ନୂଆଦିଲ୍ଲୀ - ଗାଜା ପଟ୍ଟିରେ ଇସ୍ରାଏଲୀୟ ସେନାର ହମଲା ଜାରି ରହିଛି। ଏବେସୁଦ୍ଧା ୫୮,୦୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇ ସାରିଛି, ଯେଉଁଥିରେ ଅଧାରୁ ଅଧିକ ମହିଳା ଓ ଶିଶୁ ଅଛନ୍ତି। ଗତ ୨୪ ଘଣ୍ଟାରେ ଆଉ ୧୩୯ ଜଣଙ୍କ ମୃତ୍ୟୁ ରେକର୍ଡ କରାଯାଇଛି। ରବିବାର ଏଠାରେ ଶରଣାର୍ଥୀ ଶିବିରରେ ପାଣି ଭରୁ ଥିବା ଶିଶୁଙ୍କ ଉପରେ ମିସାଇଲ ଆଟାକ୍ ହୋଇଥିଲା। ଏଥିରେ ଅନେକ ଲୋକଙ୍କ ଜୀବନ ଚାଲି ଯାଇଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଥିଲେ। ଏପଟେ , ଇସ୍ରାଏଲୀୟ ସେନା ହମଲାକୁ ମାନବୀୟ ଦୁଃଖଦ ଘଟଣା କହି ସଫେଇ ଦେଇ କହିଛି , ଏହା ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଘଟିଛି, ଟାର୍ଗେଟ୍ ଅନ୍ୟ ସ୍ଥାନକୁ ଥିଲା।
ଆଇଡିଏଫ୍ ଏକ ବିବୃତ୍ତିରେ କହିଛି , ଆମେ ନିର୍ଦ୍ଦୋଷ ନାଗରିକଙ୍କ କ୍ଷତିରେ ଦୁଃଖ ପ୍ରକାଶ କରୁଛୁ। ସ୍ଥାନୀୟ ଅଧିକାରୀମାନେ କହିଛନ୍ତି , ଆକ୍ରମଣରେ ଅତି କମ୍ରେ ଆଠ ଜଣଙ୍କର ମୃତ୍ୟୁ ହୋଇଛି ଏବ ୧୭ ଜଣ ଆହତ ହୋଇଛନ୍ତି।
ଆକ୍ରମଣ ନୁସେରତ ଶରଣାର୍ଥୀ ଶିବିରରେ ଏକ ଜଳ ବିତରଣ କେନ୍ଦ୍ର ଉପରେ ହୋଇଥିଲା, ଯେଉଁଠି ସ୍ଥାନୀୟ ଲୋକେ ଜଳ ସଂଗ୍ରହ କରିବାକୁ ରୁଣ୍ଡ ହୋଇ ଥିଲେ। ଅଲ-ଅୱଦା ହସ୍ପିଟାଲର ଜରୁରୀକାଳୀନ ଡାକ୍ତର ଅହମ୍ମଦ ଅବୁ ସୈଫାନ କହିଛନ୍ତି , ହମଲାରେ ୬ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ୧୭ ଜଣ ଆହତ ହୋଇଛନ୍ତି।
ଗତ କିଛି ସପ୍ତାହ ଧରି ଗାଜା ଗୁରୁତର ଜଳାଭାବର ସମ୍ମୁଖୀନ ହେଉଛି। ଇନ୍ଧନ ଅଭାବ ଯୋଗୁଁ ସ୍ୱେରେଜ ବ୍ୟବସ୍ଥା ମଧ୍ୟ ବନ୍ଦ ହୋଇ ଯାଇଛି, ଯାହା ଫଳରେ ଲୋକେ ସାର୍ବଜନୀନ ଜଳ ବଣ୍ଟନ କେନ୍ଦ୍ର ଉପରେ ନିର୍ଭରଶୀଳ ହୋଇଛନ୍ତି।