ମୁମ୍ବାଇ ୨୦।୧୦: ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇକୁ ସ୍ୱପ୍ନର ସହର କୁହାଯାଏ। ସାରା ଦେଶର ବଡ଼ ବଡ଼ ଉଦ୍ୟୋଗପତି ଓ ଫିଲ୍ମଷ୍ଟାର ସହରରେ ବେଶ୍ ଆରାମରେ ବସବାସ କରନ୍ତି। ହେଲେ ଏଠାରେ ସାଧାରଣ ଲୋକେ ବସବାସ କରିବା ଅତ୍ୟନ୍ତ କଷ୍ଟକର, କାରଣ ଏଠାରେ ଘରଭଡ଼ା ବହୁତ ମହଙ୍ଗା। ସହରରେ ଘର କିଣିବା ଦୂରର କଥା ଏଠାରେ ଘର ଭଡ଼ା ନେଇ ରହିବା ବଡ କଥା। ଘର ଭଡ଼ା ମାମଲାରେ ମୁମ୍ବାଇକୁ ଦେଶର ସବୁଠୁ ମହଙ୍ଗା ସହରର ମାନ୍ୟତା ମିଳିଛି।
ରିୟଲ ଇଷ୍ଟେଟ ଡେଭଲପରଙ୍କ ଶୀର୍ଷ ସଙ୍ଗଠନ କ୍ରେଡାଇ-ଏମସିଏଚଆଇର ଆନୁଆଲ ରିପୋର୍ଟ ଅନୁସାରେ ମୁମ୍ବାଇରେ ବସବାସ ପାଇଁ ବର୍ଷିକ ଆଭରେଜ ରେଣ୍ଟ ୱାନ୍ ବିଏଚକେ ଆପାର୍ଟମେଣ୍ଟ ଲାଗି ୫.୧୮ ଲକ୍ଷ ଟଙ୍କା ଖର୍ଚ୍ଚ ପଡିଥାଏ। ତେବେ ସବୁଠୁ ଆଶ୍ଚର୍ଯ୍ୟକର କଥା ଏଠାରେ କୌଣସି ଭଲ କମ୍ପାନୀରେ ଜୁନିୟର ସ୍ତରର କର୍ମଚାରୀଙ୍କ ଆନୁଆଲ ପ୍ୟାକେଜ୍ ୫ ଲକ୍ଷ ଟଙ୍କା ମିଳିଥାଏ। ରିପୋର୍ଟରେ କୁହାଯାଇଛି ଯେ ମୁମ୍ବାଇରେ ବଢୁଥିବା ଘରଭଡ଼ା ଦର ଯୋଗୁ ବୃତ୍ତିଜୀବୀ ଓ ପ୍ରତିଭାବାନ ଲୋକଙ୍କ ପଳାୟନ ହୋଇପାରେ।
କାରଣ ଏପରି ଲୋକେ ସଞ୍ଚୟ ଓ ଆର୍ଥିକ ସ୍ଥିରତା ପାଇଁ ଶସ୍ତା ସହରରେ ରହିବା ପାଇଁ ବାଧ୍ୟ ହୋଇ ପାରନ୍ତି। ମୁମ୍ବାଇ ତୁଳନାରେ ୧ବିଏଚକେ ଆପାର୍ଟମେଣ୍ଟ ଲାଗି ବେଙ୍ଗାଲୁରୁ ଓ ଦିଲ୍ଲୀ ଏନସିଆରରେ ବାର୍ଷିକ ଘରଭଡା ପ୍ରାୟ ଅଧାରୁ ବି କମ୍। ଯାହା ଯଥାକ୍ରମେ ୨.୩୨ଲକ୍ଷ ଓ ୨.୨୯ ଲକ୍ଷଟଙ୍କା ମଧ୍ୟରେ। ରିପୋର୍ଟରେ କୁହାଯାଇଛିଯେ ବେଙ୍ଗାଲୁରୁ ଓ ଦିଲ୍ଲୀରେ କର୍ମଚାରୀଙ୍କ ହାରାହାରି ବାର୍ଷିକ ବେତନ ଯଥାକ୍ରମେ ୫.୨୭ ଲକ୍ଷରୁ ୪.୨୯ଲକ୍ଷ ମଧ୍ୟରେ। ଏଣୁ ମୁମ୍ବାଇ ଅପେକ୍ଷା ଏହି ଦୁଇ ସହରରେ ଲୋକେ ବେଶ ଭଲରେ ଚଳି ପାରନ୍ତି।
ବେଙ୍ଗାଲୁରୁରେ ବାର୍ଷିକ ୧୬.୪୫ଲକ୍ଷ ଟଙ୍କା ବେତନ ପାଉଥିବା ଲୋକେ ୨ ବିଏଚକେ ଘର ପାଇଁ ୩.୯୦ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି। ରିପୋର୍ଟ ମୁତାବକ ଦିଲ୍ଲୀ ଏନସିଆରରେ ମଧ୍ୟବର୍ଗୀୟ ବୃତ୍ତିଜୀବୀ ବାର୍ଷିକ ହାରାହାରି ୧୪.୦୭ ଲକ୍ଷ ଟଙ୍କା ଉପାର୍ଜନ କରୁଥିବା ବେଳେ ଘରଭଡା ଭାବେ ବାର୍ଷିକ ୩.୫୫ ଲକ୍ଷ ଟଙ୍କା ବ୍ୟୟ କରୁଛନ୍ତି। ରିପୋର୍ଟ ଅନୁସାରେ ମୁମ୍ବାଇରେ ବରିଷ୍ଠ ସ୍ତରର କର୍ମଚାରୀଙ୍କ ବାର୍ଷିକ ଆୟ ୩୩.୯୫ ଲକ୍ଷ ଟଙ୍କା। ସେମାନେ ୩ ବିଏଚକେ ଆପାର୍ଟମେଣ୍ଟରେ ବସବାସ କରନ୍ତି ଓ ଘରଭଡା ବାବଦକୁ ପ୍ରତି ବର୍ଷ ୧୪.୦୫ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି।
ରିପୋର୍ଟ ଅନୁସାରେ ଆବାସିକ ରିୟଲ ଇଷ୍ଟେଟ୍ ପ୍ରକଳ୍ପ ଲାଗି ମୁମ୍ବାଇର ପ୍ରିମିୟମ ଦିଲ୍ଲୀ ଏନସିଆର ଅପେକ୍ଷା ୨୫ ଗୁଣା ଅଧିକ, ଯାହା ହାଇଦ୍ରାବାଦରେ ୫୦ ଗୁଣା ଅଧିକ ହୋଇଥିବା ବେଳେ ବେଙ୍ଗାଲୁରୁରେ ୪୭ଗୁଣା ଅଧିକ ଓ ଚେନ୍ନାଇ, ପୁଣେଠୁ ୯ଗୁଣା ଅଧିକ। ଜଣେ ଡେଭଲପରଙ୍କୁ ମୁମ୍ବାଇରେ ୧ ବର୍ଗଫୁଟ ବିକଶିତ କରିବା ପାଇଁ ଅନୁମୋଦନ ବ୍ୟୟ ବାବଦେ ୫୪,୨୨୧ ଟଙ୍କା ପୈଠ କରିବାକୁ ପଡୁଛି। ଦିଲ୍ଲୀ ଓ ଏନସିଆରରେ ଏ ବାବଦେ କେବଳ ୨,୧୬୬, ଚେନ୍ନାଇ, ହାଇଦ୍ରାବଦା ଓ ବେଙ୍ଗାଲୁରୁରେ ଏହା ୧,୦୭୧ ଟଙ୍କାରୁ ୫,୪୬୬ ଟଙ୍କା ପର୍ଯ୍ୟନ୍ତ ରହିଛି।