ଘରୁ ୬ କୋଟି ଟଙ୍କା ଜବତ ପରେ KSDL ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ବିଧାୟକ

Published By : Prameya-News7 Bureau | March 03, 2023 IST

ବେଙ୍ଗାଲୁରୁ: ପୁଅ ଲାଞ୍ଚ ନେଇ ଧରାପଡ଼ିବା ପରେ ଚେୟାରମ୍ୟାନ୍ ପଦରୁ ଇସ୍ତଫା ଦେଲେ କର୍ଣ୍ଣାଟକ ବିଜେପି ବିଧାୟକ ମଦଲ ବିରୁପାକ୍ଷପ୍ପା। ମହିଶୂର ସାଣ୍ଡାଲ ସାବୁନ ନିର୍ମାତା କର୍ଣ୍ଣାଟକ ସୋପ୍ ଆଣ୍ଡ ଡିଟର୍‌ଜେଣ୍ଟ ଲିମିଟେଡ୍‌(KSDL)ର ଚେୟାରମ୍ୟାନ୍ ପଦରୁ ଇସ୍ତଫା ଦେଇଛନ୍ତି ବିରୁପାକ୍ଷପ୍ପା।

ଗତକାଲି ଅଫିସ୍‌ରେ ବିରୁପାକ୍ଷପ୍ପାଙ୍କ ପୁଅ ପ୍ରଶାନ୍ତ ମଦଲ ୪୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ରେଡ୍‌ ହେଣ୍ଡେଡ୍ ଧରିଥିଲା ଲୋକାୟୁକ୍ତ। ଏହାପରେ ତାଙ୍କ ଅଫିସ୍‌ ଓ ଘରେ ଚଢ଼ାଉ କରାଯାଇଥିଲା। ଅଫିସ୍‌ରେ ୧.୭ କୋଟିର ନଗଦ ଟଙ୍କା ଜବତ ହୋଇଥିବା ବେଳେ ଘରୁ ୬ କୋଟି ଟଙ୍କା ଜବତ ହୋଇଥିବା ଲୋକାୟୁକ୍ତ ଅଫିସର ସୂଚନା ଦେଇଥିଲେ। ଏହି ମାମଲାରେ ବିଜେପି ବିଧାୟକ ବିରୁପାକ୍ଷପ୍ପାଙ୍କୁ ସମନ କରାଯାଇପାରେ ବୋଲି ସୂଚନା ମିଳିଛି।

ପୁଅ ପାଖରୁ ବେଆଇନ ଟଙ୍କା ଜବତ ପରେ ବିଜେପି ବିଧାୟକଙ୍କ ଉପରେ ଚାପ ବଢ଼ିଥିଲା। ବିରୋଧୀ ଦଳର ନେତାମାନେ ଜୋର୍‌ଦାର୍‌ ଆକ୍ରମଣ କରିଥିଲେ। ଏହି ଚାପରେ ବିରୁପାକ୍ଷପ୍ପା କ KSDLର ଚେୟାରମ୍ୟାନ୍ ପଦରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି।

ଦେବନାଗରେ ଜିଲ୍ଲା ଚନ୍ନାଗିରି ନିର୍ବାଚନ ମଣ୍ଡଳିର ବିଜେପି ବିଧାୟକ ହେଉଛନ୍ତି ବିରୁପାକ୍ଷପ୍ପା। ସେ ରାଜ୍ୟ କର୍ଣ୍ଣାଟକ ସରକାରୀ ସଂସ୍ଥା KSDLର ଚେୟାରମ୍ୟାନ୍ ଥିବା ବେଳେ ତାଙ୍କ ପୁଅ ପ୍ରଶାନ୍ତ ବେଙ୍ଗାଲୁରୁ ଜଳଯୋଗାଣ ଓ ସ୍ୱରେଜ୍ ବୋର୍ଡ(BWSSB)ର ଚିଫ୍ ଆକାଉଣ୍ଟାଣ୍ଟ ଅଛନ୍ତି। ଗୁରୁବାର ପ୍ରଶାନ୍ତ KSDL କାର୍ଯ୍ୟାଳୟରେ ଜଣଙ୍କ ଠାରୁ ୪୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଥିଲେ। ସେ ଲାଞ୍ଚ ନେଉଥିବା ଅଭିଯୋଗ ହେବା ପରେ ଲୋକାୟୁକ୍ତ ପ୍ରଶାନ୍ତଙ୍କ ଘର ଓ ଅଫିସରେ ଚଢାଉ କରିଥିଲା।

ପୁଅ ଲାଞ୍ଚ ନେଇ ଧରାପଡ଼ିବା ଓ ଘରୁ ୬ କୋଟି ଟଙ୍କା ଜବତ ହେବା ପରେ ବିଧାୟକଙ୍କ ଉପରେ ଚାପ ପଡ଼ିଥିଲା। ବିରୁପାକ୍ଷପ୍ପା ତାଙ୍କ ଇସ୍ତଫା ପତ୍ରରେ ଲୋକାୟୁକ୍ତ ତାଙ୍କ ବିରୋଧରେ ଲଗାଇଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଏନେଇ ସେ କହିଛନ୍ତି ଯେ ଲୋକାୟୁକ୍ତ ଯାହା କହିଛନ୍ତ ଏଥିରେ ମୋର କୌଣସି ସମ୍ପୃକ୍ତି ନାହିଁ। ମୋ ବିରୋଧରେ ଓ ମୋ ପରିବାର ବିରୋଧରେ ଏହା ଏକ ଷଡ଼ଯନ୍ତ୍ର ବୋଲି ବିଧାୟକ ତାଙ୍କ ଇସ୍ତଫାପତ୍ରରେ ଲେଖିଛନ୍ତି।

ଏହି ଘଟଣା ପରେ କଂଗ୍ରେସ ବିରୋଧୀ ବିଜେପିକୁ ତୀବ୍ର ସମାଲୋଚନା କରିଛି। କଂଗ୍ରେସ ପ୍ରବକ୍ତା ରଣଦୀପ ସୂର୍ଯେୱାଲା କହିଛନ୍ତି ଯେ ୪୦ ପ୍ରତିଶତ ସରକାରର ଦୁର୍ନୀତିର ଭୟଙ୍କର ଗନ୍ଧ ମହିଶୂରର ସେଣ୍ଡଲ ସାବୁନ ସୁନ୍ଦର ସୁଗନ୍ଧକୁ ଖରାପ କରିଦେଇଛି। ପ୍ରଥମେ KSDL ଚେୟାରମ୍ୟାନ୍‌ ବିଜେପି ବିଧାୟକ ବିରୁପାକ୍ଷପ୍ପାଙ୍କ ପୁଅ ୪୦ ଲକ୍ଷ ଲାଞ୍ଚ ନେଇ ଧରାପଡ଼ିଲେ। ଏହାର ୨୪ ଘଣ୍ଟା ନପୂରୁଣୁ ବିଧାୟକଙ୍କ ଘରେ ୬ କୋଟି ଜବତ ହେଲା ବୋଲି ସୂର୍ଯେୱାଲା ଟ୍ୱିଟ୍ କରିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.