ସମସ୍ତ ଘରୋଇ ଡାକ୍ତରଙ୍କୁ ସରକାରୀ ହସ୍ପିଟାଲରେ କାମ କରିବାକୁ ପଡିବ, ଆଦେଶ ନମାନିଲେ ରଦ୍ଦ ହେବ ଲାଇସେନ୍ସ

Published By : Prameya-News7 Bureau | May 06, 2020 IST

ମୁମ୍ବାଇ ୦୬।୦୫: ଦେଶରେ ମାରାତ୍ମକ କରୋନା ଭାଇରସ୍‌ର ପ୍ରକୋପ ସବୁଠୁ ଅଧିକ ମହାରାଷ୍ଟ୍ର ରାଜ୍ୟରେ ଦେଖିବାକୁ ମିଳିଛି। ଏକାକୀ ଏହି ରାଜ୍ୟରେ ୭୦୦ ଜଣ କରୋନାରେ ପ୍ରାଣ ହରାଇ ସାରିଛନ୍ତି। ରାଜ୍ୟରେ ସର୍ବାଧିକ ଆକ୍ରାନ୍ତଙ୍କ ସଂଖ୍ୟା ମୁମ୍ବାଇରେ ଅଛନ୍ତି। ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟର ଚିକିତ୍ସା ଶିକ୍ଷା ଓ ଅନୁସନ୍ଧାନ ନିର୍ଦ୍ଦେଶାଳୟ ଘରୋଇ ହସ୍ପିଟାଲରେ କାର୍ଯ୍ୟରତ ସମସ୍ତ ଡାକ୍ତର ଏବେ ସରକାରୀ ହସ୍ପିଟାଲରେ କାମ କରିବାକୁ ଆଦେଶ ଜାରି କରିଛନ୍ତି।

ଚିକିତ୍ସା ଶିକ୍ଷା ଓ ଅନୁସନ୍ଧାନ ନିର୍ଦ୍ଦେଶାଳୟ ମୁମ୍ବାଇରେ ଯେତେ ବି ଘରୋଇ ଡାକ୍ତର ଅଛନ୍ତି, ସେମାନେ ବର୍ତ୍ତମାନ ସରକାରୀ ହସ୍ପିଟାଲରେ କାମ କରିବା ବାଧ୍ୟତାମୂଳକ କରାଯାଇଛି। ବଡ କଥା ଏହା ଯେ, ଯଦି କୌଣସି ଘରୋଇ ଡାକ୍ତର ଏହି ଆଦେଶକୁ ଅଣଦେଖା କରିବେ ତେବେ ତାଙ୍କ ଲାଇସେନ୍ସ ରଦ୍ଦ କରାଯିବ। ଉଲ୍ଲେଖନୀୟ ମୁମ୍ବାଇରେ ୨୫ ହଜାର ଘରୋଇ ଡାକ୍ତର ଓ ସ୍ଵାସ୍ଥ୍ୟକର୍ମୀ ଅଛନ୍ତି।

ଆଦେଶରେ ଘରୋଇ ଡାକ୍ତର ଓ ଚିକିତ୍ସା ଅଧିକାରୀଙ୍କୁ କୋଭିଡ୍-୧୯ ହସ୍ପିଟାଲରେ ଅତି କମରେ ୧୫ ଦିନ ପାଇଁ କାମ କରିବାକୁ କୁହାଯାଇଛି। ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ମୁତାବକ ମହାରାଷ୍ଟ୍ରରେ ଏ ପର୍ଯ୍ୟନ୍ତ ୧୫ ହଜାର ୫୨୫ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଅନ୍ୟପଟେ ଏ ପର୍ଯ୍ୟନ୍ତ ୬୧୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮୧୯ ଜଣ ସୁସ୍ଥ  ହୋଇ ସାରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.