ଆପ୍‌ର ଏପରି କିଛି ନେତା; ଯିଏକି କେଜ୍ରିୱାଲଙ୍କ ପୂର୍ବରୁ ଯାଇଛନ୍ତି ଜେଲ୍‌, ଜାଣନ୍ତୁ ଲିଷ୍ଟରେ ଅଛନ୍ତି କିଏ ?

Published By : Prameya-News7 Bureau | March 23, 2024 IST

ନୂଆଦିଲ୍ଲୀ ୨୩।୦୩: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ମଦ ଦୁର୍ନୀତି ମାମଲାରେ ଗୁରୁବାର କେଜ୍ରିୱାଲଙ୍କୁ ଗିରଫ କରିଛି ଇଡି । କେବଳ କେଜ୍ରିଓ୍ବାଲ୍‌ ନୁହଁନ୍ତି, ଆପ୍‌ର ଏପରି ଅନେକ ନେତା ଅଛନ୍ତି ଯିଏକି ଜେଲ୍‌ କାଟିଛନ୍ତି ରାତି । ଆସନ୍ତୁ ଜାଣିବା ସେମାନେ କିଏ ?  


ମଦ ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲ୍‌ରେ ସଜା କାଟୁଛନ୍ତି ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ୮ ଘଣ୍ଟାର ପଚରାଉଚରା ପରେ ୨୬ ଫେବୃଆରୀ ୨୦୨୩ରେ ଗିରଫ କରିଥିଲା ଇଡି । ଏକ୍ସାଇଜ୍ ପଲିସିରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଏବଂ ପ୍ରମାଣ ନଷ୍ଟ ଅଭିଯୋଗରେ ମନୀଷ ସିସୋଡିଆ ଗିରଫ କରିଥିଲା ସିବିଆଇ । 

ଏହାପଛକୁ ଅଛନ୍ତି ସତ୍ୟେନ୍ଦ୍ର ଜୈନ୍ । ମନିଲଣ୍ଡ୍ରିଙ୍ଗ୍ ମାମଲାରେ ଆପ୍ ନେତା ସତ୍ୟେନ୍ଦ୍ର ଜୈନ୍ଙ୍କୁ ମେ ୨୦୨୨ରେ ଗିରଫ କରିଥିଲା ଇଡି । ନଅ ମାସ ପୂର୍ବେ କୋର୍ଟ ତାଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଥିଲେ କିନ୍ତୁ ଗତ ସପ୍ତାହରେ ତାଙ୍କ ଜାମିନ ରଦ୍ଦ ହୋଇଛି । 

ମଦ ଦୁର୍ନୀତି ମାମଲାରେ ଅକ୍ଟୋବର ୨୦୨୩ରେ ବଡ ଆକ୍ସନ୍ ନେଇଥିଲା ଇଡି । ଦୀର୍ଘ ଦିନ ପଚରାଉଚୁରା କରିବା ପରେ ସଞ୍ଜୟଙ୍କୁ ବାନ୍ଧିଥିଲା ପ୍ରବର୍ତ୍ତନା ନିର୍ଦ୍ଦେଶାଳୟ । ବର୍ତ୍ତମାନ ଜେଲରେ ସଜା କାଟୁଛନ୍ତି ଆପ୍ ସାଂସଦ । 

ଆପ୍ ବିଧାୟକ ଅମାନାତୁଲ୍ଲା ଖାନ୍ । ବେଆଇନ ନିଯୁକ୍ତି ଏବଂ ଅର୍ଥ ହେରଫେର୍ ମାମଲାରେ ଆପ୍ ବିଧାୟକ ସେପ୍ଟେମ୍ବର ୨୦୨୨ରେ ଗିରଫ ହୋଇଥିଲେ । ବର୍ତ୍ତମାନ ଅମାନତୁଲ୍ଲା ଜାମିନରେ ଅଛନ୍ତି। 

ପୂର୍ବତନ ଆଇନ ମନ୍ତ୍ରୀ ତଥା ବିଧାୟକ ସୋମନାଥ ଭାରତୀଙ୍କୁ ଡିସେମ୍ବର ୨୦୧୫ରେ ଗିରଫ କରିଥିଲା ପୋଲିସ । ତାଙ୍କ ଉପରେ ହତ୍ୟା ଷଡଯନ୍ତ୍ର ଏବଂ ଘରୋଇ ହିଂସାର ଅଭିଯୋଗ ଆଣିଥିଲେ ପତ୍ନୀ । ଏହାବ୍ୟତୀତ AIIMSରେ ଜଣେ ସିକ୍ୟୁରିଟି ଗାର୍ଡଙ୍କୁ ଆକ୍ରମଣ କରିବା ମାମଲାରେ ୨୦୨୧ରେ ସୋମନାଥଙ୍କୁ ୨ ବର୍ଷ ପାଇଁ ଜେଲ୍ ଦଣ୍ଡ ଶୁଣାଇଥିଲେ ଦିଲ୍ଲୀର ଏକ କୋର୍ଟ । 

ଜଣେ ମହିଳାଙ୍କୁ ରାସନକାର୍ଡ ଦେବା ବାହାନାରେ ଦୁଷ୍କର୍ମ କରିବା ମାମଲାରେ ଫସିଥିଲେ ଆପ୍ ମନ୍ତ୍ରୀ ସନ୍ଦୀପ କୁମାର । ଏହି ମାମଲାରେ ତାଙ୍କୁ ଜେଲ ପଠାଯାଇଥିଲା । କେଜ୍ରିୱାଲ ସରକାରରେ ସନ୍ଦୀପ କୁମାରଙ୍କୁ ମହିଳା ଓ ଶିଶୁ କଲ୍ୟାଣ ବିକାଶ ମନ୍ତ୍ରୀ ଥିଲେ । 

କୁରାନକୁ ନିନ୍ଦା କରିବା ଅଭିଯୋଗରେ ଆପ୍ ବିଧାୟକ ନରେଶ ଯାଦବଙ୍କୁ ଗିରଫ କରିଥିଲା ପୋଲିସ । ଏହି ମାମଲାରେ ୨୦୨୧ରେ କୋର୍ଟ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ ।

୨୦୧୬ରେ ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ଗିରଫ ହୋଇଥିଲେ ଆପ୍ ନେତା ପ୍ରକାଶ ଜାରୱାଲ । ଏହାପରେ ୨୦୧୮ରେ ଦିଲ୍ଲୀ ମୁଖ୍ୟ ଶାସନ ସଚିବଙ୍କୁ ଅସଦାଚରଣ ଏବଂ ଏହାପୂର୍ବରୁ  ଦିଲ୍ଲୀ ଜଳ ବୋର୍ଡ କର୍ମଚାରୀଙ୍କୁ ଚାପୁଡ଼ା ମାରିବା ଅଭିଯୋଗରେ ୨୦୧୪ରେ ଯାଇଥିଲେ ଜେଲ୍ ।  

୨୦୧୯ରେ ଆପ୍ ବିଧାୟକ ଅଖିଳେଶପତି ତ୍ରିପାଠୀଙ୍କୁ ଗିରଫ କରିଥିଲା ଦିଲ୍ଲୀ ପୋଲିସ । ଏକ ମାମଲାରେ କୋର୍ଟରେ ହାଜର ହୋଇନଥିବା ନେଇ ବିଧାୟକଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରିଥିଲେ କୋର୍ଟ । କିନ୍ତୁ ଗିରଫ ହେବାର କିଛି ସମୟ ପରେ ୨୫ ହଜାରର ଜରିମାନା ଦେଇ ଜାମିନ ପାଇଥିଲେ । ଏହାପୂର୍ବରୁ ୨୦୧୫ରେ ଦଙ୍ଗା ସୃଷ୍ଟି ଅଭିଯୋଗରେ ତାଙ୍କୁ ଗିରଫ କରିଥିଲା ପୋଲିସ ।  

୨୦୧୫ରେ ଜାଲିଆତି ଏବଂ ଜମି କବ୍ଜା ଅଭିଯୋଗରେ ଗିରଫ ହୋଇଥିଲେ ଆପ୍ ବିଧାୟକ ମନୋଜ୍ କୁମାର । ଏମିତିକି ପାରିବାରିକ ହିଂସା ମାମଲାରେ ମନୋଜ ଦିଲ୍ଲୀ ମହିଳା ଆୟୋଗଙ୍କ ନିକଟରେ ହାଜର ହୋଇଥିଲେ । ତେବେ ଏହି ମାମଲାରେ ୨୦୨୦ରେ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ ମନୋଜ ।

ଜୁନ୍ ୨୦୧୬ରେ ଗିରଫ ହୋଇଥିଲେ ଆପ୍ ବିଧାୟକ ଶରଦ ଚୌହାନ୍ । ତାଙ୍କ ବିରୋଧରେ ନିଜ ପାର୍ଟିର ଜଣେ କର୍ମୀ ଆଣିଥିଲେ ଆତ୍ମହତ୍ୟା ପାଇଁ ଉତ୍ସାକାଉଥିବାର ଅଭିଯୋଗ । 

ନକଲି ଏଲ୍ଏଲ୍ବି ଡିଗ୍ରୀ ରଖିବା ଅଭିଯୋଗରେ ୨୦୧୫ରେ ଗିରଫ ହୋଇଥିଲେ ଆପ୍ ନେତା ଜିତେନ୍ଦ୍ର ସିଂ ତୋମାର । ସେତେବେଳେ ସେ ଆପ୍ ସରକାରର ତତ୍କାଳୀନ ଆଇନ ମନ୍ତ୍ରୀ ଥିଲେ । 

ସେହିପରି ଜୁନ୍ ୨୦୧୬ରେ ଅସଦାଚରଣ ମାମଲାରେ ଜେଲ୍ ଦଣ୍ଡରେ ଦଣ୍ଡିତ ହୋଇଥିଲେ ଦୀନେଶ ମୋହନିଆ । କିନ୍ତୁ ୨୦୨୦ରେ ଏହି ମାମଲାରେ ସେ ଦୋଷମୁକ୍ତ ହୋଇ ଜେଲ୍ରୁ ବାହାରିଛନ୍ତି । ତେବେ ଆପ୍ ନେତାଙ୍କ ଗିରଫ ହୋଇ ଜେଲ୍ ଯିବାର ଘଟଣା ଏତିକିରେ ସୀମିତ ରହିବ କି ଆଗକୁ ଆହୁରି ଦେଖିବାକୁ ମିଳିବ, ତାହା ସମୟ କହିବ…

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.