ଢେଙ୍କାନାଳ: ବାହାଘର ବରଯାତ୍ରୀ ପ୍ରୋସେସନବେଳେ ବଡ଼ ଅଘଟଣ। ବରଯାତ୍ରୀ ଡିଜେ ଗାଡ଼ିରେ ଲାଗିଲା ୧୧ କେଭି ବିଦ୍ୟୁତ ତାର। ଫଳରେ ବିଦ୍ୟୁତ ଆଘାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବାବେଳେ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ତୁମୁସିଂହା ଥାନା କଦଳୀପାଳ ଗ୍ରାମରେ।
ସୂଚନା ଅନୁଯାୟୀ, ଢେଙ୍କାନାଳ ସହର ଗୁଡ଼ିଆନାଳୀରୁ ଏକ ବିବାହ ପ୍ରୋସେସନ ତୁମୁସିଂହା ଥାନା ଅନ୍ତର୍ଗତ କଦଳୀପାଳ କନ୍ଧସାହି ଝିଅ ଘରକୁ ଯାଉଥିଲା। ହେଲେ କଦଳୀପାଳଠାରେ ରାସ୍ତା ପାର୍ଶ୍ଵରେ ଝୁଲି ରହିଥିବା ୧୧ କେଭି ବିଦ୍ୟୁତ ତାର ଡିଜେ ଗାଡ଼ିରେ ଲାଗିଯାଇଥିଲା। ଫଳରେ ଡିଜେ ଗାଡ଼ି ବିଦ୍ୟୁତ କରେଣ୍ଟରେ ଚାର୍ଜ ହୋଇଯାଇଥିଲା। ଏମିତିରେ ଡିଜେ ଗାଡ଼ି ଉପରେ ନାଚୁଥିବା ବରଯାତ୍ରୀ କିଛି ଯୁବକ ବିଦ୍ୟୁତ ସଂସ୍ପର୍ଶରେ ଆସି ଆହତ ହୋଇଥିଲେ।
ସେମାନଙ୍କୁ ପ୍ରଥମେ ସ୍ଥାନୀୟ ଅଁଳାବେରେଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ଢେଙ୍କାନାଳ ଡାକ୍ତରଖାନାରେ ମଣ୍ଟୁ ପଲେଇ ନାମକ ଜଣେ ଯୁବକର ମୃତ୍ୟୁ ଘଟିଛି। ଘଟଣା ପରେ ତୁମୁସିଂହା ଥାନା ପୁଲିସ ଡିଜେ ଗାଡିକୁ ଜବତ କରି ତଦନ୍ତ ଆରମ୍ଭ କରିଛି।