‘ଭାରତରେ ବ୍ୟବହାର ହେଉଥିବା ଇଭିଏମକୁ କିପରି ହ୍ୟାକ କରାଯିବ ତାର ଉପାୟ ଅନେକ ରାଜନୈତିକ ଦଳଙ୍କୁ ଜଣା ଅଛି’
22/01/2019 at 6:53 PM

୧୯ ନିର୍ବାଚନ ପାଇଁ ସବୁ ରାଜନୈତିକ ଦଳ ଅଣ୍ଟାଭିଡ଼ିଥିବା ବେଳେ ପୁଣି ଥରେ ଇଭିଏମକୁ ନେଇ ବିବାଦ ମୁଣ୍ଡ ଟେକିଛି । ଇଭିଏମ ହାକାଥନ ନେଇ ଲଣ୍ଡନରେ ସାମ୍ବାଦିକ ସମ୍ମିଳନୀରେ ୨୦୧୪ ସାଧାରଣ ନିର୍ବାଚନ ହ୍ୟାକ କରାଯାଇଥିବା ସାଇବର ଏକ୍ସପର୍ଟ ସୟଦ ସୁଜାଙ୍କ ବିସ୍ଫୋରକ ବୟାନ ପରେ ଇଭିଏମକୁ ନେଇ ଶାସକ ଓ ବିରୋଧୀ ମଧ୍ୟର ଚାଲିଛି ଆରୋପ ପ୍ରତ୍ୟାରୋପ।

ପୁଣି ଥରେ ଇଭିଏମର ବିଶ୍ବସନୀୟତା ନେଇ ବିବାଦ । ଇଭିଏମ ହାକାଥନ ନେଇ ଲଣ୍ଡନରେ ସାମ୍ବାଦିକ ସମ୍ମିଳନୀ ପରେ ଇଭିଏମକୁ ନେଇ ଜାତୀୟ ରାଜନୀତିରେ ଚର୍ଚ୍ଚା ଗରମ ହୋଇଛି । ସାଇବର ଏକ୍ସପର୍ଟ ସୟଦ ସୁଜାଙ୍କ ଲଣ୍ଡନର ସାମ୍ବାଦିକ ସମ୍ମିଳନୀହିଁ ଏବେ କଳିର ମଞ୍ଜି ହୋଇଛି। ୨୦୧୪ରେ ଇଭିଏମ ହ୍ୟାକ ହୋଇଥିଲା। ଏମିତି କିଛି କହି ସେ ଭାରତୀୟ ରାଜନୀତିରେ ଝଡ଼ ସୃଷ୍ଟି କରିଛନ୍ତି । ଭାରତରେ ବ୍ୟବହାର ହେଉଥିବା ଇଭିଏମକୁ କିପରି ହ୍ୟାକ କରାଯିବ ତାର ଉପାୟ ଭାରତର ଅନେକ ରାଜନୈତିକ ଦଳଙ୍କୁ ଜଣା ଅଛି। ଇଭିଏମ ହ୍ୟାକିଂ ବାବଦରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଗୋପୀନାଥ ମୁଣ୍ଡେଙ୍କୁ ଜଣାଥିଲା ଆଉ ଖାସ୍ ସେଥିପାଇଁ ତାଙ୍କୁ ହତ୍ୟା କରାଯାଇଥିଲା ବୋଲି ସୟଦ କହିଛନ୍ତି । ବିଜେପିକୁ ଇଭିଏମ ହ୍ୟାକ କରିବାରେ ଟେଲିକମ କମ୍ପାନୀ ରିଲାଏନ୍ସ ସହଯୋଗ କରିଥିଲା ବୋଲି ସୁଜା କହିଛନ୍ତି ।

ଇଭିଏମ ବିଶ୍ବସନୀୟତା ନେଇ ପୁଣି ଥରେ ବିବାଦ ବଢୁଥିବାରୁ ଅନେକ ରାଜନୈତିକ ଦଳର ନେତାଏ ପୁଣି ଥରେ ବାଲଟ ପେପର ମାଧ୍ୟମରେ ଭୋଟିଂ କରାଯିବାକୁ ନିର୍ବାଚନ ଆୟୋଗଙ୍କୁ କହିଛନ୍ତି । ୨୦୧୯ରେ ଇଭିଏମର ବିଶ୍ବସନୀୟତା ଉପରେ ପ୍ରଶ୍ନ ଉଠାଇଛି କଂଗ୍ରେସ । ସେପଟେ ଲଣ୍ଡନରେ ଇଭିଏମ ହ୍ୟାକାଥନ ସାମ୍ବାଦିକ ସମ୍ମିଳନୀ ନେଇ କଂଗ୍ରେସକୁ ଆଟାକ କରିଛନ୍ତି କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ । ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା କପିଲ ସିବଲଙ୍କ ଉପସ୍ଥିତି ନେଇ ପ୍ରଶ୍ନ କରିଛନ୍ତି ପ୍ରସାଦ। ସୟଦଙ୍କ ଅଭିଯୋଗର ତଦନ୍ତ ପରେ ରିପୋର୍ଟକୁ ସାର୍ବଜନୀନ କରାଯିବ ବୋଲି ପ୍ରସାଦ କହିଛନ୍ତି । ସେପଟେ ନିଜେ ସିବ୍ବଲ ସଫେଇ ଦେଇଛନ୍ତି ସେ ଲଣ୍ଡନରେ କରୁଥିଲେ କଣ ।

ସେପଟେ କିନ୍ତୁ ନିର୍ବାଚନ କମିଶନ ଏଭଳି ଦାବିକୁ ସିଧା ପ୍ରତ୍ୟାଖ୍ୟାନ କରିଛନ୍ତି। । ଇଭିଏମ ହ୍ୟାକ ନେଇ ଲଣ୍ଡନ ସାମ୍ବାଦିକ ସମ୍ମିଳନୀରେ ସାଇବର ଏକ୍ସପର୍ଟ ସୟଦ ସୁଜାଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ନିର୍ବାଚନ ଆୟୋଗ ।