ବସ୍ତି ଉଚ୍ଛେଦକୁ ବାସିନ୍ଦାଙ୍କ ବିରୋଧ, ସମସ୍ୟାର ସମାଧାନ ନହେଲେ ଜୋରଦାର୍ ଆନ୍ଦୋଳନ
10/01/2023 at 1:50 PM

ପୁରୀ ୧୦।୦୧ : ବସ୍ତି ଉଚ୍ଛେଦ ନେଇ ନୋଟିସ ମରାଯିବା ପରେ ତୀବ୍ର ବିରୋଧ। ପୁରୀ ରାମମନ୍ଦିର ନିକଟରେ ଥିବା ଜାଲି ସାହି ବସ୍ତିକୁ ଉଛେଦ କରାଯିବା ନେଇ ପୌରପାଳିକା ପକ୍ଷରୁ ନୋଟିସ ମରାଯିବା ପରେ ଏହାକୁ ବିରୋଧ କରିଛନ୍ତି ବସ୍ତିବାସିନ୍ଦା।
ରାସ୍ତା ଓ ଡ୍ରେନ୍ ନିର୍ମାଣ ଆଳରେ ଜାଲି ବସ୍ତିର ଶତାଧିକ ଘର ଭାଙ୍ଗିବା ନେଇ ପ୍ରଶାସନର ଯୋଜନାକୁ ବସ୍ତିବାସିନ୍ଦା ବିରୋଧ କରିଛନ୍ତି। ବସ୍ତିକୁ ରାସ୍ତା ଥିବାବେଳେ ଆଉ ରାସ୍ତା ପ୍ରଶସ୍ତିକରଣ କରିବା ଆବଶ୍ୟକ ନାହିଁ ବୋଲି କହିଛନ୍ତି ବସ୍ତି ଲୋକେ। ପୁରୀ ପୌରପାଳିକାର ଜଣେ ଅଧିକାରୀଙ୍କ ଘରକୁ ରାସ୍ତା ଯିବା ପାଇଁ ୫୦ରୁ ଅଧିକ ପରିବାରକୁ ଉଛେଦ କରିବା କେତେଦୂର ଠିକ୍ ସେନେଇ ପ୍ରଶ୍ନ ଉଠିଛି।
ସେହିପରି ପୂର୍ବରୁ ଏହି ଘଟଣାକୁ ନେଇ ପୌରସଂସ୍ଥା ନିର୍ବାହୀ ଅଧିକାରୀଙ୍କ ସହ ବସ୍ତିବାସିନ୍ଦା ଲୋକେ ଆଲୋଚନା କରିଥିଲେ। ବସ୍ତିବାସିନ୍ଦାଙ୍କ ଅଭିଯୋଗ ଉପରେ ଶୁଣାଣି ନକରି ପୌରସଂସ୍ଥା ନିର୍ବାହୀ ଅଧିକାରୀ ତାଙ୍କ କର୍ମଚାରୀଙ୍କ ବ୍ୟକ୍ତିଗତ ସ୍ବାର୍ଥ ପାଇଁ ଏଭଳି କରିଥିବା ଅଭିଯୋଗ ହୋଇଛି। ପ୍ରଶାସନ ଖୁବଶୀଘ୍ର ଏହାର ସମାଧାନ ନକଲେ ଆଗକୁ ବ୍ୟାପକ ଆନ୍ଦୋଳନ ହେବ ବୋଲି ବସ୍ତିବାସିନ୍ଦା ଲୋକେ ଚେତାବନୀ ଦେଇଛନ୍ତି।