ବଢିଲା ଜେ.ପି ନଡ୍ଡାଙ୍କ କାର୍ଯ୍ୟକାଳ, ୨୦୨୪ ଜୁନ ଯାଏ ରହିବେ ବିଜେପି ଅଧ୍ୟକ୍ଷ

Published By : Prameya-News7 Bureau | January 17, 2023 IST

ନୂଆଦିଲ୍ଲୀ: ବିଜେପିର ଦୁଇ ଦିନିଆ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଦିଲ୍ଲୀରେ ଜାରି ରହିଛି । ଏହି ବୈଠକରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ କାର୍ଯ୍ୟକାଳ ବୃଦ୍ଧି ଉପରେ ମୋହର ବାଜିଛି । ଜେପି ନଡ୍ଡା ଆସନ୍ତା ଏକ ବର୍ଷ ଯାଏ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ହୋଇ ରହିବେ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହି ସୂଚନା ଦେଇଛନ୍ତି । ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ହିଁ ବିଜେପି ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ଲଢିବ । ଆସନ୍ତା ୨୦୨୪ ଜୁନ ମାସ ଯାଏ ଜେ.ପି ନଡ୍ଡା ବିଜେପିର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ । ଏହି ଅବସରରେ ଶାହ କହିଛନ୍ତି, ‘ମୋଦୀ ଜୀ ଏବଂ ନଡ୍ଡା ଜୀଙ୍କ ନେତୃତ୍ୱରେ ବିଜେପି ୨୦୨୪ରେ ଆହୁରି ଅଧିକ ବହୁମତରେ ବିଜୟୀ ହେବ ଏବଂ ପୁଣି ଥରେ ମୋଦୀ ଜୀ ଦେଶର ନେତୃତ୍ୱ ପିଏମ ଭାବେ କରିବେ’। ମଙ୍ଗଳବାର ଶାହ କହିଛନ୍ତି ଯେ ନଡ୍ଡାଙ୍କ ନେତୃତ୍ୱରେ ଦଳ ମହାମାରୀ ସମୟରେ ଲୋକଙ୍କ ପାଖରେ ସହାୟତା ପହଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ।

wp:html /wp:html

ଏହା ପୂର୍ବରୁ ସୋମବାର କାର୍ଯ୍ୟକାରିଣୀ ବୈଠକର ଉଦଘାଟନୀ ଅଧିବେଶନକୁ ସମ୍ୱୋଧିତ କରି ନଡ୍ଡା କହିଥିଲେ, '୨୦୨୩ ମସିହା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ ଏବଂ ଆମକୁ ୯ ରାଜ୍ୟରେ ନିର୍ବାଚନ ଲଢିବାର ଅଛି'। ନିର୍ବାଚନ ଲାଗି ଅଣ୍ଟା ଭିଡିବା ପାଇଁ ସେ ପୂରା କାର୍ଯ୍ୟକାରିଣୀଙ୍କୁ ଆହ୍ୱାନ ଦେଇ ସମସ୍ତ ୯ ରାଜ୍ୟ ଜିତିବାର ଅଛି ବୋଲି କହିଥିଲେ ।

ବିଜେପି ଅଧ୍ୟକ୍ଷ କହିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଭାରତ ଆଜି ଦୁନିଆର ପଞ୍ଚମ ବୃହତ ଅର୍ଥନୀତି, ମୋବାଇଲ ଫୋନର ଦ୍ୱିତୀୟ ସବୁଠୁ ବଡ଼ ନିର୍ମାତା, ଅଟୋମୋବାଇଲ କ୍ଷେତ୍ରରେ ତୃତୀୟ ବଡ଼ ନିର୍ମାତା ହୋଇଛି । ସେ କହିଥିଲେ ଯେ ପୂର୍ବେ ପ୍ରତିଦିନ ୧୨ କିଲୋମିଟରର ରାଜମାର୍ଗ ନିର୍ମାଣ ହେଉଥିଲା, ଆଜି ୩୭ କିଲୋମିଟର ନିର୍ମାଣ ହେଉଛି । ଦେଶ ଆଜି ମାଗଣା ରାସନ ସହ ଅନେକ କଲ୍ୟାଣକାରୀ ଯୋଜନାରେ ଗରିବଙ୍କୁ ସଶକ୍ତ କରିବାର କାମ କରାଯାଉଛି ।   

ଜେ.ପି ନଡ୍ଡାଙ୍କୁ ୨୦୨୦ ଜାନୁଆରୀ ୨୦ରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଥିଲା । ୨୦୧୯ ମସିହାରେ ଅମିତ ଶାହଙ୍କୁ କେନ୍ଦ୍ର ଗୃହମନ୍ତ୍ରୀ ଭାବେ ନିଯୁକ୍ତି ଦିଆଯିବା ପରେ ନଡ୍ଡା ପାର୍ଟିର ଅଧ୍ୟକ୍ଷ ଦାୟିତ୍ୱ ସମ୍ଭାଳିଥିଲେ । ନଡ୍ଡାଙ୍କ ନେତୃତ୍ୱରେ ଦଳ ବିହାର, ମହାରାଷ୍ଟ୍ର ପରି ରାଜ୍ୟରେ ଭଲ ପ୍ରଦର୍ଶନ କରିଛି ଏବଂ ପଶ୍ଚିମବଙ୍ଗରେ ମଧ୍ୟ ଲାଭ ମିଳିଛି ।

ଉଲ୍ଲେଖଯୋଗ୍ୟ ଯେ ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ଏନଡିଏମସି କଭେନଶନ ସେଣ୍ଟରେ ଦୁଇ ଦିନ ଧରି ଚାଲିଛି । ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ବିଜେପି ମହାସଚିବ(ସଂଗଠନ) ବିଏଲ ସନ୍ତୋଷ, ରାଜନାଥ ସିଂ, ନିର୍ମଳା ସୀତାରମଣ, ଏସ.ଜୟଶଙ୍କରଙ୍କ ସହ ୩୫ କେନ୍ଦ୍ରମନ୍ତ୍ରୀ, ୧୨ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ସବୁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶର ଅଧ୍ୟକ୍ଷଙ୍କ ପାର୍ଟିର ପଦାଧିକାରୀ ଯୋଗ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.