ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ତଥା ବିଶିଷ୍ଟ ସମାଜସେବୀ ନିରଞ୍ଜନ ରଥଙ୍କ ଦେହାନ୍ତ

Published By : Prameya-News7 Bureau | June 20, 2025 IST

ଆଠଗଡ଼।କଟକ ୨୦।୬: ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ତଥା ବିଶିଷ୍ଟ ସମାଜସେବୀ ନିରଞ୍ଜନ ରଥଙ୍କ ପରଲୋକ । ଗୁରୁବାର ରାତିରେ କଟକର ଏକ ଘରୋଇ ନର୍ସିଂହୋମ୍‌ରେ ତାଙ୍କର ଦେହାନ୍ତି ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା । ଚାରି ଦିନ ତଳେ ଭୀଷଣ ଜ୍ବର, କଫ ଓ ବିଭିନ୍ନ ସଂକ୍ରମଣ ଯୋଗୁଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । 

ସ୍ବର୍ଗତ ରଥ ଆଠଗଡ଼ର ଏକ ପ୍ରତିଷ୍ଠିତ ପରିବାରରେ ଜନ୍ମ ହୋଇଥିଲେ । ବାପା ପଣ୍ଡିତ ଚନ୍ଦ୍ରଶେଖର ରଥ ଓ ମା’ ଅନ୍ନପୂର୍ଣ୍ଣା ଦେବୀଙ୍କର ସେ ଥିଲେ ପଞ୍ଚମ ସନ୍ତାନ ।‌ ଆଇନରେ ଡିଗ୍ରୀ ସହିତ ଇଂରାଜୀ ସାହିତ୍ୟରେ ଏମ୍ଏ ପାସ୍‌ କରିବା ପରେ ସେ ସାମ୍ବାଦିକତା ଓ ଓକିଲାତି କରିବା ସହିତ ସମାଜସେବାରେ ନିଜକୁ ନିୟୋଜିତ କରିଥିଲେ । ‘ନ୍ୟାୟବତୀ’ ନାମକ ଏକ ପତ୍ରିକାର ସେ ସଂସ୍ଥାପକ ଓ ସମ୍ପାଦକ ଭାବେ ଦୀର୍ଘକାଳ କାର୍ଯ୍ୟ କରିବା ପରେ ଲୋକସେବକ ମଣ୍ଡଳରେ ଯୋଗ ଦେଇଥିଲେ । ସେ ‘ସମାଜ’ର ସମ୍ପାଦକ, ମୁଦ୍ରାକର ଓ ପ୍ରକାଶକ, ଜିମ୍‌ସାରର ଅଧ୍ୟକ୍ଷ, ‘ସମାଜ’ ରିଲିଫ କମିଟିର ମୁଖ୍ୟ, ଗୋପବନ୍ଧୁଙ୍କ ସତ୍ୟବାଦୀର ସମ୍ପାଦକ ହେବା ସହିତ ବିଭିନ୍ନ ସେବାମୂଳକ ଅନୁଷ୍ଠାନ ସହିତ ସମ୍ପୃକ୍ତ ଥିଲେ ।

ଏବେ ନିକଟରେ ସେ ଦ୍ବିତୀୟ ଥର ଲୋକ ସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ଭାବେ ମନୋନୀତ ହୋଇଥିଲେ । ଜିମ୍‌ସାର ପ୍ରତିଷ୍ଠାରେ ତାଙ୍କର ଏକ ଗୁରୁତ୍ବପୂର୍ଣ୍ଣ ଅବଦାନ ଥିଲା । ସେ ଅବିବାହିତ ରହିଥିଲେ । ଶୁକ୍ରବାର ତାଙ୍କ ପାର୍ଥିବ ଶରୀରକୁ ଆଠଗଡ଼ ସ୍ଥିତ ତାଙ୍କ ପୈତୃକ ଗୃହ ରାଧାନାଥପୁର ଶାସନକୁ ଆଣିବା ପରେ ସେଠାରେ ବନ୍ଧୁ ପରିଜନ ମାନଙ୍କ ସହିତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପହଞ୍ଚି ଶେଷ ଦର୍ଶନ କରିଥିଲେ । ସେଠାରୁ ଆଠଗଡ ସ୍ଥିତ ମାଧପୁରର ଜିମ୍‌ସାର ନିଆଯାଇଥିଲା । ପରେ ବକ୍ସିବଜାର ସ୍ଥିତ ଗୋପବନ୍ଧୁ ଭବନ ‘ସମାଜ’ ମୁଖ୍ୟ କାର୍ଯ୍ୟାଳୟ ପରିସରକୁ ଅଣାଯାଇ ସେଠାରୁ ପୁରୀ ସ୍ବର୍ଗଦ୍ବାର ନିଆଯାଇ ଶେଷକୃତ୍ୟ ସମ୍ପନ୍ନ କରଯାଇଥିଲା ।

You Can Read:

କାଙ୍କେର ଜିଲ୍ଲାରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ମହିଳା ମାଓବାଦୀ ନିହତ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.