ସପ୍ତାହ ହେବ ନିଖୋଜ ଥିଲେ ମହିଳା, ଉଦ୍ଧାର ହେଲା ଖଣ୍ଡ ବିଖଣ୍ଡିତ ମୃତଦେହ

Published By : Prameya-News7 Bureau | August 23, 2022 IST

ଉଦଳା, ୨୩/୦୮: ଏକ ସପ୍ତାହ ହେବ ନିଖୋଜ ଥିଲେ । ହେଲେ ଏକ ସପ୍ତାହ ପରେ ମିଳିଲା ମୃତଦେହ । ଆଉ ମିଳିଥିବା ମୃତଦେହ ଦେଖି ଉଠିଛି ଅନେକ ପ୍ରଶ୍ନ ? କାରଣ ମହିଳାଙ୍କ ଶରୀର ପୁରା ଖଣ୍ଡ ବିଖଣ୍ଡିତ ଅବସ୍ଥାରେ ଉଦ୍ଧାର ହୋଇଛି । ଏଭଳି ଘଟଣା ଘଟିଛି ଶରତ ଥାନା ଗୁଣ୍ଡରୀସାହି ଗ୍ରାମରେ । ଗ୍ରାମ ନିକଟସ୍ଥ ସଦୁରସାହି ଦୋ ମୁହାଣୀ ନାଳ ନିକଟରୁ ଉଦ୍ଧାର ହୋଇଛି ଗୁଣ୍ଡରୀସାହି ଗ୍ରାମର ମୋଖି ସିଂଙ୍କ ମୃତଦେହ । ଗତ ୧୬ ତାରିଖ ଠାରୁ ମୋଖି ସିଂ ନିଖୋଜ ଥିବା ବେଳେ ଏ ନେଇ ତାଙ୍କ ପୁଅ ଶରତ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଆଜି ସ୍ଥାନୀୟ ଦୋମୁହାଣୀ ନାଳ ନିକଟରେ ଏକ ଖଣ୍ଡ ବିଖଣ୍ଡିତ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ମୋଖି ସିଂଙ୍କର ବୋଲି ଜାଣିବାକୁ ପାଇଥିଲା । ପରେ ପୋଲିସ ଖଣ୍ଡ ବିଖଣ୍ଡିତ ମୃତଦେହକୁ ଜବତ କରି ବ୍ୟବଛେଦ ନିମନ୍ତେ ପଠାଇଛି । ତେବେ ସବୁଠାରୁ ବଡ଼ କଥା ମୃତଦେହର କେବଳ ଦୁଇ ହାତ, ଗୋଡ଼ ଏବଂ ମୁଣ୍ଡ ମିଳିଥିବା ବେଳେ ଶରୀରର ଅନ୍ୟ ଅଂଶ ମିଳିନାହିଁ । ଯେଉଁଥିରୁ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି । ତେବେ ମୃତ ଶରୀରର ଅନ୍ୟ ଅଂଶ ଗଲା କୁଆଡେ ? ମୋଖିଙ୍କ ମୃତଦେହ ନାଳ ନିକଟକୁ ଆସିଲା କିପରି ? ତାଙ୍କୁ କେହି ବିଭତ୍ସ ଭାବେ ହତ୍ୟା କରି ଫୋପାଡ଼ି ଦେଇ ନାହିଁ ତ ? ତାହା ଏବେ ବି ସନ୍ଦେହ ଘେରରେ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.