ମେ’ ୩ ପରେ ବି ମଧ୍ୟ ଦିଲ୍ଲୀ-ମୁମ୍ବାଇ-କୋଲକାତା ଭଳି ମହାନଗରୀ ରହିବ ରେଡ୍ ଜୋନ୍ରେ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଜାରି କଲେ ରେଡ୍-ଅରେଞ୍ଜ-ଗ୍ରୀନ୍ରେ ରହିବ କେଉଁ ଜିଲ୍ଲା ଓ କେଉଁ ଅଞ୍ଚଳ
1/05/2020 at 12:19 PM

ନୂଆଦିଲ୍ଲୀ ୧।୫: କରୋନା ମହାମାରୀର ସଙ୍କଟ ଦିନକୁ ଦିନ ବଢୁଥିବାରୁ ଏହାକୁ ଦୃଷ୍ଟିରେ ରଖି ସରକାର ରଣନୀତି ବଦଳାଉଛନ୍ତି । ପ୍ରତ୍ୟେକ ଜିଲ୍ଲା ଓ ରାଜ୍ୟର ବର୍ତ୍ତମାନର ପରିସ୍ଥିତି ଅନୁଯାୟୀ ଆଗାମୀ ରଣନୀତି ପ୍ରସ୍ତୁତ ହେଉଛି । ବର୍ତ୍ତମାନ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ମେ’ ୩ ତାରିଖ ପରେ ଅର୍ଥାତ୍ ପରବର୍ତ୍ତୀ ସପ୍ତାହ ପାଇଁ ଜିଲ୍ଲାଗୁଡିକୁ ପୃଥକ ଭାବରେ ଭାଗ କରାଯାଇଛି । ଏବେବି ଦେଶରେ ଜିଲ୍ଲାଗୁଡିକ ରେଡ୍, ଗ୍ରୀନ୍ ଏବଂ ଅରେଞ୍ଜ ଜୋନ୍ରେ ବିଭକ୍ତ ହୋଇଛି । କିନ୍ତୁ ଏଥର ଏଥିରେ ପରିବର୍ତ୍ତନ କରାଯାଇଛି ।
ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା କେସ୍ ସଂଖ୍ୟା, ଡବଲିଂ ରେଟ୍ ଏବଂ ଟେଷ୍ଟିଂ ହିସାବରେ ଜିଲ୍ଲାଗୁଡିକର ନୂଆ ତାଲିକା ପ୍ରସ୍ତୁତ କରାଯାଇଛି । ଏଥିରେ କୁହାଯାଇଛି ଯେ କେଉଁ କେଉଁ ଜିଲ୍ଲା କେଉଁ ଜୋନ୍ରେ ଆସୁଛି ଏବଂ ସେଠାରେ କେତେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ନୂତନ ନିୟମ ଅନୁଯାୟୀ, ଯଦି ୨୧ ଦିନ ଧରି ଗୋଟିଏ ଜିଲ୍ଲାରେ କରୋନା ଭାଇରସର ନୂଆ ମାମଲା ଆସେ ନାହିଁ, ତେବେ ଏହା ଗ୍ରୀନ୍ ଜୋନ୍ରେ ରହିବ । ପୂର୍ବରୁ ଏହି ସମୟ ୨୮ ଦିନ ଥିଲା । ମେ’ ୩ ପରେ ଏହି ତାଲିକାରେ ୧୩୦ଟି ଜିଲ୍ଲାକୁ ରେଡ୍ ଜୋନ୍, ୨୮୪ ଜିଲ୍ଲାକୁ ଅରେଞ୍ଜ ଜୋନ୍ ଏବଂ ୩୧୯ ଜିଲ୍ଲାକୁ ଗ୍ରୀନ୍ ଜୋନ୍ରେ ଅନ୍ତର୍ଭୁକ୍ତ କରାଯାଇଛି ।
ଏବେ ମଧ୍ୟ ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, କୋଲକାତା, ହାଇଦ୍ରାବାଦ, ବେଙ୍ଗାଲୁରୁ, ଅହମ୍ମଦାବାଦକୁ ରେଡ୍ ଜୋନ୍ରେ ରଖିଛି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । ଏହା ବ୍ୟତୀତ ମହାରାଷ୍ଟ୍ରର ୧୪ଟି ଜିଲ୍ଲା, ଦିଲ୍ଲୀର ୧୧ଟି, ତାମିଲନାଡୁର ୧୨ଟି, ଉତ୍ତରପ୍ରଦେଶର ୧୯ଟି, ପଶ୍ଚିମବଙ୍ଗର ୧୦ଟି, ଗୁଜୁରାଟର ୯ଟି, ମଧ୍ୟପ୍ରଦେଶର ୯ଟି, ରାଜସ୍ଥାନର ୮ଟି ଜିଲ୍ଲା ରେଡ୍ ଜୋନ୍ରେ ଅନ୍ତର୍ଭୁକ୍ତ କରାଯାଇଛି ।
ବିହାରର ୨୦ଟି ଜିଲ୍ଲା, ଉତ୍ତରପ୍ରଦେଶର ୩୬ଟି, ତାମିଲନାଡୁର ୨୪ଟି, ରାଜସ୍ଥାନର ୧୯ଟି, ପଞ୍ଜାବର ୧୫ଟି, ମଧ୍ୟପ୍ରଦେଶର ୧୯ଟି, ମହାରାଷ୍ଟ୍ରର ୧୬ଟି ଜିଲ୍ଲା ଅରେଞ୍ଜ ଜୋନ୍ରେ ଅନ୍ତର୍ଭୁକ୍ତ କରାଯାଇଛି । ଏଥି ସହିତ ଆସାମର ୩୦ଟି ଜିଲ୍ଲା, ଛତିଶଗଡର ୨୫ଟି, ଅରୁଣାଚଳ ପ୍ରଦେଶର ୨୫ଟି, ମଧ୍ୟପ୍ରଦେଶର ୨୪ଟି, ଓଡିଶାର ୨୧ଟି, ଉତ୍ତରପ୍ରଦେଶର ୨୦ଟି, ଉତ୍ତରପ୍ରଦେଶର ୧୦ଟି ଜିଲ୍ଲା ଗ୍ରୀନ୍ ଜୋନ୍ର ଅନ୍ତର୍ଭୁକ୍ତ କରାଯାଇଛି ।