ଗାଡ଼ି ଆଗ​ରେ ଲାଖି ରହିଥିଲେ ଟ୍ରାଫିକ୍‌ ପୋଲିସ୍‌, ଡ୍ରଗ୍ସ ନିଶାରେ ଘୋଷାଡ଼ି ନେଇଗଲା ଡ୍ରାଇଭର

Published By : Prameya-News7 Bureau | April 16, 2023 IST

ନୂଆଦିଲ୍ଳୀ, ୧୬/୦୪: ଡ୍ରଗ୍ସ ନିଶାରେ ଚୁର୍‌ ଡ୍ରାଇଭର। ଚେକିଂ ପାଇଁ ଅଟକାଇବେଳେ ଟ୍ରାଫିକ୍‌ ପୋଲିସ୍‌ ଉପରକୁ ଚଢ଼ାଇଦେଲା। ହେଲେ ସୌଭାଗ୍ୟବଶତଃ ଟ୍ରାଫିକ୍‌ ପୋଲିସ୍‌ ଜଣକ ବଞ୍ଚିଯାଇଥିଲେ ସିନା କିନ୍ତୁ ବିପଜ୍ଜନକ ଭାବରେ ଗାଡ଼ିର ଓ୍ବିଣ୍ଡ୍‌ସିଲଡ୍‌​‌ରେ ଲାଖି ରହିଥିଲେ। ଆଉ ଏହିପରି ଅବସ୍ଥାରେ ୧୦ କିମିରୁ ଅଧିକ ବାଟ ଘୋଷାଡ଼ି ନେଇଗଲା ନିଶାସକ୍ତ ଯୁବକ। ଏଭଳି ଏକ ଘଟଣା ଘଟିଛି ମହାରାଷ୍ଟ୍ରରେ। ଆଉ ସଂପୂର୍ଣ୍ଣ ଘଟଣା ଏବେ ସିସିଟିଭିରେ ରେକର୍ଡ ହେଉଛି।

ପ୍ରକୃତରେ ଟ୍ରାଫିକ୍‌ ପୋଲିସ୍‌ ଜଣକ ନିୟମିତ ଚେକିଂ କରୁଥିବା ସମୟରେ ଏହି ଘଟଣା ଘଟିଥିଲା। ଟ୍ରାଫିକ୍‌ ପୋଲିସ୍‌ ସିଦ୍ଧେଶ୍ବର ମାଲିଙ୍କୁ କାର୍‌ ଚାଳକଙ୍କ ଉପରେ ସନ୍ଦେହ ହୋଇଥିଲା। ତେଣୁ ସେ ତାଙ୍କୁ ଗାଡ଼ି ଅଟକାଇବାକୁ କହିଥିଲେ। କିନ୍ତୁ ଡ୍ରାଇଭର ଜଣକ ଗାଡ଼ି ନଅଟକାଇ ଖସିଯାଇଥିଲେ। ଆଉ ତାଙ୍କର ପିଛା କରି ଧରିଥିଲେ ସିଦ୍ଧେଶ୍ବର।

ସିଦ୍ଧେଶ୍ବର ଗାଡ଼ିକୁ ଅଟକାଇବାବେଳେ ତାଙ୍କ ଉପରକୁ ଗାଡ଼ି ଚଢ଼ାଇଦେବାକୁ ଉଦ୍ୟମ କରିଥିଲା ଡ୍ରାଇଭର ଜଣକ। ଏପରି ସ୍ଥିତିରେ ସିଦ୍ଧେଶ୍ବର ଗାଡ଼ି ଓ୍ବିଣ୍ଡ୍‌ସିଲ୍‌ଡ୍‌ରେ ଲାଖି ରହିଥିଲେ। ଆଉ ଏଭଳି ଭାବରେ ନିଶାସକ୍ତ ଡ୍ରାଇଭର ଜଣକ ତାଙ୍କୁ ପ୍ରାୟ ୧୦ କିମିରୁ ଅଧିକ ବାଟ ପର୍ଯ୍ୟନ୍ତ ଘୋଷାଡ଼ି ନେଇଯାଇଥିଲେ। ଆଉ ସେହିଭଳି ବିପଜ୍ଜନକ ଭାବରେ ଗାଡ଼ିରେ ଲାଖି ରହିଥିଲେ ଟ୍ରାଫିକ୍ ପୋଲିସ୍‌।

ତେବେ ଶେଷରେ ଏକ ପୋଲିସ୍‌ କାର୍‌ ତାଙ୍କୁ ଅଟକାଇବାରେ ସକ୍ଷମ ହୋଇଥିଲା। ଅଭିଯୁକ୍ତ ଆଦିତ୍ୟ ବେମବାଡେ।କୁ ଗିରଫ କରାଯାଇ ଡ୍ରଗ୍ସ ନିଶାରେ ହତ୍ୟା କରିବା ନେଇ ମାମଲା ରୁଜୁ ହାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.