ୟୁପି ୧୫/୦୫: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଏକ ମର୍ମନ୍ତୁଦ ଦୁର୍ଘଟଣା । ମୋହନଲାଲଗଞ୍ଜ ଅଞ୍ଚଳରେ, ଦିଲ୍ଲୀରୁ ବିହାର ଯାଉଥିବା ଏକ ସ୍ଲିପର ବସ୍ରେ ଅଗ୍ନିକାଣ୍ଡ । ଆଉ ଏହି ଅଗ୍ନିକାଣ୍ଡରେ ୫ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । କହିବାକୁ ଗଲେ ବସ୍ରେ ଯାତ୍ରା କରୁଥିଲେ ପ୍ରାୟ ୬୦ ଜଣ ଯାତ୍ରୀ । ତେବେ ଦୁର୍ଘଟଣା ପରେ ଡ୍ରାଇଭର କାଚ ଭାଙ୍ଗି ବସ୍ ରୁ ଡେଇଁ କେଉଁଆଡେ ଫେରାର୍ ହୋଇଯାଇଛି । ନିଆଁର ପ୍ରକୋପ ଏତେ ଥିଲା ଯେ, ମାତ୍ର ୧୦ମିନିଟ୍ ମଧ୍ୟରେ ବସ୍ ଟି ସମ୍ପୂର୍ଣ୍ଣ ଜଳି ପାଉଁଶ ହୋଇଗଲା।
ସୂଚନାଥାଉକି, ଲକ୍ଷ୍ନୌର ମୋହନଲାଲଗଞ୍ଜ ଅଞ୍ଚଳର କିଷାନ ପଥ ଉପରେ ଏହି ଘଟଣା ଘଟିଥିଲା । ଯେତେବେଳେ ଦିଲ୍ଲୀରୁ ବିହାର ଯାଉଥିବା ଏକ ଘରୋଇ ସ୍ଲିପର ବସ୍ ହଠାତ୍ ନିଆଁ ଲାଗିଯାଇଥିଲା। ଅଧିକାଂଶ ଯାତ୍ରୀ ଗଭୀର ନିଦରେ ଶୋଇଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। କୁହାଯାଉଛି ଯେ ନିଆଁ ଏତେ ଶୀଘ୍ର ବ୍ୟାପିଗଲା ଯେ ମାତ୍ର ୧୦ ମିନିଟ୍ ମଧ୍ୟରେ ସମ୍ପୂର୍ଣ୍ଣ ବସ୍ଟି ଜଳି ପାଉଁଶ ହୋଇଗଲା।
ବସ୍ରେ ଯାତ୍ରା କରୁଥିବା ଯାତ୍ରୀମାନେ କହିଛନ୍ତି ଯେ ଧୂଆଁ ଯୋଗୁଁ ସେମାନଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେଉଥିଲା।
ନିଆଁ ଲାଗିବା ମାତ୍ରେ ସେଠାରେ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା। ଲୋକମାନେ ଜୀବନ ବଞ୍ଚାଇବା ପାଇଁ ଦ୍ୱାର ଏବଂ ଝରକା ଆଡ଼କୁ ଦୌଡ଼ିଲେ, କିନ୍ତୁ ଡ୍ରାଇଭରଙ୍କ ଅତିରିକ୍ତ ସିଟ୍ ରାସ୍ତାକୁ ଅବରୋଧ କଲା। ଅନେକ ଯାତ୍ରୀ ଏଥିରେ ଫସି ଯାଇଥିଲେ ଏବଂ ତଳେ ପଡ଼ିଯାଇଥିଲେ ଏବଂ ବାହାରକୁ ବାହାରି ପାରି ନଥିଲେ।