ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲା: ଜୁନ ୨ ଯାଏ ବଢ଼ିଲା ସିସୋଦିଆଙ୍କ ବିଚାର ବିଭାଗୀୟ ହାଜତ ଅବଧି

Published By : Prameya-News7 Bureau | May 12, 2023 IST

ନୂଆଦିଲ୍ଲୀ: ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ପୁଣି ବଢ଼ିଲା ମନୀଷ ସିସୋଦିଆଙ୍କ ବିଚାର ବିଭାଗୀୟ ହାଜତ ଅବଧି। ଶୁକ୍ରବାର ଦିଲ୍ଲୀର ରାଉଜ୍ ଏଭିନ୍ୟୁ କୋର୍ଟ ସିସୋଦିଆଙ୍କ ବିଚାର ବିଭାଗୀୟ ହାଜତ ଅବଧିକୁ ଜୁନ ୨ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି।

ଏହି ମାମଲାରେ ସିସୋଦିଆ ଏପ୍ରିଲ ୩ ତାରିଖରେ ହାଇକୋର୍ଟ ଯାଇ ଅନ୍ତରୀଣ ଜାମିନ ଆବେଦନ କରିଥିଲେ। ପତ୍ନୀଙ୍କ ଅସୁସ୍ଥତା କାରଣ ଦର୍ଶାଇ ସିସୋଦିଆ ଜାମିନ ଆବେଦନ କରିଥିଲେ। ଗୁରୁବାର ଜାମିନ ଆବେଦନର ଶୁଣାଣି କରି କୋର୍ଟ ରାୟ ସଂରକ୍ଷିତ ରଖିଥିଲେ।

ତେବେ ମନୀଷ ଯେମିତି ତାଙ୍କ ଅସୁସ୍ଥ ପତ୍ନୀଙ୍କ ସହ କଥା ହୋଇପାରିବେ ସେ ନେଇ ଭିଡିଓ କନଫରେନ୍ସିଂର ସୁବିଧା କରିବାକୁ ଜଷ୍ଟିସ ଦିନେଶ କୁମାର ଶର୍ମା ଜେଲ୍ ସୁପରିଟେଣ୍ଡେଣ୍ଟଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଦିନେ ଛାଡ଼ି ଦିନେ ଅପରାହ୍ନ ୩-୪ ଟା ମଧ୍ୟରେ ସିସୋଦିଆ ପତ୍ନୀଙ୍କ ସହ ଭିଡିଓ କନଫରେନ୍ସିଂରେ କଥା ହୋଇପାରିବେ ବୋଲି ବିଚାରପତି ନିର୍ଦ୍ଦେଶ ଦେଇଥିଲେ। ଜାମିନ ଆବେଦନର ଶୁଣାଣି ନ ହେବା ପର୍ଯ୍ୟନ୍ତ ଏଭଳି ସୁବିଧା ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

ତେବେ ବୁଧବାର ସିବିଆଇ ସିସୋଦିଆଙ୍କ ଜାମିନକୁ ବିରୋଧ କରିଥିଲା। ସିସୋଦିଆଙ୍କ ଦିଲ୍ଲୀ ସରକାରରେ କ୍ଷମତାର ଥିଲେ। ତାଙ୍କର ରାଜନୈତିକ ପ୍ରଭାବ ପଡ଼ିପାରେ ବୋଲି ସିବିଆଇ କୋର୍ଟରେ ଦାବି କରିଥିଲେ। ଗତ ସୋମବାର ଦିଲ୍ଲା କୋର୍ଟ ମେ ୨୩ ଯାଏ ସିସୋଦିଆଙ୍କ ବିଚାର ବିଭାଗୀୟ ହାଜତ ଅବଧି ବୃଦ୍ଧି କରିଥିଲେ।

ସୂଚନା ଥାଉକି ଆର୍ଥିକ ହେର୍‌ଫେର୍ ଅଭିଯୋଗରେ ଇଡି ମାର୍ଚ୍ଚ ୯ ତାରିଖରେ ସିସୋଦିଆଙ୍କୁ ଗିରଫ କରିଥିଲା। ତେବେ ତା ପୂର୍ବରୁ ସିବିଆଇ ଫେବ୍ରୁଆରୀ ୨୬ ତାରିଖରେ ଦିଲ୍ଲୀ ମଦ ଦୁର୍ନୀତି ଅଭିଯୋଗରେ ସିସୋଦିଆଙ୍କୁ ଗିରଫ କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.