କୁତବ ମୀନାର ପରିସରରେ ଖନନ ସହ ଆଇକନୋଗ୍ରାଫି କରିବାକୁ ASIକୁ ସଂସ୍କୃତି ମନ୍ତ୍ରାଳୟର ନିର୍ଦ୍ଦେଶ

Published By : Prameya-News7 Bureau | May 22, 2022 IST

ନୂଆଦିଲ୍ଲୀ: ଦିଲ୍ଲୀ କୁତବ ମୀନାର ନିର୍ମାଣ ନେଇ ବିବାଦ ଚାଲିଥିବା ବେଳେ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟର ନୂଆ ନିର୍ଦ୍ଦେଶ। କୁତବ ମୀନାର ପରିସରରେ ଖନନ କାର୍ଯ୍ୟ କରିବା ସହିତ ଆଇକନୋଗ୍ରାଫି କରିବାକୁ ଭାରତୀୟ ପ୍ରତ୍ନତତ୍ୱ ସର୍ଭେକ୍ଷଣ ବିଭାଗ(ASI)କୁ ନିର୍ଦ୍ଦେଶ ଦେଇଛନ୍ତି ସଂସ୍କୃତି ମନ୍ତ୍ରାଳୟ। ଏକ ଐତିହାସିକ ରିପୋର୍ଟ ଆଧାରରେ କୁତବ ମୀନାର ପରିସରରେ ଖନନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଖନନ ପରେ ନିର୍ଦ୍ଧାରିତ ସମୟ ଅନୁସାରେ ଏଏସ୍‌ଆଇ ତାର ସମସ୍ତ ରିପୋର୍ଟ ସଂସ୍କୃତି ମନ୍ତ୍ରାଳୟକୁ ଦେବାକୁ କୁହାଯାଇଛି।

ଏକ ରିପୋର୍ଟକୁ ଆଧାର କରି ଶନିବାର(ମେ ୨୧) ସଂସ୍କୃତି ସଚିବ ଗୋବିନ୍ଦ ମହାନ ଅଧିକାରୀମାନଙ୍କ ସହ ମିଶି କୁତବ ମୀନାର ସ୍ଥଳ ଗସ୍ତ କରିଥିଲେ। ୩ ଜଣ ଐତିହାସିକ, ୪ ଜଣ ଏଏସ୍‌ଆଇଏ ଅଫିସର ଓ ଗବେଷକଙ୍କ ସହ ମିଶି କୁତବ ମୀନାର ପରିସର ଭଲଭାବରେ ନିରୀକ୍ଷଣ କରିବା ପରେ ଏପରି ନିର୍ଦ୍ଦେଶ ଦେଇଛନ୍ତି ସଂସ୍କୃତି ସଚିବ। ଏଣୁ ମୀନାରର ଦକ୍ଷିଣ ଭାଗରେ ମସ୍‌ଜିଦ୍‌କୁ ୧୫ ମିଟର ଦୂରରେ ଖନନ ଆରମ୍ଭ କରାଯିବ ବୋଲି ନିଷ୍ପତ୍ତି ହୋଇଛି।

ସୂଚନା ଥାଉକି, କୁତବ ମୀନାର ନିର୍ମାଣକୁ ନେଇ ଏଏସ୍‌ଆଇର ପୂର୍ବତନ ଆଞ୍ଚଳିକ ନିର୍ଦ୍ଦେଶକ ଧରମବୀର ଶର୍ମା ଏକ ନୂଆ ଦାବି କରିଥିଲେ। ମୀନାରକୁ କୁତବଲ ଅଲ୍‌-ଦିନ ଆଇବାକ ନୁହେଁ ବରଂ ବିକ୍ରମାଦିତ୍ୟ ନିର୍ମାଣ କରାଇଥିଲେ ବୋଲି ସେ ଦାବି କରିଥିଲେ। ସୂର୍ଯ୍ୟର ଦିଗ ନିର୍ଣ୍ଣୟ ପାଇଁ ଏହାର ନିର୍ମାଣ କରାଯାଇଥିଲା ବୋଲି ସେ କହିଥିଲେ। କେବଳ ଶ୍ରୀ ଶର୍ମା ନୁହଁନ୍ତି ବିଶ୍ୱହିନ୍ଦୁ ପରିଷଦ(VHP) ପ୍ରବକ୍ତା ବିନୋଦ ବନସଲ ମଧ୍ୟ କୁତମବ ମୀନାରକୁ ବିଷ୍ଣୁ ସ୍ତମ୍ବ ବୋଲି କହିଥିଲେ। ୨୭ ହିନ୍ଦୁ-ଜୈନ ମନ୍ଦିର ଭାଙ୍ଗି ସେଥିରୁ ସାମଗ୍ରୀ ଆଣି କୁତବ ମୀନାର ନିର୍ମାଣ କରାଯାଇଥିଲା ବୋଲି ସେ ଦାବି କରିଥିଲେ।

କୁତବ ମୀନାର ଭିତରୁ ୧୨୦୦ ବର୍ଷ ପୁରୁଣା ଭଗବାନ ନରସିଂହଙ୍କର ଏକ ମୂର୍ତ୍ତି, ଶ୍ରୀ ଗଣେଷ ଓ ଶ୍ରୀକୃଷ୍ଣଙ୍କର ପୁରୁଣା ମୂର୍ତ୍ତୀ ଉଦ୍ଧାର ହୋଇଥିଲା। ଏଥିପାଇଁ କୁତବ ମୀନାରକୁ ବିଷ୍ଣୁ ସ୍ତମ୍ବ ନାଁରେ ପୁନଃ ନାମିତ କରିବାକୁ ଅନେକ ହିନ୍ଦୁ ସଂଗଠନ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ବିରୋଧରେ ହନୁମାନ ଚାଳିଶା ପଢ଼ିଥିଲେ।

୧୯୯୯ରୁ କୁତବ ମୀନାର ପରିସରର ଖନନ ହୋଇନାହିଁ କି ଗବେଷଣା ହୋଇନାହିଁ। ଏଣୁ ଖନନ ପାଇଁ ସଂସ୍କୃତି ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଛି ବୋଲି ASI ସୂଚନା ଦେଇଛି। ତେବେ କୁତବ ମୀନାର ସହିତ ଦିଲ୍ଲୀ ଲାଲ୍‌କଟ ଫର୍ଟ ଓ ମେହେରୁଲୀର ଅନଙ୍ଗତାଲରେ ମଧ୍ୟ ଖନନ କାର୍ଯ୍ୟ ହେବ ବୋଲି ସୂଚନା ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.