କୋଭିଡ୍ ସଂକ୍ରମଣ ରୋକିବାକୁ ସଫଳ ହୋଇଛି କି ମାସ୍କ, N95 କେତେ ପ୍ରଭାବୀ ? ଗବେଷଣା ରିପୋର୍ଟରେ ଆଶ୍ଚର୍ଯ୍ୟକର ଖୁଲାସା

Published By : Prameya-News7 Bureau | February 15, 2023 IST

ନୂଆଦିଲ୍ଲୀ: କରୋନା ସଂକ୍ରମଣ ରୋକିବାକୁ କେତେ ସଫଳ ହୋଇଛି ମାସ୍କ ? ଭିଡ଼ ଭିତରେ ମାସ୍କ ପିନ୍ଧିଲେ ସଂକ୍ରମଣରୁ ରକ୍ଷା ପାଇହେବ କି ? ମେଡିକାଲ ସର୍ଜିକାଲ ମାସ୍କ ନା N95 ମାସ୍କ କିଏ ସବୁଠାରୁ ଉତ୍ତମ ? କାହାକୁ ପିନ୍ଧିବା ଦରକାର କି ନୁହେଁ ? ବର୍ତ୍ତମାନ ଏସବୁ ପ୍ରଶ୍ନକୁ ନେଇ ବିଭିନ୍ନ ଦେଶର ଡିବେଟ୍ ଚାଲିଥିବା ବେଳେ ଏସମ୍ପର୍କିତ ଏକ ଗବେଷଣା ରିପୋର୍ଟ ସାମ୍ନାକୁ ଆସିଛି।

ମାସ୍କ କୋଭିଡ ସଂକ୍ରମଣକୁ ରୋକିବାରେ କେତେ ମାତ୍ରାରେ ସଫଳ ହୋଇଛି ସେ ନେଇ ବିଶ୍ୱର ବିଭିନ୍ନ ୟୁନିଭର୍ସିଟିରୁ ୧୨ ଗବେଷକ ମାନେ ବିଭିନ୍ନ ରିପୋର୍ଟକୁ ବିଶ୍ଳେଷଣ କରି ଆଶ୍ଚର୍ଯ୍ୟକର ଖୁଲାସା କରିଛନ୍ତି। ଏହି ଗବେଷଣାରେ ୭୮ଟି ପରୀକ୍ଷଣକୁ ବିଶ୍ଳେଷଣ କରାଯାଇଥିଲା। ଏଥିରେ  ୨୦୦୯ର H1N1 ଫ୍ଲୁ ମହାମାରୀ ସମୟରେ ହୋଇଥିବା ଗବେଷଣା, ତା ସହିତ ୨୦୧୬ ପର୍ଯ୍ୟନ୍ତ ସମସ୍ତ ମହାମାରୀ ଓ ଭୂତାଣ ସଂକ୍ରମିତ ସମୟ ଓ ସଂକ୍ରମିତ ବିପଦ ନଥିବା ସମୟ ସହ କୋଭିଡ୍‌ ସଂକ୍ରମଣ ସମୟ ଆଦିରେ ହୋଇଥିବା ଗବେଷଣା ଆଦି ରିପୋର୍ଟର ବିଶ୍ଳେଷଣ କରାଯାଇଥିଲା।  

ଏହି ରିପୋର୍ଟ ବିଶ୍ଳେଷଣରୁ ମିଳିଥିବା ନିଷ୍କର୍ଶ ଅନୁସାରେ, କୋଭିଡ୍ ସଂକ୍ରମଣ ରୋକିବାରେ ମାସ୍କ ସେତେ ପ୍ରଭାବୀ ନୁହେଁ। ଭିଡ଼ରେ ମାସ୍କ ପିନ୍ଧିଲେ ସଂକ୍ରମଣ ରୋକିବାରେ ବହୁତ କମ୍ ପ୍ରଭାବ ପକାଇଥାଏ। ଏକଦମ ଫରକ ନପଡ଼ିଲା ଭଳି ପାର୍ଥକ୍ୟ ଦେଖାଯାଏ ବୋଲି ଗବେଷଣାରୁ ସାମ୍ନାକୁ ଆସିଛି। ଏଥିସହିତ ମେଡିକାଲ ସର୍ଜିକାଲ ମାସ୍କ କିମ୍ବା N95 ମାସ୍କ ମଧ୍ୟରେ କୌଣସି ପ୍ରାର୍ଥକ୍ୟ ଥିବା ଜଣାପଡ଼ି ନାହିଁ ବୋଲି ଗବେଷଣାରୁ ଜଣାପଡ଼ିଛି। ବିଭିନ୍ନ ଦେଶରୁ ତଥ୍ୟ ସଂଗ୍ରହ କରି ଗବେଷକମାନେ ଏହି ରିପୋର୍ଟ ପ୍ରକାଶ କରିଛନ୍ତି। କ୍ରୋକେନ ଲାଇବ୍ରେରୀ ପକ୍ଷରୁ ଏହି ରିପୋର୍ଟ ପ୍ରକାଶ ପାଇଛି।

କ୍ରୋକେନ ଲାଇବ୍ରେରୀ ହେଉଛି ଇଂଲଣ୍ଡର ଏକ ସଂସ୍ଥା। ଯିଏ ସାରା ବିଶ୍ୱର ଡାକ୍ତରୀସେବା ଓ ମେଡିକାଲ ଉପକରଣର ମାନ, କାର୍ଯ୍ୟକାରିତା ଓ ଏହାର ପ୍ରଭାବ ଉପରେ ନିୟମିତ ଗବେଷଣା କରିଥାଏ। ବିଶ୍ୱ ସ୍ତରରେ ଏହା ଏକ ଭରସାଯୋଗ୍ୟ ଗବେଷଣାତ୍ମକ ସଂସ୍ଥା ବୋଲି ବିଚାର କରାଯାଏ। ବିଭିନ୍ନ ଦେଶରେ ସରକାରମାନେ ମାସ୍କ ପିନ୍ଧିବାକୁ ବାଧ୍ୟ କରୁଥିବା ବେଳେ ଏହା କେତେ ପ୍ରଭାବୀ ସେ ନେଇ ତର୍କ ଚାଲିଥିବା ବେଳେ କ୍ରୋକେନ ଲାଇବ୍ରେରୀ ଏହାରି ଉପରେ ଅନେକ ରିପୋର୍ଟକୁ ବିଶ୍ଳେଷଣ କରି ରିପୋର୍ଟ ଦେଇଛି।

ଗବେଷଣା ରିପୋର୍ଟରେ ଏଭଲି ନିଷ୍କର୍ଶ ବାହାରିଥିବା ବେଳେ ଅନ୍ୟ ଗବେଷକମାନେ କିନ୍ତୁ ମାସ୍କ ପିନ୍ଧିବାକୁ ଅତ୍ୟାବଶ୍ୟକୀୟ ବୋଲି କହୁଛନ୍ତି। ଏହା ସଂକ୍ରମଣକୁ ରୋକିବାରୁ ଗୁରୁ ଭୂମିକା ନିର୍ବାହ କରିଥାଏ ବୋଲି ଗବେଷକମାନେ କହୁଛନ୍ତି। ବିଶେଷକରି ବନ୍ଦ କୋଠରୀରେ ସଂକ୍ରମଣ ରୋକିବାରେ ବହୁତ ଉପକାରୀ ବୋଲି କୁହାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.