ଜାରି ରହିଛି ଛଟେଇ ପର୍ବ, ପୁଣି କର୍ମଚାରୀଙ୍କୁ ବିଦା କରିବ ମେଟା, ଜାଣନ୍ତୁ କାରଣ…
12/02/2023 at 2:21 PM

ନୂଆଦିଲ୍ଲୀ ୧୨।୦୨: ବିଶ୍ବରେ ଆର୍ଥିକ ମନ୍ଦାବସ୍ଥା ଯୋଗୁଁ ଅନେକ ବଡ ବଡ କମ୍ପାନୀ କର୍ମଚାରୀ ଛଟେଇ କରିଛନ୍ତି । ଏବେବି ଥମିବାର ନାଁ ନେଉନି ଛଟେଇ । ସବୁଠାରୁ ଅଧିକ ଛଟେଇ ଫେସବୁକର ପ୍ୟାରେଣ୍ଟ୍ କମ୍ପାନୀ ମେଟା । ବର୍ତ୍ତମାନ ମେଟା ବିଷୟରେ ଆଉ ଏକ ବଡ ଖବର ସାମ୍ନାକୁ ଆସୁଛି । କମ୍ପାନୀ ଆଗାମୀ ସମୟରେ ଆଉ କିଛି କର୍ମଚାରୀଙ୍କୁ ଛଟେଇ କରିପାରେ ।
ଫାଇନାନ୍ସିଆଲ୍ ଟାଇମ୍ସର ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଚଳିତବର୍ଷ ଫେସବୁକର ପ୍ୟାରେଣ୍ଟ୍ meta platforms inc ଏହାର ଅନେକ ଟିମର ବଜେଟ୍ ପ୍ରକାଶ କରି ନାହିଁ। ଏହା ପଛର କାରଣ ହେଉଛି କମ୍ପାନୀ ବର୍ତ୍ତମାନ କର୍ମଚାରୀମାନଙ୍କୁ ପୁଣି ଥରେ ଛଟେଇ କରିବାକୁ ଯୋଜନା କରୁଛି ।
ଏହାପୂର୍ବରୁ, ମେଟା ୨୦୨୨ ନଭେମ୍ବରରେ ପ୍ରାୟ ୧୧ ହଜାର କର୍ମଚାରୀଙ୍କୁ ବିଦା କରିଥିଲା । ଏହା କମ୍ପାନୀର ମୋଟ କର୍ମଚାରୀଙ୍କ ୧୩ ପ୍ରତିଶତ ଥିଲା । ପୂର୍ବରୁ କମ୍ପାନୀର ପ୍ରତିଷ୍ଠାତା ମାର୍କ ଜୁକରବର୍ଗ କହିଥିଲେ ଯେ, ଚଳିତବର୍ଷ କମ୍ପାନୀ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଭଳି ପରିସ୍ଥିତିରେ ଆମକୁ ବୁଝାମଣା ସହିତ ଆଗକୁ ବଢିବାକୁ ପଡିବ ।
ମେଟା ଅନୁଯାୟୀ, ଚଳିତ ବର୍ଷ କମ୍ପାନୀର ଖର୍ଚ୍ଚ ୮୯ ବିଲିୟନ ଡଲାର ମଧ୍ୟରେ ରହିବ। ଅନ୍ୟ ଏକ ବଡ ଟେକ୍ କମ୍ପାନୀ yahoo ମଧ୍ୟ ଏହାର କର୍ମଚାରୀଙ୍କୁ ଛଟେଇ କରିଛି। କମ୍ପାନୀ ୧୬୦୦ କର୍ମଚାରୀଙ୍କୁ ବିଦା କରିଛି । ଯାହା ପୂରା କର୍ମଚାରୀଙ୍କର ୨୦ ପ୍ରତିଶତ ଅଟେ । ଏହାପୂର୍ବରୁ, ଡିଜନି କମ୍ପାନୀ ମଧ୍ୟ ୭ ହଜାର କର୍ମଚାରୀଙ୍କୁ ବାହାରର ରାସ୍ତା ଦେଖାଇଥିଲା । ତେବେ ଏହି ସବୁ ନିଷ୍ପତି କମ୍ପାନୀର ହେଉଥିବା କ୍ଷତି କାରଣରୁ ନିଆଯାଉଥିବା କମ୍ପାନୀ ପକ୍ଷରୁ କୁହାଯାଇଛି