ନୂଆଦିଲ୍ଲୀ: ଜାପାନ ଏବେ ବିଶ୍ୱର ଦ୍ରୁତତମ ଇଣ୍ଟରନେଟ୍ ହାସଲ କରିଛି। ଗବେଷକମାନେ ପ୍ରତି ସେକେଣ୍ଡରେ ୧.୦୨ ପେଟା ବାଇଟ୍ ଇଣ୍ଟରନେଟ ସ୍ପିଡ୍ ହାସଲ କରିଛନ୍ତି। ଏହାର ଅର୍ଥ ଏହି ଇଣ୍ଟରନେଟ୍ ସ୍ପିଡରେ ଆଖି ପିଛୁଳାକେ ସମ୍ପୂର୍ଣ୍ଣ ନେଟଫ୍ଲିକ୍ସ ଲାଇବ୍ରେରୀ ଡାଉନଲୋଡ୍ କରିହେବ। ଆଉ ଏହା ସହ ଜାପାନ ଏହାର ଭିତ୍ତିଭୂମି ବିକାଶରେ ଆଉ ଦୁଇ ପାଦ ଆଗକୁ ବଢ଼ିଛି।
ଦେଶର ୱେବ୍ ବ୍ରାଉଜିଂ ଏବଂ ଡାଉନଲୋଡିଂ ଗତି ଭାରତର ହାରାହାରି ଇଣ୍ଟରନେଟ୍ ଗତି ୬୩.୫୫ Mbps ତୁଳନାରେ ୧୬ ନିୟୁତ ଗୁଣ ଏବଂ ଆମେରିକାର ହାରାହାରି ଇଣ୍ଟରନେଟ୍ ତୁଳନାରେ ୩.୫ ନିୟୁତ ଗୁଣ ଦ୍ରୁତ । ଜାପାନାର ଜାତୀୟ ସୂଚନା ଏବଂ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ (NICT)ର ଏକ ରିପୋର୍ଟରୁ ଏହା ଜଣାପଡ଼ିଛି ।
ଜାପାନର ନୂତନ ଇଣ୍ଟରନେଟ୍ ସ୍ପିଡ୍ ସହିତ, ଜଣେ ବ୍ୟକ୍ତି କେବଳ ଗୋଟିଏ ସେକେଣ୍ଡରେ ସମ୍ପୂର୍ଣ୍ଣ ଇଂରାଜୀ ୱିକିପିଡିଆକୁ ୧୦ ହଜାର ଥର ଡାଉନଲୋଡ୍ କରିପାରିବ । ଇଂରାଜୀ ୱିକିପିଡିଆ ପ୍ରାୟ ୧୦୦ GB ସ୍ଥାନ ନେଉଥିବା କୁହାଯାଏ । ଆପଣ ଗୋଟିଏ ସେକେଣ୍ଡ ମଧ୍ୟରେ 8K ଭିଡିଓ ମଧ୍ୟ ଡାଉନଲୋଡ୍ କରିପାରିବେ। ଜାପାନର ଇଞ୍ଜିନିୟରମାନେ ଏହି ଗତି ହାସଲ କରି ଏକ ଚମତ୍କାର ରେକର୍ଡ ସୃଷ୍ଟି କରିଛନ୍ତି । ଏହାର ବ୍ୟବହାରିକ ପ୍ରୟୋଗ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ ।
ଏକ ଆକଳନ ଅନୁଯାୟୀ, ୧.୦୨ ପେଟା ବାଇଟ୍ ସହିତ 8K ଭିଡିଓ ଥିବା ୧୦ ନିୟୁତ ଚ୍ୟାନେଲକୁ ଏକକାଳୀନ ଦେଖାଯାଇ ପାରିବ। ଏହା ସହିତ, ମୁଭି ଲାଇବ୍ରେରୀ ଭଳି ବଡ଼ ଫାଇଲ୍ ଡାଉନଲୋଡ୍ କରିବାକୁ କେବଳ କିଛି ସେକେଣ୍ଡ ସମୟ ଲାଗିବ। ଏହା ସହିତ, 8K କିମ୍ବା 16K ସମେତ ଉଚ୍ଚ-ରିଜୋଲ୍ୟୁସନ୍ ଭିଡିଓ ଷ୍ଟ୍ରିମିଂ କୌଣସି ବଫରିଂ କିମ୍ବା ବିଳମ୍ବ ବିନା କରିହେବ ।
ସେପଟେ ଇଣ୍ଟରନେଟ୍ ଦୁନିଆରେ ଜାପାନ ପାଇଁ ଏହା ସବୁଠାରୁ ବଡ଼ ଉପଲବ୍ଧି ହୋଇଥିଲେ ବି ଏହାକୁ ସାଧାରଣରେ ବ୍ୟବହାର କରିବା ପ୍ରାୟ ଅସମ୍ଭବ । ବର୍ତ୍ତମାନର ଇଣ୍ଟରନେଟ୍ ଭିତ୍ତିଭୂମି (ଫାଇବର ଅପ୍ଟିକ୍ କେବୁଲ୍ ଏବଂ ବ୍ୟବହାରକାରୀ ଡିଭାଇସ୍) ଏପରି ଗତି ପରିଚାଳନା କରିବା ପାଇଁ ଡିଜାଇନ୍ ହୋଇନାହିଁ । ଏପରି ଗତି ପରିଚାଳନା କରିବା ପାଇଁ କେଉଁ ଭିତ୍ତିଭୂମି ପ୍ରସ୍ତୁତ କରାଯାଇପାରିବ ତାହା ଜଣାପଡ଼ି ନାହିଁ । ବାସ୍ତବିକ ଭାବରେ କହିବାକୁ ଗଲେ, ଏପରି ଇଣ୍ଟରନେଟ୍ ସ୍ପିଡ୍ ହାସଲ ଏବଂ ବଣ୍ଟନ କରିବା ପାଇଁ ପ୍ରଯୁକ୍ତିବିଦ୍ୟା ବହୁତ ମହଙ୍ଗା ହୋଇପାରେ। ଏହା ସହିତ, ଦ୍ରୁତ ଇଣ୍ଟରନେଟ୍ ବ୍ୟବହାର ହେଲେ ଏଥିରେ ସାଇବର ସୁରକ୍ଷା ପ୍ରତି ମଧ୍ୟ ବଡ଼ ବିପଦ ସୃଷ୍ଟି ହେବାର ସମ୍ଭାବନା ରହିଛି ।
ଏହି ସବୁ ସମ୍ଭାବ୍ୟ ସମସ୍ୟାର ସମାଧାନ ଯେପର୍ଯ୍ୟନ୍ତ ନମିଳିଛି, ସେବେ ଯାଏଁ ସାଧାରଣ ଲୋକେ ୧.୦୨ ପେଟା ବାଇଟ୍ ସ୍ପିଡ୍ ବ୍ୟବହାର କରିବା ସମ୍ଭବପର ନୁହେଁ ।