ସ୍କୁଲରେ କଡ଼ାକଡ଼ି ପାଳନ ହେବ ବିପର୍ଯ୍ୟୟ ପରିଚାଳନା ମାର୍ଗଦର୍ଶିକା, ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ

Published By : Prameya-News7 Bureau | July 29, 2025 IST

ନୂଆଦିଲ୍ଲୀ ୨୯।୭: ସ୍କୁଲ ପିଲାଙ୍କ ସୁରକ୍ଷାକୁ  ନେଇ ଚିନ୍ତାପ୍ରକଟ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ । ଏଣିକି ସ୍କୁଲରେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯିବ । ସେମାନଙ୍କ ମାନସିକ  ସ୍ୱାସ୍ଥ୍ୟକୁ ମଧ୍ୟ ପ୍ରାଧାନ୍ୟ ଦିଆଯିବ । କୌଣସି  ଜରୁରିକାଳୀନ ପରିସ୍ଥିତି ମୁକାବିଲା କରିବାକୁ  ଶିକ୍ଷାର୍ଥୀ ଓ ଶିକ୍ଷକଙ୍କୁ ତାଲିମ ପ୍ରଦାନ କରାଯିବ ।  ସ୍କୁଲ କୋଠାର ଗଠନାତ୍ମକ ଦୃଢ଼ତାଠୁ ଆରମ୍ଭ କରି   ବିଦ୍ୟୁତ୍‌ ଉପକରଣର ନିରାପତ୍ତା, ଅଗ୍ନି ନିର୍ବାପକ ବ୍ୟବସ୍ଥା ଆଦି ଯାଞ୍ଚ କରାଯିବ । ଏନେଇ ସମସ୍ତ  ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ କେନ୍ଦ୍ର ଶିକ୍ଷା  ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । 

ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଛାତ୍ରଛାତ୍ରୀଙ୍କ  ସୁରକ୍ଷାକୁ ଅଗ୍ରାଧିକାର ଦିଅ । ନିୟମିତ ବ୍ୟବଧାନରେ  ସ୍କୁଲର ସୁରକ୍ଷା ଯାଞ୍ଚ କର । ଜାତୀୟ ସୁରକ୍ଷା କୋଡ୍‌  ଅନୁଯାୟୀ ସ୍କୁଲ କର୍ତ୍ତୃପକ୍ଷ ନିୟମ ମାନୁଛନ୍ତି କି ନାହିଁ   ଯାଞ୍ଚ ହେବ । ବିପର୍ଯ୍ୟୟ ପରିଚାଳନା ମାର୍ଗଦର୍ଶିକା  କଡ଼ାକଡ଼ି ପାଳନ ହେବ ।    ମନ୍ତ୍ରଣାଳୟ ୫ଟି ପ୍ରସ୍ତାବ ମଧ୍ୟ ଦେଇଛି । ଏଥିରେ  ରହିଛି ପ୍ରତିରୋଧକ ସୁରକ୍ଷା ବ୍ୟବସ୍ଥା ଅନୁପାଳନ ।  ଏଥିରେ ପିଲା, ଅଭିଭାବକ ଓ ସର୍ବସାଧାରଣଙ୍କ ପାଇଁ  ଉଦ୍ଦିଷ୍ଟ ସ୍ଥାନର ସୁରକ୍ଷା ଯାଞ୍ଚ କରାଯିବ । ଏଥିସହ  ଅଗ୍ନି ନିରାପତ୍ତା, ଜରୁରିକାଳୀନ ପ୍ରସ୍ଥାନ, ବିଦ୍ୟୁତ  ୱାରିଂ ଯାଞ୍ଚ କରାଯିବ । ସେହିପରି ଜନସଚେତନତା ଓ  ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦିଆଯାଇଛି । ମକ୍‌ଡ୍ରିଲ୍‌,  ପ୍ରାଥମିକ ଚିକିତ୍ସା, ସୁରକ୍ଷା ପ୍ରୋଟୋକଲ ନେଇ ତାଲିମ  ଦିଆଯିବ । ସ୍ଥାନୀୟ ଅଗ୍ନିଶମ ବାହାନୀ, ଏନ୍‌ଡିଏମ୍‌ଏ,   ପୁଲିସ, ମେଡିକାଲ ଏଜେନ୍ସି ସହାୟତାରେ ସ୍ୱତନ୍ତ୍ର  କାର୍ଯ୍ୟକ୍ରମ କରାଯିବ । ସାଇକୋସୋସିଆଲ୍‌ ୱେଲ୍‌ବିଙ୍ଗ୍‌   (ସାମାଜିକ-ମାନସିକ ମଙ୍ଗଳ)କୁ ମଧ୍ୟ ଗୁରୁତ୍ୱ   ଦିଆଯିବ । ଏଥିରେ ମାନସିକ ସ୍ୱାସ୍ଥ୍ୟ, ଶାରିରୀକ  ସୁରକ୍ଷା, ମାନସିକ ସୁସ୍ଥତାକୁ ଅଧିକ ମାତ୍ରାରେ  ଗୁରୁତ୍ୱ ଦିଆଯିବ । ଏଥିପାଇଁ କାଉନ୍‌ସେଲିଂ କରାଯିବ ।  ରିପୋର୍ଟିଂ ମେକାନିଜିମ୍‌କୁ ତ୍ୱରାନ୍ୱିତ କରାଯିବ । ଯଦି  କୌଣସି ବିପର୍ଯ୍ୟୟରେ ପିଲାଙ୍କ କ୍ଷତି ହୋଇଥାଏ  ତେବେ ତାର ରିପୋର୍ଟ ୨୪ ଘଣ୍ଟା ମଧ୍ୟରେ ସରକାରଙ୍କୁ   କର୍ତ୍ତୃପକ୍ଷ ପ୍ରଦାନ କରିବେ । ଅଭିଭାବକ, ପିତାମାତା,  କମ୍ପ୍ୟୁନିଟି ନେତୃତ୍ୱ ଓ ସ୍ଥାନୀୟ ଲୋକଙ୍କୁ ନେଇ  ସଚେତନ କରାଯିବ । ଏହି ନିୟମ ସମସ୍ତ ସରକାରୀ,  ଘରୋଇ ସ୍କୁଲ ମାନିବା ବାଧ୍ୟତାମୂଳକ । ନଚେତ  କାର୍ଯ୍ୟାନୁଷ୍ଠାନ ହେବ ବୋଲି କୁହାଯାଇଛି ।

ଉଲ୍ଲେଖଯୋଗ୍ୟ ଯେ, ନିକଟରେ ରାଜସ୍ଥାନର ଏକ ସରକାରୀ ସ୍କୁଲର କୋଠା ଭୁଶୁଡ଼ି  ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୮ ଜଣ ଆହାତ  ହୋଇଥିଲେ । ଏହି ଘଟଣା ପରଠୁ ପିଲାଙ୍କ ସୁରକ୍ଷାକୁ  ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଚିନ୍ତାବ୍ୟକ୍ତ କରିଛି । 

You Can Read:

ଓଡ଼ିଶାରେ ବନ୍ୟା ସ୍ଥିତି ନାହିଁ : ସୁବର୍ଣ୍ଣରେଖା, ବୈତରଣୀ, ଜଳକାର ଜଳସ୍ତର କମିଛି

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.