ନୂଆଦିଲ୍ଲୀ : ଇରାନ ଓ ଇସ୍ରାଏଲ ମଧ୍ୟରେ ଖୁବ୍ ଜୋରରେ ଉତ୍ତେଜନା ବଢି ଯାଇଛି। ଏହି ସ୍ଥିତିରେ ତେହରାନରେ ଭୟର ବାତାବରଣ ଖେଳି ଯାଇଛି । ଏହାର କାରଣ , ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସୋସିଆଲ ମିଡ଼ିଆ ପୋଷ୍ଟ। ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଭିଡ଼ିଓ ଓ ଫଟୋରେ ଦେଖା ଯାଉଛି ଯେ , ରାଜଧାନୀ ତେହରାନରୁ ବାହାରକୁ ଯାଇଥିବା ରାସ୍ତାରେ ପ୍ରବଳ ଭିଡ଼ ଓ ଜାମ୍ ଭଳି ସ୍ଥିତି ଉପୁଜିଛି। ରିପୋର୍ଟ ମୁତାବିକ , ହଜାର ହଜାର ଲୋକ ଭୟର ମାହୋଲ ଭିତରେ ସହର ଛାଡ଼ି ପଳାୟନ କରୁଛନ୍ତି।
ଏହି ଧାଁ ଦୌଡ଼ର ଏକ ବଡ଼ କାରଣ ଟ୍ରମ୍ପଙ୍କ ଏକ ସୋସିଆଲ ମିଡ଼ିଆ ପୋଷ୍ଟ ବୋଲି କୁହାଯାଉଛି। ଟ୍ରମ୍ପ ନିଜର ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ‘ଟ୍ରୁଥ୍ ସୋସିଆଲ’ ରେ ଲେଖିଛନ୍ତି – ସମସ୍ତଙ୍କୁ ତୁରନ୍ତ ତେହେରାନ ଖାଲି କରିଦେବା ଉଚିତ୍ ! ଟ୍ରମ୍ପ ଏହା ମଧ୍ୟ କହିଛନ୍ତି , ଇରାନକୁ ସେହି ଡିଲ୍ରେ ଦସ୍ତଖତ କରିଦେବା ଉଚିତ୍ ଥିଲା ,ଯାହା ମୁଁ ପୂର୍ବରୁ କହି ଥିଲି। କେତେ ଲଜ୍ଜାଜନକ କଥା ଏବଂ କେତେ ମାନବୀୟ କ୍ଷତି । ମୁଁ ବାରମ୍ୱାର କହିଛି – ଇରାନକୁ ନ୍ୟୁକ୍ଲିୟର ଅସ୍ତ୍ର କେବେ ବି ମିଳି ପାରିବ ନାହିଁ।
ଏହି ଚେତାବନୀ ପରେ ଅନେକ ଲୋକ ଦାବି କରିଛନ୍ତି ଯେ ତାଙ୍କ ପରିବାର ରାଜଧାନୀ ଛାଡ଼ି ଯାଉଛନ୍ତି। ଜଣେ ୟୁଜର ଲେଖିଛନ୍ତି , ମୋ ମାଆ କହିଛନ୍ତି ଯେ, ସେ ତେହରାନ ଛାଡ଼ୁଛନ୍ତି। ସବୁ ଲୋକ ପଳାୟନ କରୁଛନ୍ତି । ରାସ୍ତା ଗୁଡ଼ିକରେ ଏତେ ଭିଡ଼ି ଯେ ଗାଡ଼ି ବି ଆଗକୁ ଯାଇ ପାରୁନାହିଁ।
🔴 RIGHT NOW:
— 𝗡𝗶𝗼𝗵 𝗕𝗲𝗿𝗴 ♛ ✡︎ (@NiohBerg) June 16, 2025
Mass exodus in Tehran. Everyone is desperate to get out after Trump's evacuation order. That's 16 million people.
Pray for our Iran. pic.twitter.com/X16l8yAqPs
ଇସ୍ରାଏଲ ଗତ ଶୁକ୍ରବାର ଇରାନ ଉପରେ ହଠାତ୍ ଆକ୍ରମଣ ଆରମ୍ଭ କରି ଦେଇଥିଲା। ଏହି ହମଲାର ଉଦ୍ଦେଶ୍ୟ ଇରାନର ପରମାଣୁ ଠିକଣା , ବୈଜ୍ଞାନିକ ଓ ସେନା ନେତୃତ୍ୱକୁ ଟାର୍ଗେଟ୍ କରିବା ଥିଲା। ଇସ୍ରାଏଲର ଦାବି ଯେ , ସେ ଇରାନକୁ ନ୍ୟୁକ୍ଲିୟର ଅସ୍ତ୍ରଶସ୍ତ୍ର ହାସଲ କରିବାରେ ରୋକିବା ପାଇଁ ଏହି ପଦକ୍ଷେପ ଉଠାଇଛି।
ଉକ୍ତ ହମଲାରେ ଏବେସୁଦ୍ଧା ଇସ୍ରାଏଲରେ ପାଖାପାଖି ୨୪ ଜଣ ଲୋକଙ୍କ ମୃତ୍ୟୁ ଓ ୫୦୦ରୁ ଅଧିକ ଆହତ ହୋଇଛନ୍ତି , ଯେବେ କି ଇରାନରେ ୨୨୪ ରୁ ଅଧିକ ଲୋକଙ୍କ ଜୀବନ ଯାଇ ସାରିଛି। ତେହରାନରେ ଏହି ସମୟରେ ପାଖାପାଖି ୧ କୋଟି ଲୋକ ରହୁଛନ୍ତି , ଯାହାକି ଇସ୍ରାଏଲର ମୋଟ ଜନସଂଖ୍ୟାର ସହ ସମାନ। ସ୍ଥିତି ଏତେ ଉତ୍ତେଜନାପୂର୍ଣ୍ଣ ହୋଇ ସାରିଛି ଯେ , ଲୋକେ ଖାଦ୍ୟପେୟର ଜିନିଷ ନେଇ ପଳାୟନ କରୁଛନ୍ତି ଏବଂ ସହର ଛାଡ଼ିବାକୁ ପ୍ରତିଯୋଗୀତା ଆରମ୍ଭ ହୋଇ ଯାଇଛି। ଏହି ପୂରା ଘଟଣାକ୍ରମ ମଧ୍ୟ-ପୂର୍ବରେ ଆଉ ଏକ ବଡ଼ ସଙ୍କଟର ଆଶଙ୍କାକୁ ଜନ୍ମ ଦେଇଛି।