ଅନଲାଇନ ଲୁଡୁ ଖେଳରୁ ଆରମ୍ଭ ହେଲା ବନ୍ଧୁତା, ଘରେ କାହାକୁ କିଛି ନକହି ନୋଏଡାରୁ ଗୁଜୁରାଟ ପଳାଇଲେ ନାବାଳିକା, ତାପରେ…

Published By : Prameya-News7 Bureau | October 15, 2020 IST

ନୋଏଡା, ୧୫ ।୧୦:  ଅନଲାଇନ୍ ଲୁଡୁ ଖେଳରୁ ହୋଇଗଲା ବନ୍ଧୁତା । ବନ୍ଧୁତା ଏତେ ନିବିଡ ହେଲା ଯେ ଯୁବକଙ୍କୁ ଭେଟିବାକୁ ଗୁଜୁରାଟ ଚାଲିଗଲେ ନାବାଳିକା । ଏପରି ଏକ ଘଟଣା ଦେଖିବାକୁ ମିଳିଛି ନୋଏଡାରେ ।

ସୂଚନାନୁସାରେ, ନୋଏଡାର ସେକ୍ଟର ୫୮ରେ ରୁହନ୍ତି ଜଣେ ୧୭ ବର୍ଷୀୟା ନାବାଳିକା । ସେ ଗତ କିଛିଦିନ ଧରି ଅନଲାଇନରେ ଲୁଡୁ ଖେଳୁଥିଲେ । ଅନଲାଇନ୍ ଲୁଡୁ ଖେଳିବା ସମୟରେ ତାଙ୍କର ପରିଚୟ ଜଣେ ଯୁବକଙ୍କ ସହ ହୋଇଥିଲା ।  ଏହାପରେ ଆରମ୍ଭ ହୋଇଥିଲା ବନ୍ଧୁତା । ପ୍ରଥମେ ଚାଟିଂ ଓ ପରେ ମୋବାଇଲ ଓ ହ୍ୱାଟସଆପ୍ ନମ୍ବର ଦିଆନିଆ । ତେବେ ହଠାତ ଗତ ୧୨ ତାରିଖରେ ନାବାଳିକାଜଣଙ୍କ ଘରୁ କୁଆଡେ ଚାଲିଯାଇଥିଲେ । ପରିବାର ଲୋକେ ଚିନ୍ତାରେ ପଡିଗଲେ ।

ବହୁ ଖୋଜାଖୋଜି ପରେ ଝିଅର ପତ୍ତା ନପାଇ ପରିବାର ଲୋକେ ପୋଲିସର ଦ୍ୱାରସ୍ଥ ହୋଇଥିଲେ । ପୋଲିସ ତଦନ୍ତ ପରେ ଯାହା ଜାଣିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା । ନାବାଳିକାଜଣଙ୍କ ଘରେ କାହାକୁ କିଛି ନକହି ନୋଏଡାରୁ ଗୁଜୁରାଟ ପଳାଇଥିଲେ ।ଅନଲାଇନରୁ ହୋଇଥିବା ଏହି ବନ୍ଧୁଙ୍କୁ ଭେଟିବା ପାଇଁ ସେ ଟ୍ରେନରେ ଗୁଜୁରାଟ ପଳାଇଥିଲେ । ପୋଲିସ ନମ୍ବର ଟ୍ରାକ୍ କରି ନାବାଳିକାଙ୍କୁ ଠାବ କରିଥିଲା ।

ପୋଲିସ ସଂପୃକ୍ତ ଯୁବକଙ୍କୁ ପଚରାଉଚରା କରିବା ପରେ ସେ ସବୁ ସତ ମାନିଯାଇଥିଲେ । ନାବାଳିକାଜଣଙ୍କ କେଉଁ ଟ୍ରେନରେ ନୋଏଡାରୁ ଗୁଜୁରାଟ ଆସିଥିଲେ ସବୁ କଥା ଯୁବକଜଣଙ୍କ ପୋଲିସକୁ କହିଥିଲେ । ପୋଲିସ ସମସ୍ତ ତଥ୍ୟ ଆଧାରରେ ନାବାଳିକାଙ୍କୁ ନୋଏଡା ଫେରାଇ ଆଣିଛି । ଯୁବକଜଣଙ୍କ ନିଜେ ନାବାଳିକାଙ୍କୁ ପୋଲିସ ନିକଟରେ ପହଁଚାଇଥିଲେ । ଏହାପରେ ପୋଲିସ ନାବାଳିକାଙ୍କୁ ନିଜ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.