୋରଦାର୍ ପ୍ରସ୍ତୁତି ଚଳାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.