ବିରୋଧୀ ଦଳ ନେତା ଭାବେ ରାହୁଲ ଗାନ୍ଧିଙ୍କୁ ମିଳୁଛି କେତେ ବେତନ? ଜାଣନ୍ତୁ ପାଉଛନ୍ତି କେଉଁ ସବୁ ସୁବିଧା

Published By : Prameya-News7 Bureau | July 12, 2025 IST

ନୂଆଦିଲ୍ଲୀ ୧୨।୭: କଂଗ୍ରେସ ନେତା ରାହୁଲ ଗାନ୍ଧି ଏବେ ସଂସଦରେ ବିରୋଧୀ ଦଳ ନେତା। ଏହା ଏକ ଦାୟିତ୍ୱପୂର୍ଣ୍ଣ କାମ, ହେଲେ ଏଥି ପାଇଁ ତାଙ୍କୁ ମୋଟା ରକମର ବେତନ ଓ ଅନେକ ସୁବିଧା ସୁଯୋଗ ମଧ୍ୟ ମିଳୁଛି। ବିରୋଧୀ ଦଳ ନେତା ହେବା ପରେ ରାହୁଲ ଗାନ୍ଧିଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା ମିଳିଯାଇଥିଲା। ଏହା ସହିତ ତାଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ଭଳି ସୁରକ୍ଷା, ସ୍ୱତନ୍ତ୍ର ସରକାରୀ ବାହନ, ଘର, କର୍ମଚାରୀ ଓ ଅନ୍ୟ ସୁବିଧା ମଧ୍ୟ ମିଳୁଛି। 

ରାହୁଲ ଗାନ୍ଧିଙ୍କୁ ମାସିକ ୩ଲକ୍ଷ ୩୦ ହଜାର ଟଙ୍କା ବେତନ ମିଳୁଛି। ବାର୍ଷିକ ହିସାବରେ ସେ ୩୯ଲକ୍ଷ ୬୦ ହଜାର ଟଙ୍କା ପାଉଛନ୍ତି। ଏହି ବେତନରେ ତାଙ୍କୁ ସାଂସଦ ବେତନ, ନିର୍ବାଚନମଣ୍ଡଳି ଭତ୍ତା, ସତ୍କାର ଭତ୍ତା ଓ ଅନ୍ୟ ସୁବିଧା ମଧ୍ୟ ମିଳୁଛି। ଏହା ଛଡା ସରକାରଙ୍କ ପକ୍ଷରୁ ତାଙ୍କୁ ଜଣେ ବ୍ୟକ୍ତିଗତ ସଚିବ, ୨ଜଣ ଅତିରିକ୍ତ ବ୍ୟକ୍ତିଗତ ସଚିବ, ୨ ଜଣ ସହାୟକ ବ୍ୟକ୍ତିଗତ ସଚିବ, ୨ ବ୍ୟକ୍ତିଗତ ସହାୟକ, ଜଣେ ହିନ୍ଦୀ ଷ୍ଟେନୋ, ଜଣେ କ୍ଲର୍କ, ଜଣେ ସଫେଇ କର୍ମଚାରୀ ଓ ୪ ଜଣ ଚତୁର୍ଥଶ୍ରେଣୀ କର୍ମଚାରୀ ଯୋଗାଇ ଦିଆଯାଇଛି। 

ରାହୁଲ ଗାନ୍ଧିଙ୍କ ଶିକ୍ଷାଗତ ଯୋଗ୍ୟତା ଦେଖିଲେ ସେ ଦିଲ୍ଲୀ ଷ୍ଟିଫେନ କଲେଜରେ ପଢିଛନ୍ତି। ୧୯୮୯ ମସିହାରେ ସେ ଏଠାରେ ଆଡମିସନ ନେଇଥିଲେ। ତେବେ ସୁରକ୍ଷାଗତ କାରଣରୁ ସେ କଲେଜ ଛାଡିଥିଲେ। ଏହା ପରେ ସେ ୧୯୯୦ ମସିହାରେ ଆମେରିକାର ହାଭାର୍ଡ ୟୁନିଭର୍ସିଟିରେ ଆଡମିସନ କରିଥିଲେ। ତେବେ ପିତାଙ୍କ ହତ୍ୟା ହୋଇଯିବା ଯୋଗୁ ତାଙ୍କୁ ୟୁନିଭର୍ସିଟି ଛାଡିବାକୁ ପଡିଥିଲା। ରିପୋର୍ଟସ ଅନୁସାରେ ରାହୁଲ ହାଭାର୍ଡ ପରେ ଫ୍ଲୋରିଡାର ରୋଲିଂ କଲେଜରେ ଆଡମିସନ କରିଥିଲେ। 

ରୋଲିଂ କଲେଜରେ ସେ ୧୯୯୧ରୁ ୧୯୯୪ ମସିହା ପର୍ଯ୍ୟନ୍ତ ପାଠ ପଢିଥିଲେ। ଏଠାରୁ ସେ ବ୍ୟାଚଲର ଅଫ ଆର୍ଟସ୍ (ବିଏ) ଉତୀର୍ଣ୍ଣ ହୋଇଥିଲେ। ୧୯୯୫ ମସିହାରେ ରାହୁଲ କେମ୍ବ୍ରିଜ ୟୁନିଭର୍ସିଟିର ଟ୍ରିନିଟି କଲେଜରେ ଆଡମିସନ କରିଥିଲେ। ଏଠାରୁ ସେ ଏମ.ଫିଲ ଡିଗ୍ରି ହାସଲ କରିଛନ୍ତି। ୧୯୭୭ ଆଇନ ଅନୁସାରେ ରାହୁଲ ଗାନ୍ଧି ଯେଉଁ ପର୍ଯ୍ୟନ୍ତ ବିରୋଧୀ ଦଳନେତା ଥିବେ ସେ ପର୍ଯ୍ୟନ୍ତ ତାଙ୍କୁ ଫୁଲିଫର୍ଣ୍ଣିସଡ କ୍ୱାର୍ଟର ବିନା ଭଡାରେ ରହିବାକୁ ମିଳିବ। 

ଏହା ଛଡା ତାଙ୍କ ସରକାରୀ କ୍ୱାର୍ଟରର ରକ୍ଷଣାବେକ୍ଷଣା ପାଇଁ ମଧ୍ୟ ତାଙ୍କଠାରୁ ଶୁଳ୍କ ଅସୁଲ କରାଯିବ ନାହିଁ। ସେହିପରି ରାହୁଲ ଗାନ୍ଧି ୨୦୨୪ ସାଧାରଣ ନିର୍ବାଚନରେ ପାର୍ଥୀପତ୍ର ଦାଖଲ କାଳରେ ଯେଉଁ ସତ୍ୟପାଠ ଦେଇଥିଲେ, ସେହି ଅନୁସାରେ ରାହୁଲ ଗାନ୍ଧିଙ୍କ ମୋଟ ସମ୍ପତ୍ତିର ପରିମାଣ ୨୦.୩୪ କୋଟି ଟଙ୍କା ବୋଲି ଦର୍ଶାଇଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.