ସିବିଆଇ କଷ୍ଟୁଡିରେ ସିସୋଦିଆଙ୍କୁ ଦିଆଯାଉଛି ମାନସିକ ନିର୍ଯାତନା : ଆମ ଆଦ୍ମୀ ପାର୍ଟି
5/03/2023 at 9:16 PM

ନୂଆଦିଲ୍ଲୀ: ସିବିଆଇ କଷ୍ଟୁଡିରେ ମନୀଷ ସିସୋଦିଆଙ୍କୁ ମାନସିକ ନିର୍ଯାତନା ଦିଆଯାଉଛି। ଏକ ମିଛ ରାଜିନାମାରେ ତାଙ୍କୁ ଦସ୍ତଖତ କରିବାକୁ ବାଧ୍ୟ କରାଯାଉଛି ବୋଲି କହି ସିବିଆଇ ବିରୋଧରେ ସଂଗୀନ ଅଭିଯୋଗ ଆଣିଲା ଆପ୍। ରବିବାର ଦଳର ବରିଷ୍ଠ ନେତା ତଥା ସାଂସଦ ସଞ୍ଜୟ ସିଂହ ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ କରି ଏଭଳି ଅଭିଯୋଗ କରିଛନ୍ତି।
ସେ କହିଛନ୍ତି ଯେ ଆଜି ଆମେ ଏକ ଘଟଣା ବିଷୟରେ ଖୁଲାସା କରିବାକୁ ଯାଉଛୁ। ଗତ ୬ ଦିନ ହେଲା ମନୀଷ ସିସୋଦିଆଙ୍କୁ ସିବିଆଇ କଷ୍ଟୁଡିରେ ନିଆଯାଇଛି। ହେଲେ ଆମେ ଖବର ପାଉଛୁ ଯେ ସେଠାରେ ତାଙ୍କୁ ମାନସିକ ନିର୍ଯାତନା ଦିଆଯାଉଛି। ମିଛ ରାଜିନାମାରେ ଦସ୍ତଖତ କରିବାକୁ ତାଙ୍କୁ ବାଧ୍ୟ କରାଯାଉଛି ବୋଲି ସଞ୍ଜୟ ସିଂହ ଅଭିଯୋଗ କରିଛନ୍ତି। କୋର୍ଟରେ ସିସୋଦିଆ ଓ ତାଙ୍କ ଓକିଲ ନିଜେ ଏହି କଥାର ଖୁଲାସ କରିଛନ୍ତି ବୋଲି ସଞ୍ଜୟ କହିଛନ୍ତି।
ସେ ଆହୁରି କହିଛନ୍ତି ” ମୋଦି ଜୀଙ୍କର ପ୍ରତାରଣ, ଉତ୍ପୀଡ଼ନ ଓ କାର୍ଯ୍ୟାନୁଷ୍ଠାନ ଏମିତି ବଢ଼ିଯାଇଛି ଯେ ଯେଉଁ ବ୍ୟକ୍ତି ଦିଲ୍ଲୀର ୧୮ ଲକ୍ଷ ପିଲାଙ୍କୁ ଭଲ ଶିକ୍ଷା ଦେବାକୁ ଦିନ ରାତି ପରିଶ୍ରମ କରିଥିଲେ। ଯେଉଁ ବ୍ୟକ୍ତିଙ୍କ ଶିକ୍ଷା ମଡେଲକୁ ପୂରା ଦୁନିଆ ମାନୁଛି। ଆମେରିକା ରାଷ୍ଟ୍ରପତିଙ୍କ ପତ୍ନୀ ଭାରତ ଆସି ଦିଲ୍ଲୀର ସ୍କୁଲ୍ ଦେଖିବାକୁ ଆସୁଛନ୍ତି। ଆଜି ସେହି ମନୀଷ ସିସୋଦିଆଙ୍କୁ ସିବିଆଇରେ ମାନସିକ ନିର୍ଯାତନା ଦିଆଯଉଛି। ତାଙ୍କର ମେଣ୍ଟାଲ ହାରାସମେଣ୍ଟ କରାଯାଉଛି। ଜାଣିଶୁଣି କୁହାଯାଉଛି ଯେ ସବୁ ଅଭିଯୋଗ ଆମେ ଏକ କାଗଜରେ ଲେଖି ଦେଉଛୁ, ଏଥିରେ ସାଇନ୍ କରିଦିଅ। କାଲି ଅଦାଲତରେ ମନୀଷ ସିସୋଦିଆ ଓ ତାଙ୍କ ଓକିଲ କୋର୍ଟରେ କହିଛନ୍ତି। କୋର୍ଟ ଏହାର ସଂଜ୍ଞାନ ନେବେ ବୋଲି ମୁଁ ଆଶା କରୁଛି।”
Modi जी द्वारा उत्पीड़न इस क़दर बढ़ गया है-
— AAP (@AamAadmiParty) March 5, 2023
जिस @msisodia के शिक्षा मॉडल की चर्चा दुनिया भर में होती है
मोदी जी की CBI कागज़ पर आरोप लिखकर ज़बरदस्ती Sign करवाने के लिए उनका मानसिक उत्पीड़न कर रही है
ये बात Manish जी और उनके वकील ने कोर्ट में कही है
– @SanjayAzadSln pic.twitter.com/jJkA8RTDHb
ବିନା କୌଣସି ପ୍ରମାଣରେ ସିସୋଦିଆଙ୍କ ଉପରେ ଚାପ ପକାଉଛନ୍ତି ବୋଲି ସଞ୍ଜୟ ସିଂହ କହିଥିବା ବେଳେ ସିବିଆଇ ପକ୍ଷରୁ ଆପ୍ର ଅଭିଯୋଗ ନେଇ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇ ନାହିଁ।
ତେବେ ନିୟମ କହୁଛି ସିଆର୍ପିସିର ଧାରା ୧୬୧ ଅନୁସାରେ ସିବିଆଇ ରେକର୍ଡ କରିଥିବା ବୟାନ ପ୍ରମାଣ ଆକାରରେ ନିଆଯାଇ ପାରିବ ନାହିଁ। ସ୍ୱୀକାରୋକ୍ତି ବୟାନ କେବଳ ମାଜିଷ୍ଟ୍ରେଟ୍ଙ୍କ ଅଧିନରେ ହେବ ବୋଲି ସିଆର୍ପିସି ଧାରା ୧୬୪ରେ ଉଲ୍ଲେଖ ରହିଛି।
ମଦ ଦୁର୍ନୀତି ମାମଲାରେ ସିସୋଦିଆଙ୍କୁ ଗତ ରବିବାର ସିବିଆଇ ଗିରଫ କରିବା ପରେ ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ରିମାଣ୍ଡରେ ନେଇଥିଲା। ଗତକାଲି ତାଙ୍କ ରିମାଣ୍ଡ ଅବଧିକୁ ଦୁଇଦିନ ବଢ଼ାଇ ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ କରିଦିଆଯାଇଛି।
ଗତକାଲି କୋର୍ଟରେ ଶୁଣାଣି ବେଳେ ସିସୋଦିଆ ଅଭିଯୋଗ କରିଥିଲେ ଯେ ସିବିଆଇ ତାଙ୍କୁ ସମାନ ପ୍ରଶ୍ନ ବାରମ୍ବାର ପଚାରି ତାଙ୍କୁ ମାନସିକ ନିର୍ଯାତନା ଦେଉଛି। ତାଙ୍କୁ ୮ ଘଣ୍ଟା ବସାଇ ଗୋଟିଏ ପ୍ରଶ୍ନକୁ ବାରମ୍ବାର ପଚରାଯାଉଛି ବୋଲି ସିସୋଦିଆ କୋର୍ଟଙ୍କୁ କହିଥିଲେ।
ମାମଲାର ଶୁଣାଣି କରୁଥିବା ବିଚାରପତି ସିବିଆଇକୁ କହିଥିଲେ ଯେ ଅଭିଯୁକ୍ତଙ୍କୁ ଥାର୍ଡ ଡିଗ୍ରୀ ଚାର୍ଜ କରିପାରିବନି କି ଗୋଟିଏ ପ୍ରଶ୍ନ ବାରମ୍ବାର ପଚାରିପାରିବନି। ଯଦି କିଛି ନୂଆ ପ୍ରଶ୍ନ ଅଛି ତେବେ ପଚାର ବୋଲି ବିଚାରପତି ସିବିଆଇକୁ କହିଥିଲେ। ଅନ୍ୟପଟେ ସିବିଆଇ ମଧ୍ୟ ସିସୋଦିଆଙ୍କ ଉପରେ ପାଲଟା ଅଭିଯୋଗ ଆଣିଛି। ସିସୋଦିଆ ତଦନ୍ତରେ ସହଯୋଗ କରୁନାହାନ୍ତି। ବୁଲେଇ ବଙ୍କେଇ ପ୍ରଶ୍ନ ଏଡ଼ାଇବାକୁ ଚାହୁଁଛନ୍ତି ବୋଲି ସିବିଆଇ କୋର୍ଟରେ କହିଥିଲେ।