ବେଙ୍ଗାଲୁରୁ: କର୍ଣ୍ଣାଟକର ହାଭେରିରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମନାକୁ ଆସିଛି । ଗଣଦୁଷ୍କର୍ମ ଅଭିଯୁକ୍ତମାନେ ଜେଲରୁ ବାହାରିବା ପରେ ବିଜୟ ଯାତ୍ରା ବାହାର କରିଛନ୍ତି । ନାଚ-ଗୀତ ଓ ନାରାବାଜିରେ ପୂରା ସହର କମ୍ପାଇ ଥିଲେ । ଅଭିଯୁକ୍ତମାନେ ଏହି ସମୟରେ ଭିକ୍ଟ୍ରି ସାଇନ୍ ଦେଖାଉଥିବା ନଜର ଆସିଥିଲେ । ଉଲ୍ଲେଖଯୋଗ୍ୟ ଯେ ହାଭେରି ସେସନ୍ ଜଜ୍ ଗଣଦୁଷ୍କର୍ମର ୭ ମୁଖ୍ୟ ଅଭିଯୁକ୍ତଙ୍କୁ ଜାମିନ ଦେଇଥିଲେ । ୨୦୨୪ରେ ଅଭିଯୁକ୍ତମାନେ ଜଣେ ୨୬ ବର୍ଷୀୟ ମହିଳାଙ୍କ ସହ କଥିତ ଗଣଦୁଷ୍କର୍ମ କରିଥିଲେ ।
୨୦୨୪ ଜାନୁଆରୀ ୮ରେ ଜଣେ ମହିଳା ଏକ ହୋଟେଲ୍ ଯାଇଥିଲେ । ସେ ଦୀର୍ଘ ଦିନରୁ ଜଣେ ୪୦ ବର୍ଷୀୟ ବ୍ୟକ୍ତିଙ୍କ ସହ ସମ୍ପର୍କରେ ଥିଲେ । ସେହି ସମୟରେ କିଛି ଜଣ ହୋଟେଲ୍ ରୁମରେ ପଶିଥିଲେ ଓ ମହିଳାଙ୍କୁ ଜଙ୍ଗଲକୁ ଟାଣି ନେଇଥିଲେ । ସେଠାରେ ମହିଳାଙ୍କ ସହ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା । ପୀଡ଼ିତ ମହିଳାଙ୍କ ବୟାନ ଆଧାରରେ ପୋଲିସ ଗଣଦୁଷ୍କର୍ମ ମାମଲା ରୁଜୁ କରିଥିଲା ।
ପୋଲିସ ଏହି ମାମଲାରେ ୧୯ ଜଣଙ୍କୁ ଗିରଫ କରିଥିଲା, ଏଥିରେ ୭ ଜଣ ମୁଖ୍ୟ ଅଭିଯୁକ୍ତ ଥିଲେ । ୧୨ ଜଣ ଅପରାଧରେ କୌଣସି ନାଁ କୌଣସି ପ୍ରକାରେ ସହଯୋଗ କରିଥିଲେ । ପ୍ରାୟ ୧୦ ମାସ ପୂର୍ବେ ୧୦ ଅଭିଯୁକ୍ତଙ୍କୁ ଜାମିନ ମିଳିଥିଲା, ଅନ୍ୟ ୭ ଜଣଙ୍କ ଜାମିନ ବାରମ୍ୱାର ଖାରଜ ହେଉଥିଲା । ବର୍ତ୍ତମାନ ହାଭିରେ ସେସନ୍ କୋର୍ଟ ଏମାନଙ୍କୁ ଜାମିନ ଦେଇଛନ୍ତି । ଜେଲରୁ ବାହାରିବା ପରେ ଅଭିଯୁକ୍ତମାନେ ହାଭେରି ଅଫକି ଅଲୁର ସହରରେ ବିଜୟ ଯାତ୍ରା ବାହାର କରିଥିଲେ । ଏହି ଯାତ୍ରା ଅନେକ ବାଇକ୍ ଓ ଦାମୀ କାର୍ ସାମିଲ ଥିଲା ।