ମାର୍ଗାରେଟ୍ ଆଲଭା ହେଲେ ବିରୋଧୀଙ୍କ ଉପ ରାଷ୍ଟ୍ରପତି ପ୍ରାର୍ଥୀ, ଘୋଷଣା କଲେ ଶରଦ ପାଓ୍ଵାର

Published By : Prameya-News7 Bureau | July 17, 2022 IST

ନୂଆଦିଲ୍ଲୀ: ଉପ ରାଷ୍ଟ୍ରପତି  ନିର୍ବାଚନ ପାଇଁ ବିରୋଧୀଙ୍କ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି।ମାର୍ଗାରେଟ୍ ଆଲଭାଙ୍କୁ ଉପ ରାଷ୍ଟ୍ରପତି ପ୍ରାର୍ଥୀ କରିଛି। ଏନସିପି ଅଧ୍ୟକ୍ଷ ଶରଦ ପାଓ୍ଵାର ରବିବାର ଏହାର ଘୋଷଣା କରିଛନ୍ତି। ମାର୍ଗାରେଟ୍ ଆଲଭା ହେଉଛନ୍ତି ଗୋଆର ପୂର୍ବତନ ରାଜ୍ୟପାଳ। ସେ କର୍ଣ୍ଣାଟକ ନିବାସୀ।

ମାର୍ଗାରେଟ୍ ଆଲଭା ୧୯୪୨ ମସିହା ଏପ୍ରିଲ ୧୪ରେ କର୍ଣ୍ଣାଟକର ମାଙ୍ଗାଲୋରରେ ଜନ୍ମଗ୍ରହଣ କରିଥିଲେ। ପାଠପଢା କର୍ଣ୍ଣାଟକର ପୂରା କରିଥିଲେ। ଏହା ପରେ କଂଗ୍ରେସରେ ମିଶି ରାଜନୀତିରେ ପାଦ ଦେଇଥିଲେ। ସେ ଗୋଆର ରାଜ୍ୟପାଳ ମଧ୍ୟ ଥିଲେ। ସେ ଅଲଗା ଅଲଗା ମନ୍ତ୍ରଣାଳୟର କମିଟିର ସଦସ୍ୟ ରହିଛନ୍ତି। ୧୯୭୫ରେ କଂଗ୍ରେସ ତାଙ୍କୁ ସାଧାରଣ ସଂପାଦକ ଭାବେ ନିଯୁକ୍ତ କରିଥିଲା।   ଚାରି ଥର ରାଜ୍ୟସଭା ସାଂସଦ ରହିଥିବା ଆଲଭା ୧୯୯୯ରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ।

ସୂଚନାଯୋଗ୍ୟ, କେନ୍ଦ୍ରରେ କ୍ଷମତାସୀନ ଏନଡିଏ ଶନିବାର ଉପ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିଥିଲା। ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡଙ୍କୁ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଜେପି ସଂସଦୀୟ ବୋର୍ଡ ବୈଠକରେ ଧନଖଡଙ୍କ ନାମରେ ମୋହର ମରା ଯାଇଥିଲା। ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଉପ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଜଗଦୀପ ଧନଖଡଙ୍କ ନାମ ଘୋଷଣା କରିଥିଲେ।

ବର୍ତ୍ତମାନର ଉପରାଷ୍ଟ୍ରପତି ଭେଙ୍କୈୟା ନାଇଡୁଙ୍କ କାର୍ଯ୍ୟକାଳ ଅଗଷ୍ଟ ୧୦ରେ ଶେଷ ହେବାକୁ ଯାଉଛି। ଉପ ରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରାଯିବାର ଶେଷ ତାରିଖ ହେଉଛି ଜୁଲାଇ ୧୯। ଜୁଲାଇ ୨୦ ନାମାଙ୍କନ ପତ୍ର ଯାଞ୍ଚ ଏବଂ ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ଜୁଲାଇ ୨୨ ପର୍ଯ୍ୟନ୍ତ ରହିଛି। ଦେଶର ପରବର୍ତ୍ତୀ ଉପ ରାଷ୍ଟ୍ରପତି ନିର୍ବାଚନ ପାଇଁ ଅଗଷ୍ଟ ୬ରେ ମତଦାନ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.