CBSE ଦ୍ୱାଦଶ ଟପ୍ପର ତାନ୍ୟା ସିଂହ ଓ ୟୁବାକ୍ଷୀ, ରଖିଛନ୍ତି ୫୦୦ରୁ ୫୦୦ ମାର୍କ

Published By : Prameya-News7 Bureau | July 22, 2022 IST

ବୁଲନ୍ଦସର ୨୨।୭: କେନ୍ଦ୍ର ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ଦ୍ୱାଦଶ ବୋର୍ଡ ଫଳାଫଳ ଶୁକ୍ରବାର ପ୍ରକାଶ ପାଇଛି।  ପରୀକ୍ଷା ଫଳାଫଳ ବୋର୍ଡର ଅଧିକାରୀକ ୱେବସାଇଟ୍‌ରେ ଜାରି କରାଯାଇଛି। ଚଳିତବର୍ଷ ଦ୍ୱାଦଶରେ ୯୨.୭୧ ପ୍ରତିଶତ ଛାତ୍ରଛାତ୍ରୀ ଉତୀର୍ଣ୍ଣ ହୋଇଛନ୍ତି। ତେବେ ସିବିଏସଇ ଟପ୍ପରଙ୍କ ଚର୍ଚ୍ଚା ଏବେ ସମସ୍ତଙ୍କ ମୁହଁରେ। ଉତ୍ତରପ୍ରଦେଶ ବୁଲନ୍ଦସରର ତାନ୍ୟା ସିଂହ ୫୦୦ରୁ ୫୦୦ ମାର୍କ ପ୍ରାପ୍ତ କରି ଟପ କରିଛନ୍ତି।

ତାନ୍ୟା ସିଂହ ଦିଲ୍ଲୀ ପବ୍ଲିକ୍ ସ୍କୁଲର ଛାତ୍ରୀ। ସେ ବୁଲନ୍ଦସର ଡିପିଏସରେ ପଢନ୍ତି। ରେଜଲ୍ଟ ଆସିବା ପରେ ତାନ୍ୟାଙ୍କ ପରିବାର ଓ ସ୍କୁଲରେ ଏବେ ଉତ୍ସବର ମାହୋଲ। ଅନ୍ୟପକ୍ଷରେ ନୋଏଡା ସେକ୍ଟର ୪୪ ଏମିଟି ସ୍କୁଲ ଛାତ୍ରୀ ୟୁବାକ୍ଷୀ ଭିଗ୍ ମଧ୍ୟ ୫୦୦ ଅଙ୍କ ପ୍ରାପ୍ତ କରିଛନ୍ତି। ଏଣୁ ୟୁବାକ୍ଷୀ ମଧ୍ୟ ଯୁଗ୍ମ ଟପ୍ପର ହୋଇଛନ୍ତି। ଏମାନଙ୍କ ପଛକୁ ରହିଛନ୍ତି ବୁଲନ୍ଦସର ଡିପିଏସ୍‌ର ଭୂମିକା ଗୁପ୍ତା। ସେ ପୂର୍ଣ୍ଣାଙ୍କ ୫୦୦ ରୁ ୪୯୯ ରଖି ଦ୍ୱିତୀୟ ସ୍ଥାନରେ ରହିଛନ୍ତି।

ଚଳିତବର୍ଷ ବୋର୍ଡ ପରୀକ୍ଷାରେ ଛାତ୍ରୀମାନେ ବାଜିମାତ କରିଛନ୍ତି। ଚଳିତବର୍ଷ ଛାତ୍ରୀମାନେ ଛାତ୍ରଙ୍କ ତୁଳନାରେ ୩.୨୯ ପ୍ରତିଶତ ଉନ୍ନତ ପ୍ରଦର୍ଶନ କରିଛନ୍ତି। ସିବିଏସଇଙ୍କ ଅନୁସାରେ ଦ୍ୱାଦଶରେ ଛାତ୍ରଙ୍କ ରେଜଲ୍ଟ ମୋଟ ୯୧.୨୫ ପ୍ରତିଶତ ରହିଛି। ତେବେ ପରଫର୍ମାନ୍ସରେ ଛାତ୍ରୀମାନେ ଛାତ୍ରଙ୍କୁ ପଛରେ ପକାଇଦେଇଛନ୍ତି।  ଦ୍ୱାଦଶ ବୋର୍ଡରେ ଛାତ୍ରୀଙ୍କ ପାସ୍ ହାର ୯୪.୫୪ ପ୍ରତିଶତ ଥିବା ବେଳେ ଛାତ୍ରଙ୍କ ପାସ ହାର ୯୧.୨୫ ପ୍ରତିଶତ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.