ଜାହାଙ୍ଗୀରପୁର ହିଂସା ଘଟଣାରେ ବଡ ଖୁଲାସା : ଦୋକାନରୁ ଟଙ୍କା ଓ ଟ୍ରକ୍‌ରୁ ରାସନ ଲୁଟି ନେଇଥିଲେ ଉପଦ୍ରବକାରୀ, ଭୟରେ ୪୦ମିନିଟ୍‌ ଦୋକାନରେ ବନ୍ଦ ରହିଥିଲେ ଦୋକାନୀ

Published By : Prameya-News7 Bureau | April 18, 2022 IST

ଜାହାଙ୍ଗୀରପୁର ୧୮।୪: ହନୁମାନ ଜୟନ୍ତୀରେ ଜାହାଙ୍ଗୀରପୁରରେ ହୋଇଥିବା ହିଂସା ବେଳେ ଉପଦ୍ରବକାରୀମାନେ କିଛି ଘଣ୍ଟା ଧରି ଉପଦ୍ରବ ସୃଷ୍ଟି କରିଥିଲେ । ଯାହବାହାନ ଭଙ୍ଗାରୁଜା କରିବା ସହ ସ୍କୁଟିରେ ନିଆଁ ଲଗାଇଦେଇଥିଲେ । ଉପଦ୍ରବକାରୀମାନେ ଟ୍ରକରୁ ରାସନ ସହ କେତେକ ଦୋକାନରୁ ନଗଦ ଟଙ୍କା ଲୁଟି ନେଇଥିଲେ । ସେମାନେ ଫାଷ୍ଟଫୁଡ୍ ଗାଡିରେ ନିଆଁ ଲଗାଇ ଦେଇଥିଲେ । ଏହି ସମୟରେ ରାସ୍ତାଘାଟରେ ପଥର ଫିଙ୍ଗା ଚାଲିଥିଲା ।

ଅଫିସରୁ ଏବଂ ଜରୁରୀ କାମରେ ଯାଇଥିବା ଲୋକଙ୍କୁ ଜଣାନଥିଲା ଯେ, ହିଂସା ପରେ ମାହୋଲ କେମିତି ରହିବ । ଶନିବାର ସନ୍ଧ୍ୟାରେ ଉତ୍ତର ପଶ୍ଚିମ ଦିଲ୍ଲୀର ଜାହାଙ୍ଗୀରପୁର ଅଞ୍ଚଳ ହିଂସାକାଣ୍ଡରେ ଜଳୁଥିଲା ।ଦୁଇ ସମ୍ପ୍ରଦାୟ ମଧ୍ୟରେ ସଂଘର୍ଷ ମଧ୍ୟରେ ପଥର ଫିଙ୍ଗା ଜାରି ରହିଥିଲା ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ଉପଦ୍ରବକାରୀଙ୍କ ସଂଖ୍ୟା ଅଧିକ ଥିବା ଯୋଗୁଁ ସେମାନଙ୍କୁ ଅଟକାଇବା କଷ୍ଟସାଧ୍ୟ ଥିଲା । ଦୋକାନରୁ ନଗଦ ଟଙ୍କା ଲୁଟିନେବା ପରେ ଜଣେ ଦୋକାନୀ ଭୟଭୀତ ହୋଇ ପ୍ରାୟ ୪୦ ମିନିଟ୍ ପର୍ଯ୍ୟନ୍ତ ଦୋକାନ ଭିତରେ ବନ୍ଦ ହୋଇ ରହିଥିଲା । ଏହି ସମୟରେ ଉପଦ୍ରବକାରୀ ଦୋକାନ ବାହାରେ ଠିଆ ହୋଇଥିବା ରାସନ ବୋଝେଇ ଟ୍ରକରୁ ଗହମ ଲୁଟି ନେଇଥିଲେ ।

ଶନିବାର ସନ୍ଧ୍ୟା ପ୍ରାୟ ୬ଟା ବେଳେ ପଥରଫିଙ୍ଗା ସହ ଉପଦ୍ରବ ଆରମ୍ଭ ହୋଇଥିଲା । ଏହି ସମୟରେ ଅଧିକାଂଶ ଚାକିରୀଆ ଲୋକ ଅଫିସ୍‌ରୁ ନିଜ ଘରକୁ ଫେରୁଥିଲେ । କିନ୍ତୁ ସନ୍ଧ୍ୟାରେ ଏଭଳି ପରିସ୍ଥିତି ଯୋଗୁଁ କିଛି ଲୋକ ନିଜ ଘର ବାହାରେ ସମ୍ପର୍କୀୟଙ୍କ ଘରେ ରହିଯାଇଥିଲେ । ପରିସ୍ଥିତିକୁ ନିୟନ୍ତ୍ରଣ କରୁଥିବାବେଳେ କିଛି ପୋଲିସ କର୍ମଚାରୀ ଆହତ ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.