ନୂଆଦିଲ୍ଲୀ: ଖଲିସ୍ତାନ ନେତା ତଥା ୱାରିସ ପଞ୍ଜାବ ଦି ସଂଗଠନର ମୁଖ୍ୟ ଅମ୍ରିତପାଲ ସିଂହଙ୍କୁ ଗିରଫ କରିବା ପାଇଁ ଆଜି ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ନେଇଛି ପଞ୍ଜାବ ପୁଲିସ୍। ତାକୁ ଗିରଫ କରିବା ପାଇଁ ରାଜ୍ୟ ପୁଲିସ ଫୁଲ୍ ଦମ୍ରେ ଲାଗିପଡ଼ିଛି। ରାଜ୍ୟସାରା ଚଢ଼ାଉ ଜାରି ରହିଛି। ଚଢ଼ାଉରେ ୭୮ ଜଣ ଗିରଫ ହୋଇଥିବା ବେଳେ ଅମ୍ରିତପାଲ୍ କିନ୍ତୁ ଫେରାର୍ ଅଛି।
ଏହା ପୂର୍ବରୁ ଅମ୍ରିତପାଲ୍ ଗିରଫ ହେବା ନେଇ ଖବର ପ୍ରକାଶ ପାଇଥିଲା। ଶନିବାର ଜଳନ୍ଧର ନକୋଦାର ଠାରେ ପୁଲିସ ତାକୁ ଗିରଫ କରିଥିଲା ବୋଲି ବିଭିନ୍ନ ମିଡିଆରେ ଖବର ପ୍ରକାଶ ପାଇଛି। ହେଲେ ପୁଲିସକୁ ପଚାରିବାରୁ ପୁଲିସ ମାମଲାରେ ନିରବ ରହିଥିଲା। ପରେ ଅମ୍ରିତପାଲ୍ ଧରାପଡ଼ି ନଥିବା ଜଣାପଡ଼ିଥିଲା।
ମିଳିଥିବା ସୂଚନା ଅନୁସାରେ, ଅମ୍ରିତପାଲକୁ ଧରିବା ପାଇଁ ୫୦ରୁ ଅଧିକ ପୁଲିସ ଗାଡ଼ି ତାର ପିଛା କରୁଥିଲା। ଅମ୍ରିତପାଲ୍ର ନୂଆ ଠିକଣା ଶାଖୋଟ ବୋଲି ଜାଣିବା ପରେ ପୁଲିସ ସକାଳୁ ଅମ୍ରିତପାଲ ଓ ତା ସହଯୋଗୀମାନଙ୍କୁ ଗିରଫ କରିବାକୁ ସେମାନଙ୍କର ପିଛା କରିବା ଆରମ୍ଭ କରିଦେଇଥିଲା।
ଗତ ମାସ ଅମ୍ରିପାଲ ସିଂହ ଏବଂ ତାର ସମର୍ଥକମାନେ ଅଞ୍ଜନାଲ ପୁଲିସ ଷ୍ଟେସନ୍ରେ ଖଣ୍ଡା ଭୁଜାଲି ଧରି ଭଙ୍ଗାରୁଜା କରିଥିଲେ। ପୁଲିସ ଗିରଫ କରିଥିବା ତାଙ୍କ ସହଯୋଗୀକୁ ଛାଡ଼ି ଦେବା ଦାବିରେ ଏଭଳି ଦାଦାଗିରି କରି ସେମାନେ ଏଭଳି କାଣ୍ଡ ଘଟାଇଥିଲେ। ଯେଉଁଥିରେ ପୁଲିସ କର୍ମଚାରୀ ଆହତ ମଧ୍ୟ ହୋଇଥିଲେ।