ମହାକାଳ ଲୋକ ଉଦଘାଟନ କରି ଉଜ୍ଜୟିନୀର ଶୋଭା ବଢ଼ାଇଲେ ମୋଦୀ; ବଖାଣିଲେ ଉଜ୍ଜୟିନୀର ସ୍ୱତନ୍ତ୍ରତା

Published By : Prameya-News7 Bureau | October 11, 2022 IST

ଉଜ୍ଜୟିନୀ ୧୧/୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ସନ୍ଧ୍ୟାରେ ୮୫୬ କୋଟି ଟଙ୍କାର ମହାକାଳେଶ୍ୱର ମନ୍ଦିର କରିଡର୍‌ ‘ଶ୍ରୀ ମହାକାଳ ଲୋକ’ ପରିଯୋଜନାର ପ୍ରଥମ ଭାଗ ଉଦଘାଟନ କରିଛନ୍ତି। ସୂଚନାଥାଉକି, ମଧ୍ୟପ୍ରଦେଶ ଉଜ୍ଜୟିନୀର ସ୍ମାର୍ଟସିଟି ଅଧୀନରେ ୨୦୧୭ରେ ଏହି ପରିଯୋଜନା ଆରମ୍ଭ କରାଯାଇଥିଲା। ପ୍ରଧାନମନ୍ତ୍ରୀ ମୋଦୀ ଶ୍ରୀ ମହାକାଳ ଲୋକର ଲୋକାର୍ପଣ ପରେ ଏହାର ବିଶେଷତ୍ୱ ସହିତ ସ୍ୱତନ୍ତ୍ରତା ମଧ୍ୟ ବଖାଣିଥିଲେ। ସେ ମହାକାଳ ନଗର ଉଜ୍ଜୟିନୀର ବିଶେଷତ୍ୱ ବଖାଣି କହିଛନ୍ତି ଏଠାରେ ୮୪ଟି ଶିବଲିଙ୍ଗ, ୪ଟି ମହାବୀର, ୬ ବିନାୟକ, ୮ ଭୈରବ, ଅଷ୍ଟ ମାତୃକା, ନବଗ୍ରହ, ୧୦ ବିଷ୍ଣୁ, ୧୧ ରୁଦ୍ର, ୧୨୩ ଆଦିତ୍ୟ, ୨୪ ଦେବୀ, ୮୮ଟି ତିର୍ଥ ରହିଛି। ଯାହାର କେନ୍ଦ୍ରରେ ରାଜାଧିରାଜ ଶ୍ରୀ ମହାକାଳ ବିରାଜମାନ ଅଛନ୍ତି।

ସେ କହିଛନ୍ତି ମହାକାଳ ଲୋକରେ କିଛି ବି ଲୌକିକ ନୁହେଁ। ଶଙ୍କରଙ୍କ ସାନିଧ୍ୟରେ କିଛି ବି ସାଧାରଣ ନୁହେଁ। ସବୁକିଛି ଅଲୌକିକ, ଅସାଧାରଣ ଅବିସ୍ମରଣୀୟ ଓ ଅବିଶ୍ୱସନୀୟ। ମହାକାଳନଗରୀ ପ୍ରଳୟ ପ୍ରହାରରୁ ମଧ୍ୟ ମୁକ୍ତ। ଏହା ସେହି ଜାଗା ଯେଉଁଠି ଭଗବାନ ଶ୍ରୀକୃଷ୍ଣ ଦିକ୍ଷା ଗ୍ରହଣ କରିଥିଲେ। ଉଜ୍ଜୟିନୀ ଭାରତର ଆସ୍ଥା କେନ୍ଦ୍ର।

ମହାକାଳ ମନ୍ଦିରରେ ନୂଆ ତିଆରି ହୋଇଥିବା କରିଡର୍‌ରେ ୧୦୮ଟି ସ୍ତମ୍ଭ, ତିଆରି କରାଯାଇଛି। ୯୧୦ ମିଟର୍‌ ବିଶିଷ୍ଟ ଏହି ମହାକାଳ ଲୋକ ଏହି ସ୍ତମ୍ୱ ଗୁଡ଼ିକ ମାଧ୍ୟମରେ ରହିଛି। ମହାକବି କାଳି ଦାସଙ୍କ ମହାକାବ୍ୟ ମେଘଦୂତରେ ମହାକାଳ ବନର ଯେପରି ଭାବେ ବର୍ଣ୍ଣନା କରାଯାଇଛି ହଜାରେ ବର୍ଷ ପରେ ଏହାକୁ ଉଜ୍ଜୟିନୀରେ ସାକାର କରାଯାଇଛି।

ମହାକାଳ ଲୋକର କରିଡର୍‌ ପୁରୁଣା ରୁଦ୍ର ସାଗର ହ୍ରଦର ଚତୁର୍ପାର୍ଶ୍ୱରେ ବ୍ୟାପିଛି। ଉଜ୍ଜୟିନୀରେ ଥିବା ବିଶ୍ୱପ୍ରସିଦ୍ଧ ମହାକାଳେଶ୍ୱର ମନ୍ଦିରରେ ଆଖପାଖ ଅଞ୍ଚଳରେ ପୁନର୍ବିକାସ ପରିଯୋଜନା ଅଧୀନରେ ରୁଦ୍ରସାଗର ହ୍ରଦକୁ ପୁନର୍ଜୀବିତ କରାଯାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.