ମୈତ୍ରେୟୀ ଲେଖିକା ସଙ୍ଗଠନର ଆଭାସୀ ଆସର, ମାଆ...ମାଟିରୁ ଆକାଶ କବିତା ପାଠ ଜିଣିଲା ମନ

Published By : Prameya-News7 Bureau | May 11, 2022 IST

ଭୁବନେଶ୍ୱର ୧୧।୦୫: ମୈତ୍ରେୟୀ ଲେଖିକା ସଙ୍ଗଠନର ଅଷ୍ଟମ ମାସିକ ଆଭାସୀ ଆସର ମେ ୮ ତାରିଖ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ଲେଖିକା ମୈତ୍ରେୟୀ ସୁନନ୍ଦା ବି ମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଆସରରେ ମୁଖ୍ୟ ଅତିଥି ଭାବେ ସୁପ୍ରତିଷ୍ଠିତ କବି ଡ. ସୁଷମା ମିଶ୍ର ଯୋଗଦେଇଥିଲେ। ସେ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କହିଥିଲେ ଯେ, "ମାଆ ନାହିଁ ତ ପାଦ ତଳର ମାଟି ନାହିଁ କି ମୁଣ୍ଡ ଉପରେ ଆକାଶ ନାହିଁ । ମାଆ ଅନ୍ତର୍ଯ୍ୟାମୀ, ମାଆର ମୃତ୍ୟୁ ନାହିଁ ।

ସେହିପରି ମୈତ୍ରେୟୀମାନଙ୍କୁ ଉଦ୍‌ବୋଧନ ଦେଇ ସଭାପତି କହିଛନ୍ତି ଯେ, ପ୍ରାପ୍ତି ଅପ୍ରାପ୍ତି ଭିତରେ ଏକ ମିଶ୍ର ଅନୁଭବ ହେଉଛି ଲେଖିକାର ଜୀବନ, ଏକ ମାଆର ଜୀବନ । ଇତ୍ୟବସରରେ ମାତୃ ଦିବସ ଉପଲକ୍ଷେ ଅନୁଷ୍ଠିତ କବିତା ଆସରରେ ମାଆ...ମାଟିରୁ ଆକାଶ, ବିଷୟବସ୍ତୁ ଆଧାରିତ ସ୍ବରଚିତ କବିତା ପାଠ କରିଥିଲେ ମୈତ୍ରେୟୀ ପଦ୍ମଜା ଶରଣ, ଡ. ଜ୍ୟୋତ୍ସ୍ନା ମଞ୍ଜରୀ ତ୍ରିପାଠୀ, ଚନ୍ଦ୍ରା ମିଶ୍ର, ନିହାରିକା ରଥ, ମିରିନା ମହାନ୍ତି ଓ ଇପ୍‌ସିତା ଷଡ଼ଙ୍ଗୀ । ପଠିତ କବିତାଗୁଡ଼ିକୁ ସମୀକ୍ଷା କରିଥିଲେ ବିଶିଷ୍ଟ କବି ବିଜୟଲକ୍ଷ୍ମୀ ପାଣିଗ୍ରାହୀ ।

ତେବେ ଏଥରର ସୃଜନୀରେ ସୁଲେଖିକା ସ୍ବାଗତିକା ସେଠୀଙ୍କର ଗଳ୍ପ ସଂକଳନ "କଲର୍ କଲର୍"କୁ ସମୀକ୍ଷା କରିଥିଲେ ସୁପରିଚିତା ଲେଖିକା ମୌସୁମୀ ଦାସ ଓ ସୁସାହିତ୍ୟିକା ମଧୁସ୍ମିତା ନାୟକ। ପ୍ରାରମ୍ଭରେ ମୈତ୍ରେୟୀ ବନ୍ଦନା ମିଶ୍ର ଭକ୍ତି ସଙ୍ଗୀତ ଗାନ କରିଥିଲେ। ଉପସ୍ଥାପିକା ମୈତ୍ରେୟୀ ମୀତା ପଟ୍ଟନାୟକ ଓ ସଂଯୋଜିକା ମୈତ୍ରେୟୀ ଶୁଚିସ୍ମିତା ମିଶ୍ରଙ୍କ ଦ୍ୱାରା କାର୍ଯ୍ୟକ୍ରମର ସଫଳ ପରିଚାଳନା ଶେଷରେ ମୈତ୍ରେୟୀ ସୁଚେତା ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.