ବେଙ୍ଗାଲୁରୁ୨୫।୫: ଆମେରିକୀୟ ଅନ୍ତରୀକ୍ଷ ଏଜେନ୍ସୀ ନାସା ଖୁବ୍ ଶୀଘ୍ର ଭାରତୀୟ ମହାକାଶ ଯାତ୍ରୀଙ୍କୁ ଚଳିତବର୍ଷ ଅଥବା ଏହା ପରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସଏସ୍)କୁ ଏକ ମିଳିତ ମିସନ ପଠାଇବାକୁ ପ୍ରଶିକ୍ଷଣ ଦେବ। ଭାରତରେ ଆମେରିକୀୟ ରାଜଦୂତ ଏରିକ୍ ଗାର୍ସେଟୀ ଶନିବାର ଏହି ସୂଚନା ଦେଇଛନ୍ତି। ଆମେରିକୀୟ ରାଜଦୂତ ବେଙ୍ଗାଲୁରୁରେ ଅନୁଷ୍ଠିତ ହେଉଥିବା ୟୁଏସ୍-ଇଣ୍ଡିଆ କମର୍ସିଆଲ ସ୍ପେସ୍ କନଫରେନ୍ସରେ ଯୋଗ ଦେବା ଅବସରେ ଏହା କହିଛନ୍ତି।
ଏହି କାର୍ଯ୍ୟକ୍ରମକୁ ୟୁଏସ-ଇଣ୍ଡିଆ ବିଜନେସ୍ କାଉନସିଲ ଓ ୟୁଏସ୍ କମର୍ସିଆଲ ସର୍ଭିସ୍ ଆୟୋଜନ କରିଥିଲେ। କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ଅବସରରେ ଗାର୍ସେଟି କହିଛନ୍ତି ଯେ ନାସା ଖୁବ୍ ଶୀଘ୍ର ଭାରତୀୟ ମହାକାଶ ଯାତ୍ରୀଙ୍କୁ ଉନ୍ନତ ପ୍ରଶିକ୍ଷଣ ପ୍ରଦାନ କରିବ। ଯାହାର ଉଦ୍ଦେଶ୍ୟ ଆଇଏସଏସ୍ ରେ ମିଳିତ ପ୍ରୟାସ କରିବା। ଆଶା କରାଯାଉଛି ଏହା ଚଳିତ ବର୍ଷ ଅଥବା ପରବର୍ଷ ହୋଇପାରେ। ଆମେରିକୀୟ ରାଜଦୂତ ଏରିକ ଗାର୍ସେଟି କହିଛନ୍ତି ଯେ ଖୁବ୍ ଶୀଘ୍ର ଆମେ ଇସ୍ରୋର ସତୀଶ ଧାବନ ମହାକାଶ କେନ୍ଦ୍ରରୁ ଏନଆଇଏସଏଆର (ନିସାର) ଉପଗ୍ରହ ଲଞ୍ଚ କରିବୁ। ଯାହା ନାସା ଓ ଇସ୍ରୋଙ୍କ ଏକ ଯୁଗ୍ମ ପୃଥିବୀ ଅବଲୋକନ ମିସନ ହେବ।
ଏହି କାର୍ଯ୍ୟକ୍ରମକୁ ଇସ୍ରୋଙ୍କ ଅଧ୍ୟକ୍ଷ ଏସ୍. ସୋମନାଥ ମଧ୍ୟ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି ଯେ ଏପରି ବୁଝାମଣା ନିମନ୍ତେ ଭାରତ ଓ ଆମେରିକୀୟ ଦୂରଦର୍ଶି ନେତାଙ୍କ ଚିନ୍ତନ ଶକ୍ତିକୁ ଧନ୍ୟବାଦ ଜଣାଉଛି। ଏହି ବୁଝାମଣାରେ ଚନ୍ଦ୍ରମାକୁ ଏକ ସ୍ଥାୟୀ ସ୍ଥାନ ରୂପେ ଦେଖାଯାଇଛି। ଯେଉଁଠି ଆମେ ସମସ୍ତେ ମିଶି ଏକ ସଙ୍ଗରେ କାର୍ଯ୍ୟ କରିପାରିବୁ। ସେ କହିଛନ୍ତି ଯେ ଭାରତୀୟ ଓ ଆମେରିକୀୟ ଭାଗିଦାରୀଙ୍କ ମଧ୍ୟରେ ମହାକାଶ କ୍ଷେତ୍ରରେ ସମ୍ପର୍କ ମଜଭୁତ ହେଉଛି। ଏହି ପ୍ରଗତିରେ ଆମେ ବେଶ୍ ଖୁସି।