IPL 2023: ୨ୟ କ୍ଵାଲିଫାୟରରେ ଟସ୍ ଜିତି ମୁମ୍ବାଇ ଇଣ୍ଡିଆନ୍ସର ବୋଲିଂ ନିଷ୍ପତ୍ତି, ହେବ କଡ଼ା ଟକ୍କର

Published By : Prameya-News7 Bureau | May 26, 2023 IST

ନୂଆଦିଲ୍ଲୀ: ଡିଫେଣ୍ଡିଂ ଚାମ୍ପିଅନ ଗୁଜରାଟ ଟାଇଟନ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଆଜି ଆଇପିଏଲ୍ ୨୦୨୩ର ଦ୍ଵିତୀୟ କ୍ଵାଲିଫାୟର ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ। ଏହି ମୁକାବିଲା ଜିତି ଫାଇନାଲ୍‌ରେ ପ୍ରବେଶ କରିବା ଲକ୍ଷ୍ୟରେ ଦୁଇ ଦଳ। ପ୍ରଥମ କ୍ବାଲିଫାୟର ମ୍ୟାଚରେ ସୁପରକିଙ୍ଗସ୍ ଠାରୁ ପରାଜିତ ହେବା ପରେ ଗୁଜରାଟ୍ ଟିମ୍ ଘରୋଇ ଗ୍ରାଉଣ୍ଡରେ ଖୁବ ଅଭ୍ୟାସ କରିଛି। ଅନ୍ୟପଟେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌କୁ ହରାଇ ଦ୍ଵିତୀୟ କ୍ଵାଲିଫାୟରରେ ପ୍ରବେଶ କରିଛି ମୁମ୍ବାଇ ଇଣ୍ଡିଆନ୍ସ। ଟସ୍ ଜିତି ମୁମ୍ବାଇ ଇଣ୍ଡିଆନ୍ସ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି।

ଅହମଦାବାଦରେ ପଡିଆକୁ ଓହ୍ଲାଇବ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଗୁଜରାଟ ଟାଇଟନସ୍ । ସେପଟେ ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟ କଡା ମୁକାବିଲା ପାଇଁ ପ୍ରସ୍ତୁତ ରହିଛି । ଏହି ମ୍ୟାଚର ବିଜେତା ପାଇନାଲ୍ ରେ ଚେନ୍ନାଇ ସୁପର କିଙ୍ଗସ୍‌କୁ ଭେଟିବ । ଏହି ମ୍ୟାଚ୍‌କୁ ନେଇ ପୂର୍ବାନୁମାନ କରିବା ସମ୍ଭବ ନୁହେଁ । ଉଭୟ ଦଳ ଚଳିତ ସିଜନରେ ୨ଥର ଭେଟି ସାରିଛନ୍ତି । ଏଥିରୁ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍‌ ଜିତିଛନ୍ତି ।

ତୃତୀୟ ମୁକାବିଲା ପୂର୍ବରୁ ଉଭୟ ଦଳ ପ୍ରତିପକ୍ଷ ଦଳର ଶକ୍ତି ଓ ଦୁର୍ବଳତା ସହ ଭଲ ଭାବେ ପରିଚିତ । ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଟାଇଟନ୍ସର ସ୍ପିନର ରସିଦ ଖାନ, ଓପନର ଶୁଭମନ ଗିଲ୍‌ ଓ ପେସ୍‌ ବାହିନୀ ଚିନ୍ତାର କାରଣ ହେବା ସ୍ୱାଭାବିକ । ଗିଲ୍‌ ସମ୍ପ୍ରତି ୭୨୨ରନ୍‌ ସଂଗ୍ରହ କରି ଚମତ୍କାର ଫର୍ମରେ ରହିଛନ୍ତି। ଫାଫ ଡୁ ପ୍ଲେସିଙ୍କ ଠାରୁ ଅରେଞ୍ଜ କ୍ୟାପ ଛଡ଼ାଇ ଆଣିବା ପାଇଁ ତାଙ୍କ ନିକଟରେ ସୁଯୋଗ ରହିଛି ।

ଗୁଜରାଟ ଟାଇଟନ୍ସ

ଶୁଭମନ ଗିଲ୍, ଋଦ୍ଧିମାନ ଶାହା(ଓ୍ଵିକେଟ୍ କିପର), ସାଇ ସୁଦର୍ଶନ, ବିଜୟ ଶଙ୍କର, ହାର୍ଦ୍ଦିକ ପାଣ୍ଡ୍ୟା(ଅଧିନାୟକ), ଡେଭିଡ୍ ମିଲର, ରାହୁଲ ତେଓ୍ଵତିଆ, ରଶିଦ ଖାନ, ମୋହିତ ଶର୍ମା, ନୂର ଅହମ୍ମଦ, ମହମ୍ମଦ ଶାମି।

ମୁମ୍ବାଇ ଇଣ୍ଡିଆନ୍ସ

ରୋହିତ ଶର୍ମା, ଇଶାନ କିଷନ(ଓ୍ଵିକଟ୍ କିପର), କ୍ୟାମେରୁନ ଗ୍ରୀନ, ସୂର୍ଯ୍ୟକୁମାର ଯାଦବ, ତିଳକ ବର୍ମା, ନେହଲ ଓ୍ଵଧେରା, ଟିମ୍ ଡେଭିଡ୍, କ୍ରିସ ଜୋର୍ଡାନ, ପୀୟୂଷ ଚାଓ୍ଵଲା, ଆକାଶ ମଧବାଲ, କୁମାର କାର୍ତ୍ତିକେୟ, ଜାସନ ବେହରେନଡର୍ଫ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.