ଫୁଲୁଛି ମହାନଦୀ : ବାଙ୍କୀ-ଡମପଡା ଅଞ୍ଚଳର ଶହଶହ ଏକର ଚାଷଜମି ଜଳମଗ୍ନ, ବିଭିନ୍ନ ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ

Published By : Prameya-News7 Bureau | August 30, 2018 IST

ବାଙ୍କୀ  ୩୦|୮:  ବାଙ୍କୀ ବନ୍ୟା ପରିସ୍ଥିତି ସଂଗୀନ ହେବାରେ ଲାଗିଛି । ଗତକାଲି ମହାନଦୀରେ ବନ୍ୟାଜଳ ଆସିବାଯୋଗୁଁ  ଘୋଡ଼ବର ଗ୍ରାମ ନିକଟରେ ଥିବା ହୁଲୁହୁଳା ପୋଲ ଉପରେ ୨ଫୁଟର ବନ୍ୟାଜଳ ପ୍ରବାହିତ ହୋଇଥିଲା । ଫଳରେ ରତାଗଡ ଘୋଡ଼ବର ଯୋଗାଯୋଗ ହୋଇପାରିନଥିଲା । ହେଲେ ସନ୍ଧ୍ୟାରେ ପାଣି କମିଯିବାରୁ ଯାତାୟତ ସ୍ବାଭାବିକ ହୋଇଥିଲା । ଆଜି ସକାଳୁ ପୁଣି ମହାନଦୀର ଜଳସ୍ତର ବଢ଼ିବାରେ ଲାଗିଛି । ଫଳରେ ପୁଣି ହୁଲୁହୁଳା ପୋଲ ଉପରେ ଏବେ ୪ଫୁଟ ବନ୍ୟାଜଳ ପ୍ରବାହିତ ହେଉଛି ।  ରତାଗଡ ଘୋଡ଼ବର ଆଦି ୬ଟି ପଂଚାୟତର ଲୋକେ ଯାତାୟତ କରିବାରେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେପଟେ ସିମିଳିପୁର ପଞ୍ଚାୟତ ନିକଟ କଇଁଆ ନାଳ ଉପରେ ୨ଫୁଟର ବନ୍ୟାଜଳ ପ୍ରବାହିତ ହେବା ଯୋଗୁଁ ବିଲିପଡା ଓ ସିମିଳିପୁର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଫଳରେ ଶହ ଶହ ଏକର ଧାନ ଜମି ଜଳମଗ୍ନ ହେବା ଯୋଗୁଁ ଏବେ ଚିନ୍ତାରେ  ପଡିଯାଇଛି ଚାଷୀ । ବାଙ୍କୀ ପ୍ରଶାସନ ବନ୍ୟାପ୍ଲାବିତ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏମାନଙ୍କ ମଧ୍ୟରେ ବାଙ୍କୀର ଉପଜିଲ୍ଲାପାଳ ଅରୁଣ କୁମାର ବିଶ୍ବାଳ, ତହସିଲଦାର ପଦ୍ମ ଚରଣ ସାହୁ ବିଡ଼ିଓ ପ୍ରଭାତ କୁମାର ସାହୁ ପ୍ରମୁଖ ବନ୍ୟା ଅଞ୍ଚଳ ଅପରାହ୍ନରେ ବୁଲି ଦେଖିଛନ୍ତି । କୌଣସି ସ୍ଥାନରେ ରିଲିଫ୍ ଏପର୍ଯ୍ୟନ୍ତ ଦିଆଯାଇନାହିଁ । ପ୍ରଶାସନ ସଜାଗଥିବା ସହ ରିଲିଫ୍ ସାମଗ୍ରୀ ମହଜୁଦ ଥିବା ଦର୍ଶାଇଛନ୍ତି । ଆଗକୁ ପରିସ୍ଥିତି ଦେଖି  ରିଲିଫ୍ ଦେବାର ବ୍ୟବସ୍ଥା ରହିଛି ବୋଲି କହିଛନ୍ତି ବାଙ୍କୀ ଉପଜିଲ୍ଲାପାଳ । ଏବେସୁଧା ବାଙ୍କୀ ବ୍ଲକର ୬ଟି ପଂଚୟତ, ବାଙ୍କୀ ଡମପଡା ବ୍ଲକର ୯ ଟି ପଞ୍ଚାୟତର  ଚାଷ ଜମି ଜଳମଗ୍ନ ହୋଇଛି ।  ଆଗକୁ ଯଦି ଏଭଳି ଭାବରେ ବନ୍ୟାପଣି ମାଡିଚାଲେ ତେବେ ଆହୁରି ଅଧିକ ଚାଷ ଜମି କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.