ଗାଁକୁ ନାହିଁ ରାସ୍ତା, ଠିକ୍ ସମୟରେ ପହଞ୍ଚି ପାରିଲାନି ଆମ୍ଵୁଲାନ୍ସ : ଖଟିଆରେ ବୁହାହେଲେ ରୋଗୀ
11/09/2022 at 11:18 AM

ଜଳେଶ୍ୱର ୧୧।୦୯ : ଗାଁକୁ ନାହିଁ ରାସ୍ତା। ପହଞ୍ଚି ପାରିଲାନି ଆମ୍ଵୁଲାନ୍ସ। ଏକ କିଲୋମିଟର ପର୍ଯ୍ୟନ୍ତ ଖଟିଆରେ ବୁହାହେଲେ ରୋଗୀ। ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକରେ ଏଭଳି ଘଟଣା ଦେଖିବାକୁ ମିଳିଛି ।

ଖବର ଅନୁଯାୟୀ, ମଥାନୀ ପଞ୍ଚାୟତର ଗମ୍ଭାରୀ ଗାଁର ସ୍ଵର୍ଗତ ଯୁଗେନ୍ଦ୍ର ଦାସଙ୍କ ପତ୍ନୀ ଅଭୟମଣି (୬୮ବର୍ଷ) ଦୁଇ ଦିନ ହେବ ଅସୁସ୍ଥ ଥିଲେ। ରବିବାର ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହେବାରୁ ପରିବାର ପକ୍ଷରୁ ତାଙ୍କୁ ବସ୍ତା ହସ୍ପିଟାଲ ନେବା ପାଇଁ ଉଦ୍ୟମ କରିଥିଲେ। ହେଲେ ଗାଁକୁ ରାସ୍ତା ନଥିବାରୁ ଘର ନିକଟକୁ ଆମ୍ଵୁଲାନ୍ସ ପହଞ୍ଚି ପାରିନଥିଲା। ଫଳରେ ଅଭୟମଣିଙ୍କ ପରିବାର ଲୋକେ ଗ୍ରାମବାସୀଙ୍କ ସହାୟତାରେ ବୃଦ୍ଧାଙ୍କୁ ଖଟିଆରେ ବୋହିଆଣି ଆମ୍ବୁଲାନ୍ସ ନିକଟରେ ପହଞ୍ଚାଇଥିଲେ।

ତେବେ ଗମ୍ଭାରୀ ଗାଁକୁ ଭଲ ରାସ୍ତା ନଥିବାରୁ ଗ୍ରାମବାସୀମାନେ ବିଭିନ୍ନ ସମୟରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏବେ ବର୍ଷା ଦିନ ହୋଇଥିବାରୁ ଲୋକମାନେ ଯାତାୟତ ପାଇଁ ହଇରାଣ ହେଉଛନ୍ତି। ତେଣୁ ଖୁବ୍ ଶୀଘ୍ର ଗାଁକୁ ରାସ୍ତା ନିର୍ମାଣ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।