ତାଜ୍ ମହଲକୁ ୧ କୋଟି ଟଙ୍କାର ଟ୍ୟାକ୍ସ ନୋଟିସ୍! କେବଳ ଗୃହକର ବକେୟା ଦେଢ ଲକ୍ଷ
20/12/2022 at 4:24 PM

ଆଗ୍ରା ୨୦।୧୨: ଉତ୍ତର ପ୍ରଦେଶ ଆଗ୍ରା ନଗରନିଗମ ତାଜ୍ ମହଲକୁ ବକେୟା ଶୁଳ୍କ ଲାଗି ନୋଟି ଜାରି କରିଛନ୍ତି। ନୋଟିସ୍ରେ ଗୃହକର , ଜଳକର ଓ ସିୱର ଶୁଳ୍କ ବାବଦେ ବକେୟା ଲାଗି ୧ କୋଟିରୁ ଅଧିକ ଟଙ୍କାର ନୋଟିସ୍ କରାଯାଇଥିବା ବେଳେ ୧୫ ଦିନ ମଧ୍ୟରେ ପୈଠ କରିବାକୁ କୁହାଯାଇଛି। ଏଥିରେ କେବଳ ଗୃହ କର ବାବଦକୁ ଦେଢ ଲକ୍ଷ ଟଙ୍କାରୁ ଅଧିକ ନୋଟିସ୍ କରାଯାଇଛି। ତାଜ ମହଲର ୩୭୦ ବର୍ଷ ଇତିହାସରେ ବକେୟା ଶୁଳ୍କ ଲାଗି ଏହା ପ୍ରଥମ ନୋଟିସ୍ ବୋଲି କୁହାଯାଇଛି।
ପ୍ରତ୍ନତତ୍ୱ ବିଭାଗ ଅଧିକାରୀ ଏହି ନୋଟିସ୍ ସ୍ୱୀକାର କରିଥିବା ବେଳେ ଆର୍କୋଲଜିକାଲ ସର୍ଭେ ଅଫ ଇଣ୍ଡିଆ (ଏଏସଆଇ) ଅଧିକାରୀମାନେ ଏହା ଭୁଲ ବସତଃ ହୋଇଥାଇପାରେ ଓ ଖୁବ ଶୀଘ୍ର ଏହାର ଜବାବ ଦିଆଯିବ ବୋଲି କହିଛନ୍ତି। କେବଳ ତାଜ୍ ମହଲ ନୁହେଁ ଏହି ପରି ଏକ ନୋଟିସ୍ ଏତ୍ମାଦୌଲା ସ୍ମାରକକୁ ମଧ୍ୟ ପଠା ଯାଇଛି। ଏଏସଆଇ ଅଧିକ୍ଷକ ଡା. ରାଜକୁମାର ପଟେଲ କହିଛନ୍ତି ଯେ ତାଜମହଲ ଓ ଏତ୍ମାଦୌଲାକୁ ପଠାଯାଇଥିବା ନୋଟିସ୍ ସମ୍ପର୍କରେ ଜବାବ ଦିଆଯାଇ ଏହାର ସ୍ଥିତି ସ୍ପଷ୍ଟ କରାଯିବ।
Agra Nagar Nigam has sent notice to Archeological department to pay water (Rs 1.94 crores) and house tax (Rs 1.47 lakh) for Taj Mahal. pic.twitter.com/UwgWcGWkBI
— Piyush Rai (@Benarasiyaa) December 19, 2022
ଡ. ପଟେଲ କହିଛନ୍ତି ଯେ ତାଜ୍ ମହଲ ଓ ଏତ୍ମାଦୌଲା ଜାତୀୟ ସ୍ମାରକ ଯାହା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମ୍ପତ୍ତି। ତେବେ ଯାହା ଜଣା ଯାଉଛି କର ଆକଳନ ଲାଗି ନଗରନିଗମ ନିଯୁକ୍ତ କରିଥିବା ଏଜେନ୍ସୀ ଏପରି ତ୍ରୁଟି କରିଥାଇ ପାରନ୍ତି। ତେବେ ପ୍ରତ୍ନତତ୍ୱ ବିଭାଗ ଜବାବ ପଠାଇ ସ୍ଥିତି ସ୍ପଷ୍ଟ କରିଦେବ ବୋଲି ସେ କହିଛନ୍ତି।
ଏ ବାବଦେ ନଗର ଆୟୁକ୍ତଙ୍କୁ ପଚରା ଯିବାରେ ସାଇ କନଷ୍ଟ୍ରକ୍ସନ ନାମକ ଏକ କମ୍ପାନୀକୁ ଗୃହ ଗଣନା ଲାଗି ଦାୟିତ୍ୱ ଦିଆଯାଇଛି। ତେବେ ଗୁଗଲ ମ୍ୟାପିଙ୍ଗ ଯୋଗୁ କେତେକ ସ୍ଥାନରେ ଗଡବଡ ହୋଇଥିବାର ସୂଚନା ମିଳିଛି।ଏବେ ଏହାର ଯାଞ୍ଚ କରାଯାଉଛି।