ପ୍ଲେ ଅଫ୍‌ରେ ମୁମ୍ବାଇର ଧମାକାଦାର ଏଣ୍ଟ୍ରି, ମଉଳିଲା ଦିଲ୍ଲୀ କ୍ୟାପିଟାଲ୍ସର ଆଶା

Published By : Prameya-News7 Bureau | May 21, 2025 IST

ମୁମ୍ବାଇ: ସୂର୍ଯ୍ୟକୁମାର ଯାଦବଙ୍କ ଅର୍ଦ୍ଧଶତକ ପରେ ବୋଲରଙ୍କ ଘାତକ ବୋଲିଂ। ଦିଲ୍ଲୀ କ୍ୟାପିଟାଲ୍ସକୁ ୫୯ ରନରେ ହରାଇଲା ମୁମ୍ବାଇ ଇଣ୍ଡିଆନ୍ସ। ଅଷ୍ଟମ ମ୍ୟାଚ୍ ଜିତି ମୁମ୍ବାଇ ଇଣ୍ଡିଆନ୍ସ ଚତୁର୍ଥ ଦଳ ଭାବେ ଆଇପିଏଲ୍ ୨୦୨୫ର ପ୍ଲେ ଅଫ୍‌ରେ ପ୍ରବେଶ କରିଛି। ମୁମ୍ବାଇଠୁ ହାରି ଦିଲ୍ଲୀ କ୍ୟାପିଟାଲ୍ସ ପ୍ଲେ ଅଫ୍ ଦୌଡ଼ରୁ ବାଦ୍ ପଡ଼ିଛି। ଏହା ପୂର୍ବରୁ ଗୁଜରାଟ, ବେଙ୍ଗାଲୁରୁ ଓ ପଞ୍ଜାବ ପ୍ଲେ ଅଫ୍‌ରେ ପ୍ରବେଶ କରି ସାରିଛନ୍ତି। ଆଜିର ମ୍ୟାଚ୍‌ରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ଇଣ୍ଡିଆନ୍ସ ସୂର୍ଯ୍ୟକୁମାର ଯାଦବଙ୍କ ୭୩ ରନ ବଳରେ ୫ ଓ୍ଵିକେଟ୍ ହରାଇ ୧୮୦ ରନ କରିଥିଲା। ଜବାବରେ ଦିଲ୍ଲୀ ମୁମ୍ବାଇ ବୋଲରଙ୍କ ଘାତକ ବୋଲିଂର ମୁକାବିଲା କରି ନ ପାରି ୧୮.୨ ଓଭରରେ ୧୨୧ ରନରେ ଅଲଆଉଟ୍ ହୋଇଥିଲା। ବୋଲିଂରେ ମିଚେଲ୍ ସାଣ୍ଟନର ଓ ଯଶପ୍ରୀତ ବୁମରା ୩ଟି ଲେଖାଏଁ ଓ୍ଵିକେଟ୍ ନେଇ ଦଳକୁ ସହଜ ବିଜୟ ଦେଇଛନ୍ତି। 

ଦିଲ୍ଲୀ କ୍ୟାପିଟାଲ୍ସ ୧୮୧ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ବେଳେ ଦଳ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା । ଦଳ ୨୭ ରନ ସ୍କୋରରେ ତିନି ଟପ୍ ଅର୍ଡର ବ୍ୟାଟରଙ୍କୁ ହରାଇଥିଲା । କେଏଲ ରାହୁଲ ଓପନିଂ କରି କେବଳ ୧୧ ରନ କରି ଆଉଟ୍ ହୋଇଥିବା ବେଳେ ଅଧିନାୟକ ଦାୟିତ୍ୱ ସମ୍ଭାଳିଥିବା ଫାଫ ଡୁ ପ୍ଲେସିସ୍ ୬ ଓ ଅଭିଷେକ ପୋରେଲ ୬ ରନ କରି କ୍ରିଜରେ ଅଧିକ ସମୟ ତିଷ୍ଠି ପାରି ନ ଥିଲେ । ବିପରାଜ ନିଗମ ଓ ସମୀର ରିଜଭିଙ୍କ ମଧ୍ୟରେ ଭାଗିଦାରୀ ଆରମ୍ଭ ହେବା ବେଳକୁ ବିପରାଜ ୨୦ ରନ କରି ପାଭିଲିୟନ ଫେରିବା ଦିଲ୍ଲୀକୁ ବଡ ଝଟକା ଦେଇଥିଲା । ୬୫ ରନରେ ଦିଲ୍ଲୀର ୫ ବ୍ୟାଟର ଆଉଟ୍ ହୋଇଥିଲେ । 

ଟ୍ରିଷ୍ଟନ ଷ୍ଟବ୍ସ ଓ ଆଶୁତୋଷ ଶର୍ମାଙ୍କ ପରି ବିସ୍ଫୋରକ ବ୍ୟାଟର ମଧ୍ୟ ଫ୍ଲପ୍ ମାରିଥିଲେ । ସମୀର ରିଜଭି ଗୋଟିଏ ପଟେ ଇନିଂସ ସମ୍ଭାଳି ୩୯ ରନର ଉଲ୍ଲେଖନୀୟ ଇନିଂସ ଖେଳିିଥିଲେ । ହେଲେ ତାହା ଦଳ ପାଇଁ ପର୍ଯ୍ୟାପ୍ତ ନ ଥିଲା । ଦିଲ୍ଲୀ ଏକଦା ୫ ୱିକେଟ ହରାଇ ୧୦୩ ରନ କରିଥିଲେ ହେଁ ପରବର୍ତ୍ତୀ ୧୮ ରନରେ ଦଳ ଶେଷ ୫ ୱିକେଟ ହରାଇ ପରାଜିତ ହୋଇଛି । ଦିଲ୍ଲୀର ୧୧ରୁ ୭ ବ୍ୟାଟର ଦୁଇ ଅଙ୍କ ବି ଛୁଇଁ ପାରି ନ ଥିଲେ ।

ମୁମ୍ବାଇ ପକ୍ଷରୁ ମିଚେଲ୍ ସାଣ୍ଟନର ଓ ଯଶପ୍ରୀତ ବୁମରା ଦିଲ୍ଲୀ ଇନିଂସର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ । ଗୋଟିଏ ପଟେ ସାଣ୍ଟନର ୪ ଓଭରରେ ମାତ୍ର ୧୧ ରନ ଦେଇ ୩ଟି ସଫଳତା ହାସଲ କରିଥିଲେ । ବୁମରା ୩.୨ ଓଭରରେ ମାତ୍ର ୧୨ ରନ ଦେଇ ୩ଟି ୱିକେଟ ଅକ୍ତିକାର କରିଥିଲେ । 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.