ନୂଆଦିଲ୍ଲୀ ୨୯।୫: ଉତ୍ତରରୁ ପଶ୍ଚିମ, ମଧ୍ୟରୁ ପୂର୍ବ ଭାରତର ଅଧିକାଂଶ ଅଞ୍ଚଳରେ ଏବେ ଭୀଷଣ ଗରମ ପଡିଛି। ପ୍ରାୟ ଅଞ୍ଚଳରେ ତାପମାତ୍ରା ୪୫ ଡିଗ୍ରି ସେଲିସିୟସ ପାର କରିଛି। ଜାତୀୟ ରାଜଧାନୀ ଦିଲ୍ଲୀରେ ବୁଧବାର ତାପମାତ୍ରା ସବୁ ପିଛିଲା ରେକର୍ଡ ଭାଙ୍ଗି ୫୨.୩ ଡିଗ୍ରି ସେଲସିୟସକୁ ପହଞ୍ଚିଥିଲା। ତେବେ ଅପରାହ୍ନରେ ଦିଲ୍ଲୀ ଓ ଏନସିଆରରେ ହାଲୁକା ବର୍ଷା ପାଗ ବଦଳାଇ ଦେଇଛି। କେବଳ ଦିଲ୍ଲୀ ନୁହେଁ ରାଜସ୍ଥାନ, ହରିୟାଣା, ମଧ୍ୟପ୍ରଦେଶ, ଛତିଶଗଡ, ବିଦର୍ଭ, ବିହାର ଓ ଉତ୍ତରପ୍ରଦେଶରେ ଗ୍ରୀଷ୍ମ ଲହର ଚାଲିଛି।
ରାଜସ୍ଥାନର କେତେକ ସହରରେ ଆଜିକାଲି ଭୀଷଣ ଗରମ ଓ ଲୁ ବହୁଛି। ନିକଟରେ ଫଲୌଦୀର ପାରା ୫୦ ଡିଗ୍ରି ସେଲସିୟସକୁ ପହଞ୍ଚିଥିଲା। ଏବେ ଚୁରୁର ସର୍ବାଧିକ ତାପମାତ୍ରା ୫୦ ଡିଗ୍ରି ପାର କରି ଯାଇଛି। ବୁଧବାର ଚୁରୁରେ ଦିନର ସର୍ବାଧିକ ତାପମାତ୍ରା ୫୦.୫ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଥିବା ବେଳେ ଦେଶର ଉତପ୍ତ ସହରରେ ପରିଣତ ହୋଇଛି। ଚୁରୁ ପଛକୁ ବୁଧବାର ହରିୟାଣାର ଶିରସାରେ ତାପମାତ୍ରା ୫୦.୩ ଡିଗ୍ରି ସେଲସିୟସକୁ ପହଞ୍ଚିଛି।
Maximum Temperatures (≥ 45°C)/Heat wave Stations over Northwest India dated 28-05-2024 pic.twitter.com/0NTMwo9ZIW
— India Meteorological Department (@Indiametdept) May 28, 2024
ତେବେ ଦକ୍ଷିଣ ଭାରତ ସହିତ ପୂର୍ବୋତ୍ତର ରାଜ୍ୟମାନଙ୍କରେ ବର୍ଷା ରେକର୍ଡ କରାଯାଇଛି। କେରଳର ଅଧିକାଂଶ ଅଞ୍ଚଳରେ ବର୍ଷା ହେଉଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ତେବେ ପାଣିପାଗ ବିଭାଗ ରାଜ୍ୟରେ ଭୀଷଣରୁ ଭୀଷଣ ବର୍ଷା ପୂର୍ବାନୁମାନ କରିଛନ୍ତି। ବଙ୍ଗୋପ ସାଗରରୁ ପଶ୍ଚିମବଙ୍ଗ ଦେଇ ଅତିକ୍ରମ କରିଥିବା ବାତ୍ୟା ରେମଲ ଗ୍ରୀଷ୍ମ ପ୍ରବାହରୁ ରାଜ୍ୟକୁ ଆଶ୍ୱସ୍ତ କରିଛି। ଏହା ଛଡା ଆସାମ, ଅରୁଣାଚଳ ପ୍ରଦେଶ, ନାଗାଲ୍ୟାଣ୍ଡ, ମଣିପୁର ଓ ମିଜୋରାମ ଆଦି ରାଜ୍ୟରେ ଭଲ ବର୍ଷା ରେକର୍ଡ ହୋଇଛି। ଏବେ କିଛି ଦିନ ପୂର୍ବୋତ୍ତରର ଏହି ରାଜ୍ୟମାନଙ୍କର ପାଗ ଆଶ୍ୱସ୍ତିଭରା ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛନ୍ତି।
ତେବେ ରାଜଧାନୀ ଦିଲ୍ଲୀରେ ବୁଧବାରର ତାପମାତ୍ରା ସମସ୍ତଙ୍କୁ ଚମତ୍କୃତ କରିଛି। ଦିଲ୍ଲୀର ମୁଙ୍ଗେସପୁରରେ ଅନ୍ୟ ଷ୍ଟେସନ ତୁଳନାରେ ୫୨.୯ ଡିଗ୍ରି ସେଲସିୟସ ତାପମାତ୍ରା ରେକର୍ଡ ହୋଇଛି। ଏହା ସେନସରର ତ୍ରୁଟି ନା ସ୍ଥାନୀୟ କାରକ ଯୋଗୁ ଏପରି ତାପମାତ୍ରା ବୃଦ୍ଧି ହୋଇଥିଲା ପାଣିପାଗ ବିଭାଗ ଏହାର ଯାଞ୍ଚ ଆରମ୍ଭ କରିଛନ୍ତି। ଆଇଏମଡି ଡାଟା ଓ ସେନସରକୁ ଯାଞ୍ଚ କରୁଛନ୍ତି। ତେବେ ବୁଧବାର ରାଜଧାନୀ ଦିଲ୍ଲୀର ଅଧିକାଂଶ ସ୍ଥାନର ତାପମାତ୍ରା ୪୫ ଡିଗ୍ରି ସେଲସିୟସରୁ ୪୯.୧ ଡିଗ୍ରି ସେଲସିୟସ୍ ମଧ୍ୟରେ ଥିବା ଦେଖାଯାଇଛି।