ଶ୍ରୀନଗର ୨୪/୮: ମୋଟର ଯାନ ଖରିଦଦାରୀ ଓ ପଞ୍ଜୀକରଣ ଆଇନର ୪୯୨ ଧାରା ଅନୁସାରେ ଜାମ୍ମୁ-କାଶୀରରେ ଏବେ ୯ ପ୍ରତିଶତ ସର୍ବକାଳୀନ ଟିକସ(ଅଲ୍ ଟାଇମ ଟାକ୍ସ) ଆଦାୟ ବ୍ୟବସ୍ଥା ଲାଗୁ ହୋଇଛି । ତେବେ ଏହାକୁ ଉଚ୍ଛେଦ କରିବା ଲାଗି ଜମ୍ମୁ କାଶ୍ମୀର ଚ୍ୟାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଦାବି କରିଛନ୍ତି।
ଚ୍ୟାମ୍ବର ପଦାଧିକାରୀଙ୍କ ଅନୁସାରେ ଏହା ଦ୍ବାରା ଅଟୋ ମୋବାଇଲ୍ ସହ ଜଡ଼ିତ ବ୍ୟବସାୟ ଓ ଗ୍ରାହକମାନେ ମଧ୍ୟ ପ୍ରଭାବିତ ହେଉଛନ୍ତି। ଗ୍ରାହକଙ୍କୁ ଅଧିକ ଟ୍ୟାକ୍ସ ଦେବାକୁ ପଡ଼ୁଛି। ଜାମ୍ମୁ କାଶ୍ମୀରର ପରିବହନ ବିଭାଗ ରାଜ୍ୟର ହିତ ପାଇଁ ଏପରି ଆଦେଶ ଜାରି କରିଛନ୍ତି। ତେବେ ରାଜ୍ୟପାଳ ଶୀଘ୍ର ଏଥିରେ ହସ୍ତକ୍ଷେପ କରି ଏହି ଏସଆରଓ ଧାରାକୁ ହଟାଇବା ଲାଗି ଦାବି ହୋଇଛି।
ଚ୍ୟାମ୍ବର ହାଉସରେ ଗତ ବୁଧବାର ସାମ୍ବାଦିକଙ୍କ ସହ କଥା ହେବାବେଳେ ଚ୍ୟାମ୍ବରର ମୁଖ୍ୟ କହିଥିଲେ ଯେ ପରିବହନ ବିଭାଗ ହଠାତ୍ ନୂଆ ବାହନ ଉପରେ ଓ୍ବାନ ଟାଇମ୍ ଟ୍ୟାକ୍ସ ୯ ପ୍ରତିଶତ ଏବଂ ୧.୫ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ଗାଡି ଉପରେ ୧୦ପ୍ରତିଶତ ଟ୍ୟାକ୍ସ ବୃଦ୍ଧି କରିଦେଇଛି। କିନ୍ତୁ ପଡ଼ୋଶୀ ରାଜ୍ୟ ହିମାଚଳ ପ୍ରଦେଶ,ପଞ୍ଜାବରେ ୩ରୁ ୬ ପ୍ରତିଶତ ପଞ୍ଜୀକରଣ ଫିସ୍ ନିଆଯାଉଛି ଏବଂ ଏଥିରେ ଜିଏସଟି ଛାଡ଼ କରାଯାଇଛି।
ଜାମ୍ମୁ କାଶ୍ମୀରରେ ଗାଡିର ମୂଳ ମୂଲ୍ୟ ସହ ଜିଏସଟିକୁ ସାମିଲ କରାଯାଉଛି। ଅଟୋ ସେକ୍ଟରରେ ଏବେ ୩୦ ପ୍ରତିଶତ ବ୍ୟବସାୟରେ ହ୍ରାସ ଦେଖା ଦେଇଛି। ଅଟୋ ମୋବାଇଲ୍ ଉତ୍ପାଦକ ପ୍ଲାଣ୍ଟକୁ ବନ୍ଦ କରିବା ସହ ଅସ୍ଥାୟୀ କର୍ମୀଙ୍କୁ ଛଟେଇ କରି ଦିଆଯାଉଛି। ଅଟୋ ମୋବାଇଲ୍ ଉପକରଣ ସପ୍ଲାଏ କରୁଥିବା ବ୍ୟକ୍ତିଙ୍କ ଅବସ୍ଥା ମଧ୍ୟ ସେହିଭଳି ରହିଛି। ଏଭଳି ଅବସ୍ଥାରେ ଜାମ୍ମୁ କାଶ୍ମୀରରେ ୫ଲକ୍ଷ ଟଙ୍କାର ଗାଡି ଉପରେ ୪୫୦୦୦ ଏବଂ ୩୨.୫ଲକ୍ଷ ଟଙ୍କାରେ ୨୯୨୫୦୦ଟଙ୍କା ଟିକସ ଆଦାୟ କରାଯାଉଛି। ଏନଆଇସିରୁ ମିଳିଥିବା ତଥ୍ୟ ଅନୁସାରେ ପରିବହନ ବିଭାଗ ୨୦୧୮-୧୯ରେ ୧୭୭କୋଟି ଟଙ୍କା ଟିକସ ଆଦାୟ କରିଛି । କିନ୍ତୁ ଚଳିତ ବର୍ଷ ଏହା ୯୦୦କୋଟି ଟଙ୍କା ଛୁଇଁବ। ଏହାର ସିଧାସଳଖ ବୋଝ ଗ୍ରାହକଙ୍କ ଉପରେ ପଡ଼ୁଛି। ସେ କହିଛନ୍ତି ଯେ ଅଧିକ ଟ୍ୟାକ୍ସ କାରଣରୁ ଅଗଷ୍ଟ ମାସର ବର୍ତ୍ତମାନ ସୁଦ୍ଧା ଗାଡି ବିକ୍ରି ୯୦ପ୍ରତିଶତ ହ୍ରାସ ପାଇଛି ।