୭୫ ବର୍ଷ ବୟସ ପରେ ନେତାଙ୍କୁ ଅବସର ନେବା ଉଚିତ: ମୋହନ ଭାଗବତଙ୍କ ମନ୍ତବ୍ୟର ତେଜିଲା ରାଜନୀତି

Published By : Prameya-News7 Bureau | July 11, 2025 IST

internet

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱୟମସେବକ ସଂଘର ମୁଖ୍ୟ ମୋହନ ଭାଗବତ ନେତାଙ୍କ ଅବସର ବୟସ ନେଇ ଟିପ୍ପଣୀ ଦେବା ପରେ ଏହାକୁ ନେଇ ବିରୋଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିବା ଆରମ୍ଭ କରି ଦେଇଛନ୍ତି। ନେତାମାନେ ୭୫ ବର୍ଷ ବୟସ ପରେ ଅବସର ନେବା ଉଚିତ୍ ବୋଲି ଭାଗବତ କହିବା ପରେ ଏହି ନିୟମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଲାଗୁ କରାଯାଉ ବୋଲି ବିରୋଧୀ କହିଛନ୍ତି। ମୋହନ ଭାଗବତଙ୍କ ପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଚଳିତ ବର୍ଷ ସେପ୍ଟେମ୍ବରରେ ୭୫ ବର୍ଷରେ ପାଦ ଥାପିବେ।

ବୁଧବାର ସନ୍ଧ୍ୟାରେ ନାଗପୁରରେ ଆରଏସଏସ ଆଦର୍ଶବାଦୀ  ନେତା ସ୍ୱର୍ଗତ ମୋରୋପନ୍ତ ପିଙ୍ଗଲଙ୍କ ପ୍ରତି ସମର୍ପିତ ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଭାଗବତ ଯୋଗ ଦେଇ କହିଥିଲେ, "ଯେତେବେଳେ ଆପଣ ୭୫ ବର୍ଷ ବୟସର ହେବେ, ଏହାର ଅର୍ଥ ହେଉଛି ଆପଣ ଏବେ ଅବସର ନେଇ ଅନ୍ୟମାନଙ୍କ ପାଇଁ ରାସ୍ତା ପ୍ରସସ୍ତ କରିବା ଉଚିତ।"

ଭାଗବତ ପିଙ୍ଗଲେଙ୍କ କଥା ମନେ ପକାଇ କହିଥିଲେ  ଯେ ପିଙ୍ଗଲେଙ୍କ ସ୍ୱଭାବ ବହୁତ ହାସ୍ୟରସପୂର୍ଣ୍ଣ ଥିଲା। ମୋରୋପନ୍ତ ପିଙ୍ଗଲେ ଥରେ କହିଥିଲେ ଯେ ଯଦି ଆପଣଙ୍କୁ ୭୫ ବର୍ଷ ବୟସ ପରେ ଶାଲ ଦେଇ ସମ୍ମାନିତ କରାଯାଏ, ତେବେ ଏହାର ଅର୍ଥ ହେଉଛି ଯେ ଆପଣ ଏବେ ଓହରିଯିବା ଉଚିତ, ଆପଣ ବୃଦ୍ଧ ହୋଇଗଲେଣି। ତେଣୁ ପାଖେଇ ଯାଇ ଅନ୍ୟମାନଙ୍କୁ ଭିତରକୁ ଆସିବାକୁ ଦିଅନ୍ତୁ।

ଭାଗବତଙ୍କ ଏହି ବୟାନକୁ ନେଇ ବିରୋଧୀ ନେତାମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ୍ କରିଛନ୍ତି। ଏହି ବୟାନ ମୋଦୀଙ୍କ ଉପରେ ଫିଟ୍ ବସୁଛି ବୋଲି ବିରୋଧୀ କହିଛନ୍ତି। ଭାଗବତଙ୍କ ବୟାନର ତୁରନ୍ତ ପ୍ରତିକ୍ରିୟା ଦେଇ ସଞ୍ଜୟ ରାୱତ କହିଛନ୍ତି “ପ୍ରଧାନମନ୍ତ୍ରୀ ମୋଦି ଲାଲକୃଷ୍ଣ ଆଡଭାନୀ, ମୁରଲୀ ମନୋହର ଯୋଶୀ ଏବଂ ଜସୱନ୍ତ ସିଂହଙ୍କ ଭଳି ନେତାଙ୍କୁ ୭୫ ବର୍ଷ ବୟସ ହେବା ପରେ ଅବସର ନେବାକୁ ବାଧ୍ୟ କରିଥିଲେ। ଦେଖାଯାଉ ସେ ଏବେ ନିଜ ପାଇଁ ସମାନ ନିୟମ ଲାଗୁ କରନ୍ତି କି ନାହିଁ।”

କଂଗ୍ରେସ ନେତା ଅଭିଷେକ ମନୁସିଂଘବୀ କହିଛନ୍ତି “ଅଭ୍ୟାସ ବିନା ପ୍ରଚାର ସର୍ବଦା ବିପଦପୂର୍ଣ୍ଣ। ମାର୍ଗଦର୍ଶକ ମଣ୍ଡଳଙ୍କୁ ୭୫ ବର୍ଷ ବୟସ ସୀମା ପ୍ରୟୋଗ କରି ବାଧ୍ୟତାମୂଳକ ଅବସର ଦିଆଯାଇଥିଲା। କିନ୍ତୁ ବର୍ତ୍ତମାନର ସୂଚନାରୁ ସ୍ପଷ୍ଟ  ହେଉଛି ଏ ବେ ଯେଉଁ ବ୍ୟବସ୍ଥା ଚାଲିଛି ତାହା ଏ ନିୟମରୁ ମୁକ୍ତ ରହିବ। ଏହା ସମ୍ପୂର୍ଣ୍ଣ ନୀତିହୀନ ହେବ।”

ଏହା ପୂର୍ବରୁ ଉଦ୍ଧବ ଶିବସେନା ନେତା ସଞ୍ଜୟ ରାଉତ ପୂର୍ବରୁ ଦାବି କରିଥିଲେ ଯେ ଚଳିତ ବର୍ଷ ମାର୍ଚ୍ଚ ମାସରେ ମୋଦିଙ୍କ ନାଗପୁରସ୍ଥିତ ଆରଏସଏସ ମୁଖ୍ୟାଳୟ ଗସ୍ତ କରିଥିଲେ।  - ଦଶନ୍ଧୀରୁ ଅଧିକ ସମୟ ପରେ ସେ ପ୍ରଥମ ଥର ମୁଖ୍ୟାଳୟ ଗସ୍ତ କରିଥିଲେ। ତାଙ୍କର ଏ ଗସ୍ତ ସମ୍ଭାବ୍ୟ ଅବସର ବିଷୟରେ ଆଲୋଚନା କରିବା ପାଇଁ ଥିଲା ବୋଲି ରାଉତ କହିଥିଲେ। ହେଲେ ବିଜେପି ସେତେବେଳେ ଏହାକୁ ଅସ୍ୱୀକାର କରି କହିଥିଲା ଯେ ଏହି ଗସ୍ତ ଏକ ନିୟମିତ ହସ୍ତ ଥିଲା। 

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପୂର୍ବରୁ ମେ ୨୦୨୩ରେ ସ୍ପଷ୍ଟ କରିଥିଲେ ଯେ ବିଜେପି ସମ୍ବିଧାନରେ କୌଣସି ଅବସର ଧାରା ନାହିଁ। ମୋଦି ଜୀ ୨୦୨୯ ପର୍ଯ୍ୟନ୍ତ ନେତୃତ୍ୱ ଜାରି ରଖିବେ। ଅବସର ଗୁଜବରେ କୌଣସି ସତ୍ୟତା ନାହିଁ। ମିଛ କହି ଇଣ୍ଡିଆ ମେଣ୍ଟ ଆଗାମୀ ନିର୍ବାଚନ ଜିତିବ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.