ମାଲକାନଗିରିରେ ପୁଣି ଧ୍ଵଂସ ହେଲା ବଡ ମାଓ କେମ୍ପ
17/02/2020 at 3:01 PM

ମାଲକାନଗିରି ୧୭/୨: ମାଲକାନଗିରି ଜିଲ୍ଲାରେ ପୁଣି ଧ୍ଵଂସ ହେଲା ଏକ ବଡ ମାଓ କେମ୍ପ । ନକ୍ସଲ ପନ୍ଥୀଙ୍କ ଆନ୍ଧ୍ର ଓଡିଶା ସ୍ପେଶିଆଲ ଜୋନାଲ କମିଟିର ଏକ ବଡ ମାଓ ଟିମ ଖଇରପୁଟ ବ୍ଲକ ଅନ୍ତର୍ଗତ ବଣ୍ଡାଘାଟି ଅଞ୍ଚଳରେ ଠୁଳ ହୋଇ ସ୍ଥାନୀୟ ଲୋକଙ୍କୁ ମାଓ ସଂଗଠନରେ ସାମିଲ କରିବାର ଉଦ୍ୟମ କରିବା ସହ ସରକାରଙ୍କ ଉନ୍ନୟନ ମୂଳକ କାର୍ଯ୍ୟକୁ ବିରୋଧ କରିବାକୁ ଚେଷ୍ଟା କରୁଥିବାର ଗୁଇନ୍ଦା ସୂଚନା ମିଳିବା ପରେ ମାଲକାନଗିରି ଏସପିଙ୍କ ନେତୃତ୍ବରେ ଡିବିଏଫ ଓ ଏସଓଜି ବାହିନୀର ଯବାନମାନେ କୁମ୍ବିଙ୍ଗ ଅପରେସନ ଆରମ୍ଭ କରିଥିଲେ ।

ଯବାନଙ୍କ ଆସିବା ଦେଖି ମାଓବାଦି ମାନେ ପ୍ରଥମେ ଗୁଳି ଚାଳନା କରିବାରୁ ଯବାନ ମାନେ ପାଲଟା ଆକ୍ରମଣ କରିଥିଲେ। ପ୍ରାୟ ଦୁଇ ଘଣ୍ଟାରୁ ଉର୍ଦ୍ଧ ସମୟ ଧରି ଉଭୟ ପକ୍ଷରୁ ଗୁଳିବିନିମୟ ହେବା ପରେ ମାଓ ବାଦି ମାନେ ଘଟଣା ସ୍ଥଳ ଛାଡି ପଳାୟନ କରିଥିଲେ। ପରେ ଯବାନ ମାନେ ଘଟଣା ସ୍ଥଳକୁ ସର୍ଚ କରିବାରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି । ଆଗାମୀ ଦିନରେ ମଧ୍ୟ ଏଭଳି ଅପରେସନ ଜେରଦାର କରାଯିବ ବୋଲି ମାଲକାନଗିରି ଏସପି କହିଛନ୍ତି ।