ନୂଆଦିଲ୍ଲୀ : ଭାରତୀୟ ଛାତ୍ରଛାତ୍ରୀଙ୍କ ସ୍ଥାନାନ୍ତର ପାଇଁ ଇରାନ ନିଜର ବିମାନ କ୍ଷେତ୍ରକୁ ଖୋଲିଛି। ନିଜର ଏୟାରବେସକୁ ସ୍ୱତନ୍ତ୍ର ଭାବେ ଭାରତ ପାଇଁ ଖୋଲିବାକୁ ନିଷ୍ପତ୍ତି ନେଇଛି। ଯୁଦ୍ଧ ପ୍ରଭାବିତ ଇରାନୀ ସହର ଗୁଡ଼ିକରେ ଫସି ରହିଥିବା ଛାତ୍ରଛାତ୍ରୀଙ୍କ ଜରୁରିକାଳୀନ ସ୍ଥାନାନ୍ତର ପାଇଁ ନିଆଯାଇଛି ଏକ ବଡ଼ ଓ ସାହସିକତା ପଦକ୍ଷେପ। ଏହାକୁ ଭାରତୀୟ କୂଟନୀତିର ବିଜୟ ବି କୁହାଯାଉଛି। ଅପରେସନ ସିନ୍ଧୁ ଅନୁସାରେ, ପାଖାପାଖି ୧୦୦୦ ଭାରତୀୟ ଛାତ୍ରଙ୍କର ଆଜି ଦିଲ୍ଲୀ ପହଞ୍ଚିବାର ସମ୍ଭାବନା ରହିଛି।
ଇରାନ ଦ୍ୱାରା ବିମାନ ମାର୍ଗ ଖୋଲାଯିବା ପରେ ପ୍ରଥମ ଫ୍ଲାଇଟ୍ ଆଜି ରାତି ସମୟ ପାଖାପାଖି ୧୧ଟା ସୁଦ୍ଧା ନୂଆଦିଲ୍ଲୀରେ ଲ୍ୟାଣ୍ଡ କରିବ। ଇରାନର ମଶହଦ ସହରରୁ ଇରାନୀ ବିମାନରେ ହିଁ ଷ୍ଟୁଡେଣ୍ଟମାନେ ଦିଲ୍ଲୀ ଆସିବେ। ୨ୟ ଓ ୩ୟ ଉଡ଼ାଣ ଶନିବାର ନିର୍ଦ୍ଧାରିତ କରାଯାଇଛି। ଏଥିରେ ଗୋଟିଏ ବିମାନ ସକାଳ ତ ଆଉ ଗୋଟିଏ ସନ୍ଧ୍ୟାରେ ପହଞ୍ଚିବ। ଏହି ମଧ୍ୟରେ ଇରାନର ସ୍ଥାନୀୟ ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି ଯେ , ଯେଉଁ ଭାରତୀୟ ନାଗରିକ ଇରାନ ଛାଡ଼ି ଯିବାକୁ ଚାହାନ୍ତି , ତାଙ୍କ ପାଇଁ ଚାର୍ଟାର୍ଡ ବିମାନର ବ୍ୟବସ୍ଥା କରାଯାଇଛି।
କହି ରଖୁଛୁ କି, ଗତ ୮ ଦିନରୁ ଇରାନ ଓ ଇସ୍ରାଏଲ ମଧ୍ୟରେ ଭୀଷଣ ଯୁଦ୍ଧ ଚାଲୁଛି। ଏହି ସମୟରେ ଦୁଇ ଦେଶ ପରସ୍ପରକୁ ଡ୍ରୋନ୍ ଓ ମିସାଇଲରେ ହମଲା କରୁଛନ୍ତି। ମିସାଇଲ ହମଲା ମଧ୍ୟରେ ଇରାନ ନିଜର ବିମାନ କ୍ଷେତ୍ରକୁ ବନ୍ଦ ରଖିଛି ଏବଂ ଅଧିକାଂଶ ଅନ୍ତରାଷ୍ଟ୍ରୀୟ ଉଡ଼ାଣ ବନ୍ଦ ରହିଛି। ଏହା ସତ୍ତ୍ୱେ ଭାରତୀୟ ଛାତ୍ରଛାତ୍ରୀଙ୍କ ସ୍ଥାନାନ୍ତର ପାଇ ଏକ ସ୍ପେଶାଲ କରିଡୋରର ବ୍ୟବସ୍ଥା କରାଯାଇଛି। ସୂଚନା ଯେ, ଭାରତ ବୁଧବାର ଇରାନରୁ ଭାରତୀୟ ନାଗରିକଙ୍କୁ ବାହାର କରିବା ପାଇଁ ଅପରେସନ ସିନ୍ଧୁ ଲଞ୍ଚ କରିଥିଲା।
ଦିଲ୍ଲୀରେ ଇରାନୀ ଦୂତାବାସର ଅଧିକାରୀମାନେ କହିଛନ୍ତି -କିଛି ଭାରତୀୟ ଛାତ୍ରଛାତ୍ରୀ ଇସ୍ରାଏଲର ଆକ୍ରମଣରେ ଆହତ ହୋଇଛନ୍ତି। ସେମାନେ ସମସ୍ତେ ତେହରାନରେ ଇରାନୀ ବିଦେଶୀ ମନ୍ତ୍ରଣାଳୟ ଓ ଭାରତୀୟ ଦୂତାବାସର ସଂପର୍କରେ ଅଛନ୍ତି। କହି ରଖୁଛୁ ଯେ, ଏହା ପୂର୍ବରୁ ମୋଟ ୧୧୦ ଭାରତୀ ଛାତ୍ରଛାତ୍ରୀଙ୍କ ପ୍ରଥମ ବ୍ୟାଚ୍ ବୁଧବାର ରାତିରେ ନୂଆ ଦିଲ୍ଲୀରେ ପହଞ୍ଚି ଥିଲା। ଏଥିରେ ୯୪ ଛାତ୍ର-ଛାତ୍ରୀ ଜମ୍ମୁ-କାଶ୍ମୀରର ଥିଲେ। ଏ ସବୁ ଛାତ୍ରଛାତ୍ରୀ ଉର୍ମିଆ ମେଡିକାଲ ୟୁନିଭର୍ସିଟିରେ ପଢୁଥିଲେ ଏବଂ ତାଙ୍କୁ ଆର୍ମେନିଆ ଓ ଦୋହାର ରାସ୍ତା ଦେଇ ବାହାର କରାଯାଇ ଥିଲା।