ଚାରିମାସ ରହିଲେ, ୫ ଷ୍ଟାର ହୋଟେଲକୁ ୨୩ ଲକ୍ଷର ଚୂନା ଲଗାଇଲେ, ଦୁବାଇ ରାଜପରିବାର ସଂପର୍କୀୟ ବୋଲି ଦେଇଥିଲେ ପରିଚୟ

Published By : Prameya-News7 Bureau | January 17, 2023 IST

ନୂଆଦିଲ୍ଳୀ, ୧୭/୦୧: ନିଜକୁ କହିଲେ ରାଜ ପରିବାରର କର୍ମଚାରୀ। ହୋଟେଲରେ ରହିଲେ ୪ ମାସ। ଆଉ ଟଙ୍କା ନଦେଇ ଚାଲିଗଲେ। ଏଭଳି ଏକ ଠକେଇ ଘଟଣା ଘଟିଛି ଦିଲ୍ଳୀର ଏକ ପଞ୍ଚତାରକା ହୋଟେଲରେ। ଯେଉଁଠାରେ ଜଣେ ବ୍ୟକ୍ତି ନିଜକୁ ଆବୁ ଧାବିର ରାଜ ପରିବାର କର୍ମଚାରୀ କହି ରହୁଥିଲେ। ଆଉ ଲକ୍ଷାଧିକ ଟଙ୍କାର ବିଲ୍ ପୈଠ ନକରି ଚାଲିଯାଇଛନ୍ତି।

ସୂଚନା ଅନୁଯାୟୀ, ଗତବର୍ଷ ଅଗଷ୍ଟ ୧ ତାରିଖରେ ମହମ୍ମଦ ଶରିଫ୍ ନାମକ ଜଣେ ବ୍ୟକ୍ତି ଦିଲ୍ଳୀ ଲିଲା ପ୍ୟାଲେସ୍‌ରେ ରହିବାକୁ ଆସିଥିଲେ। ସେ ନିଜକୁ ଦୁବାଇ ବାସିନ୍ଦା ବୋଲି କହିଥିଲେ ଏବଂ ଦୁବାଇ ରାଜ ପରିବାର ସହ ଜଡ଼ିତ ବୋଲି କହିଥିଲେ। ଏମିତିକି ସେ ଶେଖ୍‌ ଫଲାହ ବିନ୍ ଜାୟେଦ ଅଲ ନାୟନ ଅତି ନିକଟ କର୍ମଚାରୀ ବୋଲି ପରିଚୟ ଦେଇଥିଲେ ଏବଂ ଏହାକୁ ପ୍ରମାଣିତ କରିବା ପାଇଁ ଡକ୍ୟୁମେଣ୍ଟ ମଧ୍ୟ ଦେଖାଇଥିଲେ। ଏଠାରେ ୪୨୭ ନମ୍ବର ରୁମ୍‌ରେ ପ୍ରାୟ ୪ ମାସ ପର୍ଯ୍ୟନ୍ତ ରହିଥିଲେ। କିନ୍ତୁ ପ୍ରାୟ ୨୩ ଲକ୍ଷ ଟଙ୍କାର ବିଲ୍‌ ନଦେଇ ଚାଲିଯାଇଛନ୍ତି।

ସେ କହିଥଲେ ଯେ ଶେଖ୍‌ଙ୍କ ସହ ବ୍ୟକ୍ତିଗତ ଭାବରେ କାମ କରିଛନ୍ତି ଏବଂ ଭାରତକୁ ବ୍ୟବସାୟ ସମ୍ବନ୍ଧୀୟ କାର୍ଯ୍ୟରେ ଆସିଛନ୍ତି। ସେ ହୋଟେଲ୍‌ ଷ୍ଟାଫ୍‌ଙ୍କ ସହ ବିଭିନ୍ନ ସମୟରେ କଥାବାର୍ତ୍ତା ହେଉଥିଲେ ଏବଂ ଦୁବାଇ ବିଷୟରେ କହୁଥିଲେ। କିନ୍ତୁ ନଭେମ୍ବର ୨୦ ରେ ଚୁପ୍‌ଚାପ୍‌ ହୋଟେଲରୁ ଚାଲିଯାଇଥିଲେ। ହୋଟେଲ ରୁମ୍‌ରୁ ଅନେକ କିଛି ସାମଗ୍ରୀ ଚୋରି କରିନେଇଥିବା ଅଭିଯୋଗ କରିଛନ୍ତି ହୋଟେଲ ଷ୍ଟାଫ୍।

ରୁମ୍‌ ବିଲ୍ ଏବଂ ସେବା ବାବଦକୁ ୩୫ ଲକ୍ଷ ଟଙ୍କା ହେଉଥିବା ବେଳେ ମାତ୍ର ୧୧.୫ ଲକ୍ଷ ଟଙ୍କା ଦେଇଛନ୍ତି। ଏବଂ ବଳକା ଟଙ୍କା ନଦେଇ ଚାଲିଯାଇଛନ୍ତି। ତେବେ ପୋଲିସ୍ ଲିଲା ପ୍ୟାଲେସ୍‌ ହୋଟେଲ୍‌ ମ୍ୟାନେଜ୍‌ମେଣ୍ଟର ଅଭିଯୋଗ ଆଧାରରେ ଅଭିଯୋଗ ରୁଜୁ କରି ତଦନ୍ତ କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.