ନୂଆଦିଲ୍ଲୀ: ପ୍ରମୁଖ ଭାରତୀୟ କାର ନିର୍ମାତା ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଏବଂ ପ୍ରମୁଖ ଅଟୋ ପାର୍ଟ୍ସ ନିର୍ମାତା ୟୁନୋ ମିଣ୍ଡା ଭାରତ ପାଇଁ ରେୟାର ଆର୍ଥ ମ୍ୟାଗନେଟ୍ ଉତ୍ପାଦନ କରିବାକୁ
ଯୋଜନା କରୁଛନ୍ତି। ଚୀନ୍ ଉପରେ ଦେଶର ନିର୍ଭରତା ହ୍ରାସ କରିବା ପାଇଁ ଭାରତ ସରକାରଙ୍କ ପ୍ରସ୍ତାବ ପରେ ଦୁଇ କମ୍ପାନୀ ଏହି ପଦକ୍ଷେପ ନେଇଛନ୍ତି। ସରକାରୀ ସୂତ୍ରରୁ ସୂଚନା ନେଇ ଏଭଳି ରିପୋର୍ଟ ପ୍ରକାଶ କରିଛି ରୟଟର୍ସ।
ବର୍ତ୍ତମାନ ବିଶ୍ୱର ପ୍ରାୟ ୯୦ ପ୍ରତିଶତ ବିରଳ ପୃଥିବୀ ଚୁମ୍ବକ ଚୀନ୍ ଯୋଗାଉଛି। ଟ୍ରମ୍ପଙ୍କ ଟାରିଫ ଧମକ ପରେ ଏପ୍ରିଲ୍ରେ, ବେଜିଂ ଏହି ଚୁମ୍ବକ ରପ୍ତାନି ଉପରେ କଟକଣା ଲଗାଇଥିଲା। ହେଲେ କଟକଣା ପରେ ଚୀନ ଆମେରିକା ଏବଂ ୟୁରୋପକୁ ଚୁମ୍ବକ ପଠାଇବା ପୁଣିଥରେ ଆରମ୍ଭ କରିଥିବା ବେଳେ, ଭାରତୀୟ କମ୍ପାନୀଗୁଡ଼ିକ ଏପର୍ଯ୍ୟନ୍ତ କ୍ଲିୟରାନ୍ସ ପାଇଁ ଅପେକ୍ଷା କରିଛନ୍ତି, ଯାହା ଘରୋଇ ଅଟୋମେକର ଏବଂ ଯୋଗାଣକାରୀଙ୍କ ମଧ୍ୟରେ ଚିନ୍ତା ସୃଷ୍ଟି କରିଛି।
ଚୀନ ଜାଣିଶୁଣି ଭାରତକୁ ଏଭଳି ହଇରାଣ କରୁଥିବା ବେଳେ ମୋଦି ସରକାର ଏବେ ଏହି ରେୟାର ଆର୍ଥ ମ୍ୟାଗ୍ନେଟ୍ର ଭଣ୍ଡାର ଏବଂ ଆତ୍ମନିର୍ଭରଶୀଳତା ପାଇଁ ଗୁରୁତ୍ୱ ଦେଉଛନ୍ତି।
ବିରଳ ଚୁମ୍ବକର ଅଭାବ ଦୂର କରିବା ପାଇଁ ସରକାର ବିରଳ ପୃଥିବୀ ଚୁମ୍ବକର ସଂରକ୍ଷଣ କରିବା ଏବଂ ସ୍ଥାନୀୟ ଉତ୍ପାଦନ ପାଇଁ ପ୍ରୋତ୍ସାହନ ପ୍ରଦାନ କରିବା ବିଷୟରେ ବିଚାର କରୁଛନ୍ତି। ଏହି ଚୁମ୍ବକଗୁଡ଼ିକ ବୈଦ୍ୟୁତିକ ଯାନ (ଇଭି), ବୈଦ୍ୟୁତିକ ନିର୍ମାଣ ଏବଂ ପ୍ରତିରକ୍ଷା ବ୍ୟବସ୍ଥା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
ଏନେଇ ଜଣେ ସରକାରୀ ବରିଷ୍ଠ ଅଧିକାରୀ କହିଛନ୍ତି “କିଛି କମ୍ପାନୀ ମହିନ୍ଦ୍ରା ସମେତ ବିରଳ ପୃଥିବୀ ଚୁମ୍ବକ ଉତ୍ପାଦନ ନିବେଶ କିମ୍ବା ସ୍ଥାପନ କରିବାକୁ ଆଗ୍ରହ ଦେଖାଇଛନ୍ତି। ଆମର ନିଜସ୍ୱ ଉତ୍ପାଦନ ପାଇଁ ବର୍ଷେ କିମ୍ବା ଦୁଇ ବର୍ଷ ସମୟ ଲାଗିବ। ତେବେ ଆମକୁ ଏ ଦିଗରେ ଆତ୍ମନିର୍ଭର ହେବାର ଉପାୟ ଖୋଜିବାକୁ ପଡିବ।”
ନିକଟରେ ଏନେଇ ଭାରୀ ଶିଳ୍ପ ମନ୍ତ୍ରଣାଳୟ ସହିତ କମ୍ପାନୀଗୁଡ଼ିକର ଏକ ବୈଠକ ହୋଇଥିଲା। ଏଥିରେ ମହିନ୍ଦ୍ରା କହିଥିଲା ଯେ ସେ ଏକ ପାର୍ଟନର୍ସିପ୍ ମାଧ୍ୟମରେ ବିରଳ ଚୁମ୍ବକ ଯୋଗାଣ କରିବାକୁ ଇଚ୍ଛୁକ ଅଛି। ଏହି ବୈଠକରେ ଯୋଗ ଦେଇଥିବା ଉନୋ ମିଣ୍ଡା ମଧ୍ୟ ଏଥିରେ ରୁଚି ଦେଖାଇଥିଲା।
ସେହିପରି ଏ ଦିଗରେ ଆଉ ଏକ କମ୍ପାନୀ ସୋନା କମଷ୍ଟାର ମଧ୍ୟ ଆଗ୍ରହ ଦେଖାଇଛି।
ଫୋର୍ଡ ଏବଂ ଷ୍ଟେଲାଣ୍ଟିସ୍ ଭଳି ଗ୍ଲୋବାଲ ଫାର୍ମଗୁଡ଼ିକୁ ଗିଅର୍ସ ଏବଂ ଇଲେକ୍ଟ୍ରିକ୍ ମୋଟର ଯୋଗାଉ କରୁଥିବା ସୋନା କମଷ୍ଟାର ପ୍ରଥମ ଭାରତୀୟ କମ୍ପାନୀ ଭାବେ ଘରୋଇ ଚୁମ୍ବକ ଉତ୍ପାଦନ କରିବାର ଯୋଜନା ଘୋଷଣା କରିଥିଲା। କମ୍ପାନୀ ଜୁନ୍ ମାସରେ ରଏଟର୍ସକୁ ଏନେଇ ପ୍ରତିକ୍ରିୟା ଦେଇଥିଲା।
ତେବେ ଏନେଇ ମହିନ୍ଦ୍ରା, ୟୁନୋ ମିଣ୍ଡା କିମ୍ବା ଭାରୀ ଶିଳ୍ପ ମନ୍ତ୍ରଣାଳୟ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି।
ତେବେ ଦୁଇ କମ୍ପାନୀଙ୍କର ନିବେଶ ନିଷ୍ପତ୍ତି ନେଇ ଏବେ ବି ଆଲୋଚନା ଜାରି ରହିଛି। ଏବଂ କଞ୍ଚାମାଲ ଉପଲବ୍ଧତା ଏବଂ ସରକାରୀ ପ୍ରୋତ୍ସାହନ ଉପରେ ନିର୍ଭର କରିବାର ସମ୍ଭାବନା ରହିଛି।
ଭାରତରେ ବିଶ୍ୱର ପଞ୍ଚମ ବୃହତ ବିରଳ ପୃଥିବୀ ଖଣିଜ ପଦାର୍ଥର ଭଣ୍ଡାର ରହିଛି। ତେଣୁ କଞ୍ଚାମାଲ ଉପଲବ୍ଧତା ନେଇ କୌଣସି ଚିନ୍ତା ନାହିଁ। ତଥାପି, ଏହି ଖଣିଜ ପଦାର୍ଥକୁ ବାହାର କରିବା ଏବଂ ଏହାର ପ୍ରୋସେସିଂ କରିବା ଓ ନିୟାମକ କଟକଣା ଆଦି ସମସ୍ୟା ରହିଥିବା କାରଣୁ ଏ ଦିଗରେ ସେତେଟା ବିକାଶ ହୋଇପାରି ନାହିଁ।
ଭାରତରେ ବିରଳ ପୃଥିବୀ ଖଣି ବର୍ତ୍ତମାନ ଏକ ସରକାରୀ ମାଲିକାନା ସଂସ୍ଥା ଆଇଆରଇଏଲ୍ ଦ୍ୱାରା ତଦାରଖ କରାଯାଉଛି। ୨୦୨୪ରେ IREL ପ୍ରାୟ ୨,୯୦୦ ଟନ୍ ବିରଳ ପୃଥିବୀ ଖଣିଜ ଉତ୍ପାଦନ କରିଥିଲା। ଯେଉଁଥିରୁ ଅଧିକାଂଶ ଦେଶର ପରମାଣୁ ଏବଂ ପ୍ରତିରକ୍ଷା କ୍ଷେତ୍ରରେ ବ୍ୟବହୃତ ହୋଇଥିଲା। ଏଥିସହିତ ଜାପାନକୁ ସୀମିତ ରପ୍ତାନୀ କରାଯାଇଥିଲା। ଭାରତ ପାଇଁ ଚୀନରୁ ଯୋଗାଣ ବାଧାପ୍ରାପ୍ତ ହେବା ପରେ, IREL ରପ୍ତାନି ବନ୍ଦ କରି ଖଣିଜ ପଦାର୍ଥର ଖନନ ଏହାର ପ୍ରକ୍ରିୟାକରଣ କାର୍ଯ୍ୟକୁ ବୃଦ୍ଧି କରିବାକୁ ପ୍ରସ୍ତୁତ ହେଉଛି।କେବଳ ମହିନ୍ଦ୍ରା କି ୟୁନୋ ମିଣ୍ଡା ନୁହେଁ ଜେଏସଡବ୍ଲୁ ଷ୍ଟିଲ୍ ମଧ୍ୟ ବିରଳ ଖଣିଜ କନନରେ ଆଗ୍ରହ ଦେଖାଇଛି। ହେଲେ ଏଥିପାଇଁ ସରକାରୀ ଅନୁମୋଦନ ଅପେକ୍ଷାରେ ରହିଛି। ଯଦିଓ ଚୁମ୍ବକ ଉତ୍ପାଦନ ନିକଟ ଭବିଷ୍ୟତରେ ଆରମ୍ଭ ହୋଇପାରେ, ଖଣି ପ୍ରକଳ୍ପଗୁଡ଼ିକୁ ବାସ୍ତବ ରୂପ ଦେବାକୁ ଅନେକ ବର୍ଷ ଲାଗିପାରେ ବୋଲି ରଏଟର୍ସ ତା ରିପୋର୍ଟରେ ଉଲ୍ଲେଖ କରିଛି।
ତେବେ ଚୀନର କ୍ଲିୟରାନ୍ସ ନ ମିଳିବା ପରେ ଭାରତକୁ ବିରଳ ଖଣିଜର ନିରନ୍ତର ଯୋଗାଣ ସୁନିଶ୍ଚିତ କରିବା ପାଇଁ, ଭାରତ ସରକାର ବିଦେଶରେ ସୁଯୋଗ ଖୋଜୁଛନ୍ତି।