କ୍ରମାଗତ ଦ୍ବିତୀୟ ଥର ତ୍ରିପୁରା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମାଣିକ ଶାହ
8/03/2023 at 5:03 PM

ନୂଆଦିଲ୍ଲୀ, ୦୮/୦୩: ତ୍ରିପୁରାରେ ମାଣିକ ଶାହ ବୁଧବାର ମୁଖ୍ୟମନ୍ତ୍ରୀ ପଦର ଶପଥ ନେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ସେ ମୁଖ୍ୟମନ୍ତ୍ରୀ ପଦର ଶପଥ ନେଇଛନ୍ତି। ଏହି ସମୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ଭାଜପା ଅଧ୍ୟକ୍ଷ ଜେପି ନଡ୍ହା ମଧ୍ୟ ଶପଥ ଗ୍ରହଣ ସମାରୋହରେ ଉପସ୍ଥିତ ରହିଥିଲେ। ମାଣିକ ଶାହା ସୋମବାର ୬ ମାର୍ଚ୍ଚ ରେ ସର୍ବସମ୍ମତିରେ ବିଧାୟକ ଦଳ ନେତା ଭାବରେ ନିଯୁକ୍ତ ହୋଇଥିଲେ। ମାଣିକ ଶାହାଙ୍କ ସହ ସମୁଦାୟ ୯ ବିଧାୟକ ମନ୍ତ୍ରୀ ପଦ ପାଇଁ ଶପଥ ନେଇଛନ୍ତି।
ମାଣିକ ଶାହାଙ୍କ ପରେ ବିଧାୟକ ରତନ ଲାଲ ନାଥ, ସାନ୍ତନା ଚକମା, ସୁଶାନ୍ତା ଚୌଧୁରୀ, ଟିଙ୍କୁ ରଏ, ପ୍ରଣଜୀତ ସିଂଘା ରଏ ବିକାଶ ଦେବବର୍ମା, ସୁଧାଂଶୁ ଦାସ, ଶୁକ୍ଲା ଚରଣ ନାଆତିୟା ମନ୍ତ୍ରୀ ପଦ ପାଇଁ ଶପଥ ନେଇଛନ୍ତି।
ରାଜ୍ୟପାଳ ଏସଏନ ଆର୍ଯ୍ୟ ମାଣିକ ଶାହାଙ୍କୁ ରାଜ୍ୟର ୧୨ ତମ ମୁଖ୍ୟମନ୍ତ୍ରୀଙ୍କ ଭାବରେ ଶପଥପାଠ କରାଇଛନ୍ତି। ସେହିଭଳି ତ୍ରିପୁରା କଂଗ୍ରେସ, ନିର୍ବାଚନ ପରେ ହୋଇଥିବା ହିଂସା ପରେ ଶପଥ ସମାରୋହର ବହିଷ୍କାର କରିଛି।
ତ୍ରିପୁରାରେ ନିକଟରେ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପି ୬୦ ବିଧାନସଭା ସିଟ୍ରେ ୩୨ ସିଟ୍ରେ ଜିତିଛି। ଯେତେବେଳେକି ସହଯୋଗୀ ଆଇପିଏଫଟି ଗୋଟିଏ ସିଟ୍ ହାସଲ କରିବାରେ ସଫଳ ହୋଇଛି। ଏହି ନିର୍ବାଚନରେ ବିଜେପି ଏବଂ ଆଇପିଏଫଟି ମିଶି ନିର୍ବାଚନ ଲଢ଼ିଛନ୍ତି। ବିଜେପି ତରଫରୁ ୫୫ ସିଟ୍ ରେ ଏହାର ପ୍ରାର୍ଥୀ ଓହ୍ଲାଇଥିବାବେଳେ ସହଯୋଗୀ ଆଇପିଏଫଟି ୫ ସିଟ୍ରେ ନିର୍ବାଚନ ଲଢ଼ିଥିଲା।