ଆଠଗଡ଼ ୧୮।୭: କଟକ ଜିଲ୍ଲା ଖୁଣ୍ଟୁଣୀ ଥାନା ଦ୍ୱାରାବତୀପୁର ଗ୍ରାମର କାହ୍ନୁ ରାଉତ ମୃତ୍ୟୁ ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କ ସହ ଜଣଙ୍କୁ ଗିରଫ କଲା ଖୁଣ୍ଟୁଣୀ ପୋଲିସ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଚୌଦ୍ୱାର ଏସଡିପିଓ ଉମାକାନ୍ତ ନାୟକ । ଗିରଫ ଦୁଇ ଜଣ ହେଲେ ଖୁଣ୍ଟୁଣୀ ଥାନା ମହାକାଳବସ୍ତ ଗ୍ରାମର କୃଷ୍ଣଚନ୍ଦ୍ର ସେଠୀ ଏବଂ ବଟକୃଷ୍ଣ ସ୍ୱାଇଁ ।
ଏସ୍ଡିପିଓ କହିଛନ୍ତି, ପୋଲିସ ଏତଲା ପାଇବା ପରେ ତଦନ୍ତ ଆରମ୍ଭ କରି ପ୍ରଥମେ କୃଷ୍ଣଚନ୍ଦ୍ର ଓ ପରେ ବଟକୃଷ୍ଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରୁଛି । କଟକ ଏସ୍ପି ପ୍ରତୀକ ସିଂଙ୍କ ନିର୍ଦ୍ଦେଶ ପାଇବା ପରେ ଖୁଣ୍ଟୁଣୀ ଥାନା ପକ୍ଷରୁ ତୁରନ୍ତ ଦୁଇଟି ପୋଲିସ ଟିମ୍ ଗଠନ କରାଯାଇ ତଦନ୍ତ ଜାରି ରହିଛି । ତଦନ୍ତରେ ଯିଏ ବି ସାମ୍ନାକୁ ଆସିବ ତାକୁ କୌଣସି ହାଲତରେ ଛଡାନଯାଇ ଗିରଫ କରାଯିବ ବୋଲି ଏସ୍ଡିପିଓ କହିଥିଲେ ।
୧୨ଲକ୍ଷ ଟଙ୍କା ବିନିମୟରେ କେଶ ରଫାଦଫା କରିବା ପାଇଁ କାହ୍ନୁଙ୍କ ବଡ଼ ଭାଇ ଅଭିମନ୍ୟୁଙ୍କ ଉପରେ ପୋଲିସ ଚାପ ପକାଇଥିବା କାହ୍ନୁଙ୍କ ପତ୍ନୀ କରିଥିବା ଅଭିଯୋଗ ନେଇ ଏସ୍ଡିପିଓ କହିଛନ୍ତି, ଅଭିଯୋଗର ସତ୍ୟାସତ୍ୟ ସମ୍ପର୍କରେ ଅଭିଯୋଗ ପୋଲିସ ପାଖକୁ ଆସିନି, ଆସିଲେ ତାର ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ । ଏହା ସହିତ ଅନ୍ୟମାନଙ୍କ ବିରୁଦ୍ଧରେ ତଦନ୍ତ ଚାଲୁ ରହିବା ସହ ସେମାନେ ଫେରାର ରହିଥିବାରୁ ତାଙ୍କୁ ଗିରଫ କରିବାକୁ ଟିମ୍ ଉଦ୍ୟମ ଚଳାଇଥିବା ଚୌଦ୍ୱାର ଏସ୍ଡିପିଓ ଉମାକାନ୍ତ ନାୟକ ସୂଚନା ଦେଇଛନ୍ତି ।
You Can Read:
ବୃଦ୍ଧି ପାଇଲା କେଲୁଅ ଓ ଗେଙ୍ଗୁଟି ନଦୀର ଜଳସ୍ତର, ଏକର ଏକର ଚାଷ ଜମିରେ ପଶିଲା ପାଣି