କଳାହାଣ୍ଡିରେ କୃଷି ଅଧିକାରୀଙ୍କୁ ଖୁଣ୍ଟରେ ବାନ୍ଧିଦେଲେ ଚାଷୀ

Published By : Prameya-News7 Bureau | September 24, 2018 IST

ଭବାନୀପାଟଣା ୨୪|୯: କଳାହାଣ୍ଡି ଜିଲ୍ଲାରେ ୟୁରିଆ ସାରର କୃତ୍ରିମ ଅଭାବକୁ ନେଇ ନେଇ ନର୍ଲା କୃଷି ଅଧିକାରୀ ହୀନସ୍ତା । ୟୁରିଆ ସାର କଳାବଜାରୀ ଅଭିଯୋଗ ପରେ ଉତ୍ୟକ୍ତ ଚାଷୀ  କୃଷି ଅଧିକାରୀଙ୍କୁ ବିଦ୍ୟୁତ ଖୁଣ୍ଟ ରେ ବାନ୍ଧି ଦେଇଛନ୍ତି । ଏହାପରେ ଆକ୍ସନ ମୋଡ୍‌କୁ ଆସି ବିଭିନ୍ନ ସାର ଗୋଦାମରେ ଚଢାଉ କରିଛି ଜିଲ୍ଲା ପ୍ରଶାସନ ।… ଜନ ଅସନ୍ତୋଷର ପରିଣତି । ବିଦ୍ୟୁତ ଖୁଣ୍ଟରେ ବନ୍ଧା ହୋଇଛନ୍ତି କଲାହାଣ୍ଡି ନର୍ଲା ବ୍ଲକର କୃଷି ଅଧିକାରୀ ତ୍ରିନାଥ ବାଗ । ଜିଲ୍ଲା ପ୍ରଶାସନର ନୀରବତା ପାଇଁ ତାଙ୍କୁ ଏହି ଦଶା ଭୋଗିବାକୁ ପଡିଛି । ଜିଲ୍ଲାରେ ଗତ କିଛି ଦିନ ହେଲା ୟୁରିଆ ସାରର ଘୋର ଅଭାବ ଦେଖାଦେଇଛି । ହେଲେ କଳାବଜାରରେ ୟୁରିଆ ସାର ଚଢାଦରରେ ବିକ୍ରି ହେଉଛି । ଏନେଇ ଜିଲ୍ଲା ପ୍ରଶାସନକୁ ଲୋକେ ବାରମ୍ବାର ଆଭିଯୋଗ ସତ୍ବେ କୌଣସି ସମାଧାନହେଉନାହିଁ । ତେବେ ରୁପ୍ରା ରୋଡ ସ୍ଥିତ ଏକ ରାଇସ ମିଲ୍‌ରୁ, ଉତ୍କଳ ଷ୍ଟୋରର ୩ଶହ ବସ୍ତା ୟୁରିଆ ସାର ବୋଝେଇ ଏକ ଟ୍ରକକୁ ଚାଷୀ ଠାବ କରିଥିଲେ । ଏହାକୁ ଜବତ ପାଇଁ ଲୋକେ ସ୍ଥାନୀୟ କୃଷି ଅଧିକାରୀଙ୍କୁ କହିଥିଲେ । ହେଲେ ଏହା ତାଙ୍କ  ଅଧିକାର ଭୁକ୍ତ ନୁହେଁ ବୋଲି କହିବାରୁ କୃଷି ଅଧିକାରୀଙ୍କୁ ଲୋକେ ତାଙ୍କୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି  ଜିଲ୍ଲାପାଳଙ୍କୁ ଜଣାଇଥିଲେ । ଘଟଣାସ୍ଥଳରେ ଭବାନୀପାଟଣା ଉପଜିଲ୍ଲାପାଳ ମିର୍ଦ୍ଦା ଟପ୍ପୋ ପହଞ୍ଚି କୃଷି ଅଧିକାରୀଙ୍କୁ ଉଦ୍ଧାର କରିଥିଲେ । ପରେ ସାର ଡିଲର ରିତେଶ ଅଗ୍ରୱାଲଙ୍କ ଲାଇସେନ୍ସ ରଦ୍ଦ ପାଇଁ ସୁପାରିଶ କରାଯାଇଛି । ସେହିଭଳି କେସିଙ୍ଗା କୋଣାର୍କ ସୁତାକଳ ପରିସରରେ ଥିବା ଗୋଦାମରେ ବିଭିନ୍ନ କଂପାନୀ ର ଗଛିତ ୧୫ହଜାର ମେଟ୍ରିକ ଟନ ୟୁରିଆ ସାର ଚଢାଉ ବେଳେ ଠାବ କରାଯାଇଛି । ଏତେ ପରିମାଣର ୟୁରିଆ ସାର କାହିଁକି ଏଠାରେ ଗଚ୍ଛିତ ରଖାଯାଇଛି ତାର ତଦନ୍ତ ଚାଲିଛି । କୃଷି ଅଧିକାରୀଙ୍କୁ ବନ୍ଧା ଯିବା ଘଟଣାରେ ନର୍ଲା ଥାନାରେ ଏକ ମାମଲା ରୁଜୁ ହୋଇଛି । କଳାହାଣ୍ଡିରେ ୟୁରିଆ ସାର ଅଭାବ ଓ ଚଢା ଦରରେ ବିକ୍ରୀ ଅଭିଯୋଗ ବାରମ୍ବାର ହୋଇ ଆସୁଛି । ହେଲେ ନା ପ୍ରଶାସନ ଏଥିପ୍ରତି ଧ୍ୟାନ ଦେଉଛି ନା ରାଜନେତା । ଯାହାର ପ୍ରତିଫଳନ ଆଜି ଦେଖିବାକୁ ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.