ନୂଆଦିଲ୍ଲୀ ୯।୭: ଭାରତର ଅନ୍ତରୀକ୍ଷ ନିୟାମକ ଭାରତୀୟ ଜାତୀୟ ଅନ୍ତରୀକ୍ଷ ସମ୍ବର୍ଦ୍ଧନ ଓ ପ୍ରାଧିକରଣ କେନ୍ଦ୍ର (ଇନସ୍ପେସ୍)ଏଲନ ମସ୍କଙ୍କ ଷ୍ଟାରଲିଂକକୁ ଦେଶରେ ଉପଗ୍ରହ ଆଧାରିତ ଇଣ୍ଟରନେଟ୍ ସେବା ଯୋଗାଇ ଦେବାକୁ ଲାଇସେନ୍ସ ପ୍ରଦାନ କରିଛନ୍ତି। ଏ ନେଇ ଇନସ୍ପେସ୍ ତାଙ୍କ ୱେବସାଇଟ୍ ରେ ସୂଚିତ କରିଥିବା ବେଳେ ସେ ଷ୍ଟାରଲିଂକ ସାଟେଲାଇଟ୍ କମ୍ୟୁନିକେସନକୁ ଭାରତରେ ଷ୍ଟାରଲିଂକ ଜେନ-୧ କନଷ୍ଟେଲେସନ କ୍ଷମତାର ପ୍ରାବଧାନଙ୍କୁ ସକ୍ଷମ କରିବା ଲାଗି ମଞ୍ଜୁରି ଦେଇଛନ୍ତି।
ଏହି ମଞ୍ଜୁରୀ ୫ ବର୍ଷ ନିମନ୍ତେ ବୈଧ ହେବ। ଷ୍ଟାରଲିଂକ ୨୦୨୨ ମସିହାରୁ ବାଣିଜ୍ୟିକ ପରିଚାଳନା ଆରମ୍ଭ କରିବା ପାଇଁ ଭାରତୀୟ ବଜାର ଉପରେ ନଜର ରଖି ରହିଥିଲା। ଏଣୁ ଭାରତରେ ଷ୍ଟାର ଲିଂକ ସାଟେଲାଇଟ ଇଣ୍ଟରନେଟ୍ ସର୍ଭିସ ଅପରେଟ କରିବା ଲାଗି ପ୍ରଥମେ ଟେଲିକମ ଡିପାର୍ଟମେଣ୍ଟରୁ ଲାଇସେନ୍ସ ହାସଲ କରିଥିଲା। ଷ୍ଟାର ଲିଂକ ତୃତୀୟ କମ୍ପାନୀ ଯାହାକୁ ଭାରତରେ ସାଟେଲାଇଟ ଇଣ୍ଟରନେଟ୍ ସର୍ଭିସ ଅପରେଟ କରିବା ପାଇଁ ଲାଇସେନ୍ସ ମିଳିଛି।
ଏହା ପୂର୍ବରୁ ‘ୱାନ ୱେବ୍’ ଓ ରିଲାଏନ୍ସ ଜିଓକୁ ଏଥି ପାଇଁ ମଞ୍ଜୁରୀ ମିଳିଥିଲା। ଷ୍ଟାର ଲିଂକ ଦୀର୍ଘ ସମୟରୁ ଭାରତରେ ସାଟେଲାଇଟ୍ ଆଧାରିତ ଇଣ୍ଟରନେଟ୍ ଅପରେଟ କରିବା ପାଇଁ ଉଦ୍ୟମ ଚଳାଇଥିଲା। ତେବେ ସିକ୍ୟୁରିଟି ଚିନ୍ତା କାରଣରୁ ଏଥିରେ ବିଳମ୍ବ ହୋଇଥିଲା। ଭାରତ ସରକାର ଡାଟା ସିକ୍ୟୁରିଟି ଓ କଲ ଇଣ୍ଟରସେପସନ୍ ଭଳି ସର୍ତ୍ତ ରଖିଥିଲେ। ଷ୍ଟାର ଲିଂକ ଏହି ସର୍ତ୍ତକୁ ସ୍ୱୀକାର କରିଥିଲା। ଏଣୁ ୨୦୨୫ରେ ଲେଟର ଅଫ ଇଣ୍ଟେଣ୍ଟ ମିଳିବା ପରେ ଏବେ ଲଇସେନ୍ସ ମଧ୍ୟ ମିଳିଯାଇଛି।