୪ ନିର୍ଭୟା ଦୋଷୀଙ୍କ ରାଗ ଏବେ ଜୋର, ତିହାର ଜେଲ୍‌ରେ ଚାଲିଛି କାଉନସେଲିଂ: ସବୁଦିନ ସାଧାରଣ ଖାଦ୍ୟ ଓ ହଳେ ପୋଷାକ

Published By : Prameya-News7 Bureau | February 21, 2020 IST

ନୂଆଦିଲ୍ଲୀ ୨୧ | ୦୨- ଫାଶୀ ତାରିଖ ପୂର୍ବରୁ ନିର୍ଭୟା ମାମଲାର ୪ ଦୋଷୀଙ୍କ ଉପରେ କଡା ନଜର । ସେମାନଙ୍କ  ହାବଭାବ , ଚାଲିଚଳଣ ଏବଂ ବ୍ୟବହାର ଉପରେ ତିହାର ଜେଲ୍‌ କର୍ତ୍ତୁପକ୍ଷ ଏବଂ ଜେଲ କର୍ମଚାରୀ ରଖିଛନ୍ତି କଡା ଏବଂ ଅହର୍ନିଶି ନଜର । ତେବେ ୪ ଦୋଷୀଙ୍କ ମାନସିକ ସ୍ଥିତି ଏବେ ଉତ୍ତେଜିତ ଥିବା  ବା ସେମାନେ ଜୋରରେ ରାଗୁ ଥିବା ଜଣା ପଡିଛି । ସେଥିପାଇଁ  ତିହାର ଜେଲ୍‌ରେ ସେମାନଙ୍କୁ କାଉନସେଲିଂ କରାଯାଉଛି । ସେମାନଙ୍କୁ ସ୍ଥିର ଏବଂ ସାଧାରଣ ଅବସ୍ଥାରେ ରହିବାକୁ ବିଭିନ୍ନ ପରାମର୍ଶ ସହ ସେମାନଙ୍କ ମନ ହାଲକା ରଖିବାକୁ ତିହାର ଅଫିସର ମାନେ କାଉନସେଲିଂ କାର୍ଯ୍ୟକ୍ରମ ଜାରି ରଖିଛନ୍ତି । ତେବେ ୪ ଦୋଷୀଙ୍କ ମଧ୍ୟରୁ  ମୁକେଶ ସିଂ ଏବଂ ବିନୟ ଶର୍ମା ବେଶି ରାଗୁଥିବା ଜଣାପଡିଛି । ସେମାନଙ୍କ ହାବଭାବରୁ ତାହାର ସଂକେତ ମିଳିଛି । ଏପରିକି ଜେଲ୍‌ କର୍ମଚାରୀ ମାନେ ସେ ଦୁହିଁଙ୍କୁ ରୁଟିନ ଚେକ୍‌ଅପ୍‌ ଲାଗି କହିବା ବେଳେ ମଧ୍ୟ  ସେ ଦୁହେଁ ବେଶ୍‌ ଉତ୍ତେଜିତ ହୋଇପଡୁଥିବା ଲକ୍ଷ୍ୟ କରାଯାଉଛି ।ଅକ୍ଷୟ ଠାକୁର ଓ ପୱନ ଗୁପ୍ତାଙ୍କ ଉପରେ ମଧ୍ୟ ନଜର ରଖିଛନ୍ତି, ତିହାର ଜେଲ କର୍ତ୍ତୁପକ୍ଷ ।

ଗତ ସପ୍ତାହେ ହେବ ବିନୟ ଶର୍ମା ଜେଲ୍‌ କର୍ମଚାରୀଙ୍କୁ ଅଧିକ ଉଗ୍ର ଏବଂ ଅସ୍ବାଭାବିକ ଆଚରଣ ଦେଖାଉଛି । କିଛି ଦିନ ତଳେ କାନ୍ଥରେ ମୁଣ୍ଡ ପିଟି ସାମାନ୍ୟ ଆହତ ହୋଇଥିଲା ବିନୟ ଶର୍ମା । ସେ ଏବେ ବେଶି ରାଗୁଛି । ଏପରିକି ତାକୁ ଜେଲ୍ କର୍ମଚାରୀ ଖାଇବା ଦେବା ବେଳେ ବି ସେ ରାଗୁଛି । ଆହୁରି ସେ ରାଗି ଯାଉଛି ,ଯେତେବେଳେ ତାକୁ ଜେଲ୍‌ ନିୟମ ମାନିବାକୁ କୁହାଯାଉଛି । ମୁକେଶ ସିଂ ମଧ୍ୟ ଜେଲ୍‌ ନିର୍ଦ୍ଦେଶ ମାନିବାକୁ ମନା କରିଦେଉଛି ।

 ବିନୟ ଶର୍ମା  ତାର ମାନସିକ ସ୍ଥିତି ଠିକ ନଥିବା ଦର୍ଶାଇ  ଇନଷ୍ଟିଚ୍ୟୁଟ ଅଫ ହ୍ୟୁମାନ ବିହେଭିୟର ଆଣ୍ଡ ଆଲାଏଡ ସାଇନ୍ସେସ୍‌ରେ ଚିକିତ୍ସା ଲାଗି  କୋର୍ଟରେ ଦାବି କରିଥିଲା ।  ତେବେ ବିନୟ ଶର୍ମାର ଆଚରଣ ଏବଂ ବ୍ୟବହାରରୁ କାଉନସେଲର ମାନେ ତାର ମାନସିକ ଅବସ୍ଥାରେ କିଛି ତ୍ରୁଟି ବା ଅସ୍ବାଭାବିକତାର ସଂକେତ ପାଇନାହାନ୍ତି । କେବଳ ତିହାର ଜେଲ କାଉନସେଲର ନୁହନ୍ତି, ତିହାର କର୍ତ୍ତୁପକ୍ଷ ଜେଲ୍‌ର ଅନ୍ତେବାସୀ ଏବଂ କର୍ମଚାରୀଙ୍କ ମାନସିକ ଅବସ୍ଥା ଯାଞ୍ଚ ତଥା ଅନୁଧ୍ୟନ ଏବଂ କାଉନସେଲିଂ ଲାଗି ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନକୁ ନିୟୋଜିତ କରିଛନ୍ତି ।

ସେହି ଏନଜିଓରେ ମାନସିକ ସ୍ବାସ୍ଥ୍ୟ ବିଶେଷଜ୍ଞ ମଧ୍ୟ ରହିଛନ୍ତି, ଯେଉଁମାନେ ଜେଲ ଅନ୍ତେବାସୀ ଏବଂ କର୍ମଚାରୀଙ୍କ ମାନସିକ ସ୍ଥିତ ପରୀକ୍ଷା କରିଥାନ୍ତି । ତେଣୁ  ବିନୟ ଶର୍ମାର  ମାନସିକ ଅବସ୍ଥାରେ ସେଭଳି କିଛି ଅସ୍ବଭାବିକତା ର ସୂଚନା ମିଳିନି । ତେବେ ବିନୟ ଶର୍ମାଙ୍କ ଓକିଲ କୋର୍ଟଙ୍କୁ ଦର୍ଶାଇଥିଲେଯେ, ବିନୟ ତାକୁ ଦେଖା କରିବାକୁ ଆସିଥିବା ତାର ମାଆକୁ ଚିହ୍ନି ପାରିଲାନାହିଁ । ସେ ମାନସିକ ରୋଗରେ ପୀଡିତ ବୋଲି ଓକିଲ ଦର୍ଶାଇଥିଲେ । କିନ୍ତୁ ଜେଲ୍‌ କର୍ମଚାରୀ ମାନେ ବିନୟ ଓ ତାର ମାଆଙ୍କ ସାକ୍ଷାତ ବେଳେ ସେପରି କିଛି ସୂଚନା ପାଇନଥିବା ଜଣାଯାଇଛି । 

 ତିହାର ଜେଲ୍‌ରେ ଥିବା ୪ ନିର୍ଭୟା ଦୋଷୀଙ୍କୁ ସ୍ବତନ୍ତ୍ର ସେଲ୍‌ରେ ରଖାଯାଇଥିବା ବେଳେ, ସେମାନଙ୍କର କୌଣସି ପ୍ରକାର ଆତ୍ମହତ୍ୟା ଉଦ୍ୟମ ଉପରେ ତୀକ୍ଷଣ ତଥା ସତର୍କ ନଜର ରଖାଯାଇଛି ।ଏହା ସହ ଦୋଷୀ ମାନଙ୍କ ସହ ତାଙ୍କ ପରିବାର ଲୋକ ଏବଂ ଓକିଲଙ୍କ ସାକ୍ଷାତ ଆଲୋଚନା ବେଳେ ବି ସେମାନେ ସ୍କାନରରେ ରହୁଛନ୍ତି । ସିସି ଟିଭି କ୍ୟାମେରାର ସ୍କାନରରେ  ସର୍ବଦା ରହିଥିବା ଦୋଷୀ ମାନେ ଶୈଚ ପାଇଁ ଯିବା ବେଳେ ବି ସେମାନଙ୍କ ଉପରେ ନଜର ରଖିବାକୁ ସ୍ବତନ୍ତ୍ର ଗାର୍ଡ ରହିଛନ୍ତି ।ଶୌଚଘରୁ ବାହାରିବା ଯାଏଁ ସେ ଦୋଷୀଙ୍କ ଉପରେ ନଜର ରଖୁଛନ୍ତି ।

ଫାଶୀ ଦଣ୍ଡ ପର୍ଯ୍ୟନ୍ତ ଦୋଷୀ ମାନଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍‌ ରଖିବା ଲାଗି ସେମାନଙ୍କୁ ସାଧାରଣ ଖାଦ୍ୟ ଦିଆଯାଉଛି । ପ୍ରତ୍ୟେକ ଦିନ କେବଳ ଗୋଟିଏ ଲେଖାଁଏ ପୋଷାକ ସହ ନିହାତି ଆବଶ୍ୟକ ବ୍ୟକ୍ତିଗତ ବ୍ୟବହାର୍ଯ୍ୟ ସାମଗ୍ରୀ ଭିନ୍ନ କିଛି ବି ଦିଆ ଯାଉନାହିଁ । ଆସନ୍ତା ୩ ତାରିଖ ସକାଳ ୬ ଟାରେ ଏହି ୪ ଦୋଷୀଙ୍କ ଫାଶି ଲାଗି କୋର୍ଟ ସାନି ଡେଥ୍‌ ୱାରେଣ୍ଟ ଜାରି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.